Home Health ବନ୍ଦ ଜନଔଷଧି କେନ୍ଦ୍ର କେବେ ଖୋଲିବ ?

ବନ୍ଦ ଜନଔଷଧି କେନ୍ଦ୍ର କେବେ ଖୋଲିବ ?

ଭୁବନେଶ୍ୱର : ସରକାରୀ ଡାକ୍ତରଖାନା ପରିସରରେ ଜନଔଷଧି କେନ୍ଦ୍ର ଖୋଲାଯିବାକୁ କର୍ଣ୍ଣାଟକ ହାଇକୋର୍ଟ ଯୁକ୍ତିଯୁକ୍ତ ଦର୍ଶାଇଥିବାବେଳେ ଓଡିଶାରେ ସରକାରୀ ଡାକ୍ତରଖାନା ପରିସରରେ ଖୋଲିଥିବା ରାଜ୍ୟର ପ୍ରଥମ ଜନଔଷଧି କେନ୍ଦ୍ରରେ କିନ୍ତୁ ତାଲା ପଡିଯାଇଛି । ଏହାକୁ ଖୋଲିବାପାଇଁ ରାଜ୍ୟ ସରକାର କେବେ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

୨୦୧୦ ମସିହା ଏପ୍ରିଲ ମାସରେ ଓଡିଶାରେ ପ୍ରଥମେ ଜନଔଷଧି କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ରାଜ୍ୟ ରାଜଧାନୀରେ ଥିବା ରେଡକ୍ରସ ଭବନ ପରିସରରେ ଏହା ଆନୁଷ୍ଠାନିକ ଭାବେ ଖୋଲିଥିବାବେଳେ ରୋଗୀଙ୍କ ସୁବିଧାକୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲ ପରିସରରେ ବି ଗୋଟିଏ ବିକ୍ରୟକେନ୍ଦ୍ର ଖୋଲିଥିଲା । ଫଳରେ ଡାକ୍ତରଖାନାକୁ ଆସୁଥିବା ହଜାର ହଜାର ରୋଗୀ ଶସ୍ତାରେ ଔଷଧ ପାଇପାରୁଥିଲେ ।

ସରକାରୀ କାଗଜପତ୍ରରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଜନଔଷଧି କେନ୍ଦ୍ରର ମାଲିକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେଣୁ ଏହା ଉପରେ ତାଙ୍କର ନିୟନ୍ତ୍ରଣ ଥିଲା । କିନ୍ତୁ ଦୀର୍ଘବର୍ଷ ଏହି ଜନଔଷଧି କେନ୍ଦ୍ର ଚାଲିବାପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହାକୁ ବନ୍ଦକରି ଦେଇଛନ୍ତି । ଫଳରେ ରୋଗୀମାନେ ଆବଶ୍ୟକ କେତେକ ଔଷଧ ପାଇଁ କ୍ୟାପିଟାଲ ହସ୍ପିଟାଲ ଆଖପାଖରେ ଥିବା ଘରୋଇ ଔଷଧ ଦୋକାନ ଉପରେ ନିର୍ଭର କରୁଛନ୍ତି ।

ବର୍ତ୍ତମାନ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ଅଧିକରୁ ଅଧିକ ଜନ ଔଷଧି କେନ୍ଦ୍ର ଖୋଲିବାପାଇଁ ଉଦ୍ୟମ ଚାଲିଛି । ଲୋକେ ଯେଭଳି ଶସ୍ତାରେ ଔଷଧ ପାଇପାରିବେ ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ ଜନଔଷଧି କେନ୍ଦ୍ର ଦ୍ୱାରା ଲୋକେ କେତେ ପରିମାଣରେ ଉପକୃତ ହେଉଛନ୍ତି ତାହାର ବାର୍ଷିକ ରିପୋର୍ଟ ପ୍ରକାଶ କରୁଛନ୍ତି ।

ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏକାଧିକ ଜନଔଷଧି କେନ୍ଦ୍ର ଖୋଲୁଛି ଏବଂ ଲୋକେ ସେଠାରୁ ଶସ୍ତାରେ ଔଷଧ ସମେତ ଡାକ୍ତରୀ ସାଜ ସରଞ୍ଜାମ, ଭିଟାମିନ୍‍, ଚ୍ୟାବନପ୍ରାସ, ପ୍ରୋଟିନ୍‍ ପାଉଡର ଆଦି ଅତି ଶସ୍ତାରେ ପାଉଛନ୍ତି । ଏଭଳି ସ୍ଥଳେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଖୋଲାଥିବା ଜନଔଷଧି କେନ୍ଦ୍ରକୁ କ’ଣ ପାଇଁ ବନ୍ଦ କରାଗଲା ତାହାର ସୂଚନା କାହାରି ପାଖରେ ନାହିଁ ।

ସରକାରୀ ଡାକ୍ତରଖାନା, ଏପରିକି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ଚାହିଦା ମୁତାବକ ସମସ୍ତ ଔଷଧ ମିଳିପାରୁ ନାହିଁ । ଡାକ୍ତରମାନେ ବାଧ୍ୟହୋଇ କିଛି ଔଷଧ ବାହାରୁ ନେବାପାଇଁ ଲେଖୁଛନ୍ତି । ଯଦି ଜନ ଔଷଧି କେନ୍ଦ୍ରଟି ଏଠାରେ ଥାଆନ୍ତା ତେବେ ରୋଗୀମାନେ ଶସ୍ତାରେ ଏବଂ ହାତ ପାଆନ୍ତାରେ ଏଠାରୁ ଔଷଧ ସଂଗ୍ରହ ସହିତ ତାହାକୁ ଡାକ୍ତରଙ୍କୁ ସହଜରେ ଦେଖାଇପାରିଥାନ୍ତେ । ହେଲେ ପ୍ରଶାସନର ବାଧା ଯୋଗୁଁ ଏହା ହୋଇପାରୁ ନାହିଁ । ରାଜ୍ୟର ପ୍ରଥମ ଜନ ଔଷଧିକେନ୍ଦ୍ରଟି କ’ଣ ପାଇଁ ବନ୍ଦ ହୋଇଗଲା ତାହାର ସମୀକ୍ଷା କରିବା ସହିତ ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏହାକୁ ଖୋଲିବାପାଇଁ ଦାବି ହେଉଛି । (ତଥ୍ୟ)