Home Industry ବନ୍ଦ ଶିଳ୍ପାନୁଷ୍ଠାନ ପୁନରୁଦ୍ଧାର ପାଇଁ ଚାପ

ବନ୍ଦ ଶିଳ୍ପାନୁଷ୍ଠାନ ପୁନରୁଦ୍ଧାର ପାଇଁ ଚାପ

ଭୁବନେଶ୍ୱର : ଓଡିଶାରେ ବଡ ବଡ କଳ କାରଖାନା ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶ ଲାଗି ଦେଶ ବିଦେଶର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରୁଥିବାବେଳେ ରାଜ୍ୟରେ ବନ୍ଦହୋଇ ପଡିଥିବା ଶିଳ୍ପାନୁଷ୍ଠାନଗୁଡିକର ପୁନରୁଦ୍ଧାର ଲାଗି ଏବେ ବିଭିନ୍ନ ମହଲରୁ ଚାପ ବୃଦ୍ଧି ପାଇବାରେ ଲାଗିଛି ।

ବଡମ୍ବା, ନୟାଗଡ, ବରଗଡ, ବଲାଙ୍ଗିର ଆଦିରେ ପ୍ରତିଷ୍ଠା କରାଯାଇଥିବା ଚିନିକଳଗୁଡିକ ବନ୍ଦହୋଇ ପଡିଥିବାବେଳେ ଆସିକା ଚିନିକଳ କଷ୍ଟେ ମଷ୍ଟେ ଚାଲୁଛି । ଢେଙ୍କାନାଳରେ ଘରୋଇ ଉଦ୍ୟମରେ ଚାଲିଥିବା ଚିନିକଳର ସ୍ୱାସ୍ଥ୍ୟାବସ୍ଥା ବି ଭଲ ନାହିଁ । ଚିନିକଳଗୁଡିକ ବନ୍ଦହୋଇ ପଡିବା ଫଳରେ ଆଖୁ ଭଳି ଅର୍ଥକରୀ ଫସଲରୁ ଚାଷୀମାନେ ଯେଉଁ ଉପାର୍ଜନ କରୁଥିଲେ ତାହା ବନ୍ଦହୋଇ ଯାଇଛି । ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଅନ୍ୟ ରାଜ୍ୟରୁ ଚିନି କିଣି ଓଡିଶା ଲୋକେ ଖର୍ଚ୍ଚାନ୍ତ ହେଉଥିବା ପରିପ୍ରେକ୍ଷୀରେ ବନ୍ଦ ହୋଇଥିବା ଚିନିକଳଗୁଡିକୁ କାର୍ଯ୍ୟକ୍ଷମ କରାଇବା ସହିତ ଅନ୍ୟ ଯେଉଁସବୁ ସ୍ଥାନରେ ଆଖୁଚାଷ ଓ ଚିନିକଳ ପ୍ରତିଷ୍ଠାର ସମ୍ଭାବନା ରହିଛି ତାହା ଉପରେ ଗୁରୁତ୍ୱ ଦେବାକୁ ଦାବି ବଢୁଛି ।

ସେହିଭଳି ପରିବେଶ ଦୃଷ୍ଟିରୁ ପ୍ଲାଷ୍ଟିକ ଅଖା ବ୍ୟାଗ ପରିବର୍ତ୍ତେ ଝୋଟ ବ୍ୟାଗ ଉପରେ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ସମୟରେ ଝୋଟ ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲା ଏବଂ ଧାନମଣ୍ଡଳ ଝୋଟକଳରୁ ଉତ୍ପାଦିତ ସାମଗ୍ରୀ ରାଜ୍ୟର ଚାହିଦା ମେଣ୍ଟାଇବା ସହିତ ଅନ୍ୟ ରାଜ୍ୟକୁ ବି ରପ୍ତାନି ହେଉଥିଲା । ଚଷୀମାନେ ଲଳିତା ଚାଷକରି ଉପକୃତ ହେଉଥିଲେ ଏବଂ ଲଳିତା ଚାଷ କରାଯାଉଥିବା ଜମିରେ ଖରିଫ ଧାନ ଚାଷ କରାଯିବା ଯୋଗୁଁ ଜମିଗୁଡିକ ବି ଲଳିତା ପତ୍ରରୁ ବେଶ୍‍ ଉର୍ବର ହୋଇପାରୁଥିଲା ।

