Home Industry ବନ୍ଦ ଚିନିକଳ ଖୋଲିବ କେବେ?

ବନ୍ଦ ଚିନିକଳ ଖୋଲିବ କେବେ?

ଭୁବନେଶ୍ୱର : ଓଡ଼ିଶା ପାଇଁ ବର୍ଷକୁ ପ୍ରାୟ ଅଢ଼େଇ ଲକ୍ଷ ମେଟ୍ରିକ ଟନ୍‍ ଚିନି ଆବଶ୍ୟକ ଥିବାବେଳେ ରାଜ୍ୟର ଅଧିକାଂଶ ଚିନିକଳ ବନ୍ଦ ହୋଇଯାଇଥିବାରୁ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟରୁ ଚିନି ଆମଦାନି କରିବାକୁ ପଡୁଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟ ଓଡ଼ିଶାକୁ ଚିନି ନଯୋଗାଇଲେ ରାଜ୍ୟରେ ମିଠା ସାମଗ୍ରୀ ପ୍ରସ୍ତୁତ ତ ଦୂରର କଥା, ସାମାଜିକ ଉତ୍ସବରେ ଖିରୀ ବି ତିଆରି ହୋଇପାରିବ ନାହିଁ ।

ଆଖୁ ଚାଷ ପାଇଁ ଓଡ଼ିଶାର ମୃତ୍ତିକା ଓ ଜଳବାୟୁ ବେଶ୍‍ ଅନୁକୂଳ । ପୂର୍ବରୁ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ଆଖୁଚାଷ ହେଉଥିଲା ଏବଂ ଅନେକ ଗାଁରେ ଆଖୁରୁ ଦୋରୁଅ ସଂଗ୍ରହ କରି ଗୁଡ଼ ରନ୍ଧା ଯାଉଥିଲା । ଓଡ଼ିଶା ଗୁଡ଼ର ଚାହିଦା ଅନ୍ୟ ରାଜ୍ୟରେ ଭଲ ଥିଲା । ଏବେ କିନ୍ତୁ ଗୁଡ଼ ପାଇଁ ବି ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକ ପଡୁଛି ।

ରାଜ୍ୟରେ ସମବାୟ ଭିତ୍ତିରେ ଆସିକା ଚିନିକଳ ଚାଲୁଛି । ତେବେ ଏହି ସମବାୟ ଚିନିକଳ କୌଣସି ପ୍ରକାରେ ବଞ୍ôଚବା ପାଇଁ ସଂଘର୍ଷ କରୁଛି । ଢେଙ୍କାନାଳରେ ବେସରକାରୀ ଉଦ୍ୟମରେ ଏକ ଚିନିକଳ ଚାଲିଛି । ବରଗଡ଼ ସମବାୟ ଚିନିକଳ, ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନିକଳ, କଟକ ଜିଲ୍ଳାର ବଡମ୍ବାଠାରେ ଥିବା ସମବାୟ ଚିନିକଳ ଏବଂ ନୟାଗଡ଼ର ସମବାୟ ଚିନିକଳ ଏକ ପ୍ରକାର ଭୁଶୁଡ଼ି ପଡିଛି । ବରଗଡ଼ ଚିନିକଳ ୨୦୧୭ ମସିହାରୁ ବନ୍ଦ ଥିବାବେଳେ ବଲାଙ୍ଗୀରର ଚିନିକଳ ୨୦୧୪ରୁ, ନୟାଗଡ଼ର ଚିନିକଳ ୨୦୧୫ରୁ ଏବଂ ବଡମ୍ବା ଚିନିକଳ ୨୦୧୩ ମସିହାରୁ ବନ୍ଦ ରହିଛି ।

