Home News in Odia ବନ୍ଦ ହେଉ ଜିରୋ ନାଇଟ୍‍ ସେଲିବ୍ରେସନ୍‍

ବନ୍ଦ ହେଉ ଜିରୋ ନାଇଟ୍‍ ସେଲିବ୍ରେସନ୍‍

ଭୁବନେଶ୍ୱର : ‘ଜିରୋ ନାଇଟ୍‍ ସେଲିବ୍ରେସନ୍‍’ ନାମରେ ବହୁ ଦୁର୍ଘଟଣା, ଅପରାଧ ଘଟିବା ସଂଗେ ସଂଗେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଉତ୍କଟତର ହେଉଥିବାରୁ ସରକାର ସମଗ୍ର ରାଜ୍ୟରେ ଏହି ବିଦେଶୀ ପରମ୍ପରାକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ଓଡ଼ିଶା ମଦମୁକ୍ତି ଅଭିଯାନ ସଂଗଠନ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି । ତେବେ ପରିସ୍ଥିତି ଉପରେ ପୁଲିସ ଓ ପ୍ରଶାସନ କଡ଼ା ନଜର ରଖୁଛନ୍ତି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ କିନ୍ତୁ ନିଶା ପ୍ରସାରଣ କମିବା ପରିବର୍ତ୍ତେ ବଢ଼ୁଛି ।

ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ନୂଆ ବର୍ଷକୁ ସ୍ୱାଗତ କରିବା ଆଳରେ ବିଦେଶୀ ପରମ୍ପରାକୁ ଆପଣାଇ ଏବେ ଆମ ରାଜ୍ୟ ତଥା ଦେଶରେ ବହୁ ବ୍ୟକ୍ତି ପର୍ବ ପାଳନ କରୁଛନ୍ତି । ଯାହାକୁ ଜିରୋ ନାଇଟ୍‍ ସେଲିବ୍ରେସନ୍‍ କୁହାଯାଉଛି । ଏବର୍ଷ ବାୟୁ ମଣ୍ଡଳରେ ପ୍ରଦୂଷଣ ମାତ୍ରା ଢେର ଅଧିକ ରହିଥିବାବେଳେ ଜିରୋ ନାଇଟ୍‍ରେ ବାଣ ଫୁଟାଇଲେ ତାହା ଅଧିକ ବିଷାକ୍ତ ହେବ ବୋଲି ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଉଛନ୍ତି । ଏହା ସତ୍ତ୍ୱେ ବି ନିଜ ଜୀବନକୁ ଖାତିର ନକରି ବହୁ ବ୍ୟୃକ୍ତି ଜିରୋ ନାଇଟ୍‍ ପାଇଁ ବାଣ ସଂଗ୍ରହ କରିବାରେ ଲାଗିଛନ୍ତି ।

ଜିରୋ ନାଇଟ୍‍ ସେଲିବ୍ରେସନ୍‍ ଲାଗି ବିଳମ୍ବିତ ରାତି ଏମିତିକି ସକାଳ ପର୍ଯ୍ୟନ୍ତ ମଦୁଆମାନଙ୍କ ଉତ୍ପାତ ଲାଗି ରୁହେ । ଏଥିଯୋଗୁ ବହୁ ଦୁର୍ଘଟଣା ଘଟିବା ସହିତ ବିଭିନ୍ନ କିସମର ଅପରାଧମାନ ମଧ୍ୟ ଘଟିଥାଏ । ଏମିତିକି ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ଏହି ଅବସରରେ ଅନେକ ଅସମାଜିକ ବ୍ୟକ୍ତି ଟାର୍ଗେଟ୍‍ କରିଥାନ୍ତି ।

ନୂଆ ବର୍ଷ ପୂର୍ବରୁ ଏବେ କିଛିଦିନ ଧରି ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ ମଦୁଆ ଧରପଗଡ଼ ଅଭିଯାନ ଜୋରଦାର କରାଯାଉଥିଲେ ମଧ୍ୟ ଏହାକୁ ନିଶା ବେପାରୀ ଓ ନିଶାଡ଼ିମାନେ ଖାତିର କରୁଥିବା ଭଳି ମନେ ହେଉନାହିଁ । ବିଭିନ୍ନ କ୍ଲବ, ବାର୍‍, ରେଷ୍ଟ୍ରୁରାଣ୍ଟ ଆଦି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଅବସରରେ ଖୋଲା ଯାଉଥିବାରୁ ନିଶାଡ଼ିମାନଙ୍କ କବଳରୁ ସାଧାରଣ ଲୋକଙ୍କୁ ନିରାପତ୍ତା ଦେବା ଏକ ଆହ୍ୱାନରେ ପରିଣତ ହୋଇଛି । ଅଯଥାରେ ନୂଆ ବର୍ଷ ପ୍ରତିପାଳନ ଆଳରେ ନିଶା ପାଇଁ ବ୍ୟାପକ ଅପବ୍ୟୟ ହୋଇଥାଏ । ଏ ପରିପ୍ରେକ୍ଷୀରେ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇ ‘ନିଶା ନୁହେଁ, ଜୀବନ ଚାହୁଁ’ ସ୍ଲୋଗାନ ଦେଉଥିବା ଓଡ଼ିଶା ସରକାର ସମଗ୍ର ରାଜ୍ୟରେ ଜିରୋ ନାଇଟ୍‍ ସେଲିବ୍ରେସନ୍‍କୁ ନିଷିଦ୍ଧ କରିବା ଏବଂ ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କ ପ୍ରତି କଠୋର ଦଣ୍ଡ ବ୍ୟବସ୍ଥା କରିବା ପାଇଁ ଓଡ଼ିଶା ମଦମୁକ୍ତି ଅଭିଯାନ ସମେତ ବହୁ ସାମାଜିକ ସଂଗଠନ ଓ ସଚେତନ ବ୍ୟକ୍ତିବିଶେଷ ନିବେଦନ କରିଛନ୍ତି ।

ବିଶେଷକରି ବର୍ଷ ଶେଷ ବେଳକୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହୁଥିବା ଏବଂ ଅନେକ ବ୍ୟକ୍ତିବିଶେଷ ପର୍ଯ୍ୟଟନ ସ୍ଥଳୀ ସମେତ ବିଭିନ୍ନ ତୀର୍ଥ କ୍ଷେତ୍ର ଓ ଦର୍ଶନୀୟ ସ୍ଥାନ ଆଦିକୁ ସପରିବାର ବୁଲିଯାଇଥାନ୍ତି । ଏ ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ପୁରୀ, କୋଣାର୍କ, ଚିଲିକା ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ ଗହଳି ହୋଇଥାଏ । ନିଶାଡ଼ିମାନଙ୍କୁ ଆଗତୁରା ନିୟନ୍ତ୍ରଣ କରାଯାଇପାରିଲେ ବଡ଼ଦିନ ଛୁଟି କଟାଇବା ପାଇଁ ଭ୍ରମଣରେ ଯାଉଥିବା ପର୍ଯ୍ୟଟକ ଓ ଘରୋଇ ବ୍ୟକ୍ତିବିଶେଷ ନିରାପଦ ଯାତ୍ରା କରି ଫେରିଆସିପାରନ୍ତେ ବୋଲି ସେମାନେ ଯୁକ୍ତି ବାଢ଼ିବା ସହିତ ଅନ୍ତତଃପକ୍ଷେ ପ୍ରତିବର୍ଷର ଶେଷ ସପ୍ତାହଟିକୁ ନିଶାମୁକ୍ତି ସପ୍ତାହ ଭାବେ ସରକାର ପାଳନ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଉଛି । (ତଥ୍ୟ)