ଓଡିଶାରେ ଥିବା ବହୁ କାଗଜକଳ ବନ୍ଦହୋଇ ଯାଇଛି । ଫଳରେ ବହି ଖାତା ପାଇଁ ଆବଶ୍ୟକ ପଡୁଥିବା କାଗଜ ଲାଗି ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଏମିତିକି ରାଜ୍ୟ ସରକାରୀ ଦପ୍ତରଗୁଡିକର ନଥି କାମ ପାଇଁ ବି ବାହାରୁ କାଗଜ ଆଣିବାକୁ ପଡୁଛି ।

ଓଡିଶାରେ ଥିବା ଚୌଦ୍ୱାରର ଓଟିଏମ୍‍ ସମେତ ୧୩ଟି ଲୁଗାକଳ ଓ ଅନ୍ୟ ୧୩ଟି ସୂତାକଳ ମଧ୍ୟ ବନ୍ଦହୋଇ ପଡିଛି । ଫଳରେ ଓଡିଶାର ଲୋକେ ନିଜ ଚାହିଦା ମେଣ୍ଟାଇବାପାଇଁ ଅନ୍ୟ ରାଜ୍ୟରେ ତିଆରି କପଡା ଉପରେ ନିର୍ଭର କରୁଛନ୍ତି ଏବଂ ଏଠାକାର ବୟନଶିଳ୍ପୀ ଓ ବୁଣାଳିମାନେ ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି । ହସ୍ତତନ୍ତ ଶିଳ୍ପରୁ ଯେତିକି ବି କପଡା ଉତ୍ପାଦିତ ହେଉଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ରାଜ୍ୟର ସୂତାକଳ ଓ ଲୁଗାକଳଗୁଡିକ ବନ୍ଦଥିବା ପରିପ୍ରେକ୍ଷୀରେ ଓଡିଶାର ଚାଷୀ ଉତ୍ପାଦନ କରୁଥିବା ତୁଳାକୁ ନାମମାତ୍ର ଦରରେ ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ଯାଚି ଗୁଞ୍ଜି ଦେଉଛି ।

ଓଡିଶାରେ ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ସହିତ ୧୧୦୦ ବର୍ଗ କିଲୋମିଟର ଅଞ୍ଚଳର ଚିଲିକା ହ୍ରଦ ରହିଛି । ଅଥଚ ଓଡିଶାପାଇଁ ଆବଶ୍ୟକ ପଡୁଥିବା ଲୁଣ ଅନ୍ୟ ରାଜ୍ୟରୁ ନଆସିଲେ ଆମକୁ ଅଲଣା ଖାଇବାକୁ ପଡିବ । ରାଜ୍ୟର ଲବଣ ଶିଳ୍ପକୁ ବ୍ୟବସ୍ଥିତ କରାଯାଇ ପାରିଲେ ତାହା ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ଲୁଣ ରପ୍ତାନି କରିପାରିବ ।

ଗୋଟିଏ ସମୟରେ ଓଡିଶା ତିଆରି ସୁବର୍ଣ୍ଣା ତେଲ ସାରା ଦେଶରେ ଆଦୃତ୍ତ ହେଉଥିଲା । କିନ୍ତୁ ଏବେ ଆମର ଖାଇବା ଓ ଲଗେଇବା ପାଇଁ ଆବଶ୍ୟକ ପଡୁଥିବା ତେଲର ମୁଖ୍ୟାଂଶ ଅନ୍ୟ ରାଜ୍ୟରୁ ଆଣିବାକୁ ପଡୁଛି । ଏମିତିକି ପୂଜା ପାଇଁ ଆବଶ୍ୟକ ପଡୁଥିବା ତେଲ, ଘିଅ ମିଳୁନଥିବାରୁ ନକଲି ସାମଗ୍ରୀର କାମ ଚଳାଇବାକୁ ପଡୁଛି । (ତଥ୍ୟ)