ଆସିକା ସମବାୟ ଚିନିକଳରେ ବର୍ଷକୁ ୨୫ ହଜାରରୁ ୪୦ ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚିନି ଉତ୍ପାଦନ ହେଉଥିôବାବେଳେ ଏଠାରେ ପାଖାପାଖି ୫୦ ହଜାର ମେଟ୍ରିକ ଟନ୍‍ ଆଖୁର ପ୍ରକ୍ରିୟାକରଣ ହେଉଛି । ଏକଦା ନୟାଗଡ଼, ବଡମ୍ବା, ବଲାଙ୍ଗୀର ଓ ବରଗଡ଼ର ଚିନିକଳ ବେଶ୍‍ ଭଲ ଚାଲୁଥିଲା । ଏହାକୁ ଆଧାର କରି ହଜାର ହଜାର ହେକ୍ଟର ଜମିରେ ଆଖୁ ଚାଷ ହେଉଥିଲା ଏବଂ ଚାଷୀମାନେ ଚିନିକଳଗୁଡ଼ିକୁ ଆଖୁ ବିକି ବେଶ୍‍ ରୋଜଗାର କରୁଥିଲେ । ଏବେ ସଂଖ୍ୟାଧିକ ଚିନିକଳ ବନ୍ଦ ହୋଇଯାଇଥିବାରୁ ଆଖୁ ଚାଷ କମିଯାଇଛି । ଏ ପରିପ୍ରେକ୍ଷୀରେ ଓଡ଼ିଶାରେ ଗୁଡ଼ ଓ ଚିନି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ରାଜ୍ୟର ଚିନିକଳଗୁଡ଼ିକ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ସହିତ ଚାଷୀମାନଙ୍କ ରୋଜଗାର ବୃଦ୍ଧି ସଂଗେ ସଂଗେ ବ୍ୟାପକ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଥିଲେ । ତେବେ କୌଣସି କାରଣର ନୟାଗଡ଼, ବଡମ୍ବା ଭଳି କେତେକ ଚିନିକଳକୁ ଘରୋଇ ମାଲିକମାନଙ୍କ ହାତକୁ ଟେକି ଦିଆଯାଇଥିଲା । ଏମାନେ ଚିନିକଳ ଚଳାଇବା ପରିବର୍ତ୍ତେ ଏହାର ସଂପତ୍ତିକୁ ବନ୍ଧକ ରଖି ବିଭିନ୍ନ ପଞ୍ଜି ଲଗାଣକାରୀ ସଂସ୍ଥାରୁ ବେଶ୍‍ ଫାଇଦା ଉଠାଇବାରେ ଲାଗିଲେ ।

ନିର୍ବାଚନ ସମୟରେ ପ୍ରାୟ ୧୦ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚିନିକଳ କାର୍ଯ୍ୟକ୍ଷକ କରିବା ପ୍ରସଂଗ ଉଠିଥାଏ । ତେବେ ନିର୍ବାଚନ ପରେ ଚିରାଚରିତ ଢଙ୍ଗରେ ନେତାମାନେ ଏ ସଂକ୍ରାନ୍ତୀୟ ପ୍ରତିଶ୍ରୁତି ସବୁକୁ ଭୁଲି ଯାଆନ୍ତି । ବନ୍ଦ ହୋଇଯାଇଥିବା ଚିନିକଳଗୁଡ଼ିକର ଯନ୍ତ୍ରପାତି ଆଉ କାର୍ଯ୍ୟକ୍ଷମ ହେବା ଅବସ୍ଥାରେ ନାହିଁ । ଅନେକ କ୍ଷେତ୍ରରେ କାରଖାନା ଘରସବୁ ଭୁଶୁଡ଼ିବା ଅବସ୍ଥାରେ । ତୁରନ୍ତ ଏ ସବୁର ପୁନରୁଦ୍ଧାର କରିବା ସଂଗେ ସଂଗେ ନୂଆ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ରାଜ୍ୟ ସରକାର ପୁଣି ସମବାୟ ଭିତ୍ତିରେ ରାଜ୍ୟର ଅନ୍ୟୁନ ୬ଟି ଚିନିକଳ ପ୍ରତିଷ୍ଠା କଲେ ଓଡ଼ିଶା ଏ କ୍ଷେତ୍ରରେ ବେଶ୍‍ ଲାଭବାନ ହୋଇପାରିବ ବୋଲି ଚାଷୀ ନେତାମାନେ କହୁଛନ୍ତି ।(ତଥ୍ୟ)