Home General ବନ୍ଦୀଙ୍କୁ ଡ୍ରାଇଭିଂ ତାଲିମ

ବନ୍ଦୀଙ୍କୁ ଡ୍ରାଇଭିଂ ତାଲିମ

ଭୁବନେଶ୍ୱର : ମୁକ୍ତାକାଶ କାରାଗାରରେ ଥିବା ବନ୍ଦୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ଏବେ ରାଜ୍ୟ ପରିବହନ ବିଭାଗ ଆଗେଇ ଆସିଛି । ପ୍ରଥମ ପର୍ଯ୍ୟାୟରେ ଏଠାରେ ଥିବା ୩୮ଜଣ ବନ୍ଦୀଙ୍କ ଡ୍ରାଇଭିଂ ତାଲିମ ପ୍ରଦାନ କରାଯାଉଛି ।

ଜାମୁଝରି ସ୍ଥିତି ମୁକ୍ତାକାଶ କାରାଗାରରେ ଥିବା ବନ୍ଦୀମାନେ ଏଠାକୁ ମୁକ୍ତ ହେବାପରେ କିଭଳି ରୋଜଗାର କରିପାରିବେ ସେଥିପାଇଁ ସେମାନଙ୍କୁ ଗାଡି ଚାଲନା ତାଲିମ ନେବାପାଇଁ ପ୍ରବର୍ତ୍ତାଯାଇଥିଲା । ଏଥିପାଇଁ ଅନେକ ବନ୍ଦୀ ଆଗ୍ରହ ପ୍ରକାଶ କରିଥିଲେ । ତେବେ ଆଗ୍ରହୀ ଯୁବ ବନ୍ଦୀମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଚୟନ କରାଯିବା ସହିତ ସେମାନଙ୍କୁ ଗାଡି ଚାଳନା ତାଲିମ ପ୍ରଦାନ କରାଯାଉଛି ।

ବନ୍ଦୀମାନେ କାରାଗାର ବାହାରକୁ ଯାଇ ତାଲିମ ନେବା ପରିବର୍ତ୍ତେ ସେମାନଙ୍କୁ ମୁକ୍ତାକାଶ କାରାଗାର ମଧ୍ୟରେ ତାଲିମ ଦେବାପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି । ୧୧୦ ଏକର ପରିମିତ ଏହି ମୁକ୍ତାକାଶ କାରାଗାରର ଗୋଟିଏ ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ଗାଡି ଚାଳନା ତାଲିମ ଦିଆଯାଉଛି । ଏଥିପାଇଁ ଅଭିଜ୍ଞ ଗାଡିଚାଳକ ଓ ହାଲୁକା ଚାରିଚକିଆ ତାଲିମ ଗାଡି ଯୋଗାଇ ଦିଆଯାଇଛି ।

ତାଲିମ ସମୟରେ ବନ୍ଦୀମାନଙ୍କୁ ଗାଡି ଚାଳନା ସହିତ ଏହାର ରକ୍ଷଣା ବେକ୍ଷଣ ଓ ମରାମତି ସଂକ୍ରାନ୍ତରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏପରିକି ଆକଷ୍ମିକ ବିପଦ ସ୍ଥିତିର ମୁକାବିଲା ତାଲିମ ମିଳୁଛି । ତାଲିମ ପରେ ସେମାନଙ୍କୁ ହାଲୁକା ଯାନ ଚାଳନା ଲାଇସେନ୍ସ ପ୍ରଦାନ କରାଯିବ । ଗାଡି ଚଳାଇବାର ବର୍ଷକ ପରେ ସେମାନେ ଚାହିଁଲେ ପରୀକ୍ଷା ଦେଇ ଭାରିଯାନ ଲାଇସେନ୍ସ ପାଇପାରିବେ ।

ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରାଜ୍ୟରେ ତାଲିମପ୍ରାପ୍ତ ଗାଡିଚାଳକଙ୍କ ବେଶ୍‍ ଚାହିଦା ଥିବାରୁ ଏ କ୍ଷେତ୍ରରେ ଯୁବବର୍ଗ କିଭଳି ନିଯୁକ୍ତି ସୁଯୋଗ ପାଇପାରିବେ ସେଥିପାଇଁ ରାଜ୍ୟର ୪ଟି ସ୍ଥାନରେ ସରକାର ଗାଡି ଚାଳନା ତାଲିମ ବ୍ୟବସ୍ଥା କରିଛନ୍ତି । ଏଠାରୁ ଉତ୍ତୀର୍ଣ୍ଣ ଚାଳକମାନେ ରାଜ୍ୟରେ ଥିବା ବିଭିନ୍ନ କମ୍ପାନୀରେ ଭଲ ଦରମାରେ ନିଯୁକ୍ତି ପାଉଛନ୍ତି । ତାଲିମ ସମୟରେ ସେମାନଙ୍କ ପାଇଁ ରହିବା, ଖାଇବା ଆଦି ମାଗଣାରେ ଯୋଗାଇ ଦିଆଯାଉଛି ।

ସରକାରୀ ଗାଡି ଚାଳନା ତାଲିମ କେନ୍ଦ୍ରରେ ଅଭିଜ୍ଞ ତାଲିମଦାତାଙ୍କ ଦ୍ୱାରା ପ୍ରଶିକ୍ଷଣ ସହିତ ଯାନବାହାନର ରକ୍ଷଣାବେକ୍ଷଣ ଓ ମରାମତି ଆଦି ଶିକ୍ଷା ଦିଆଯାଉଥିବାରୁ ଏଠାରୁ ବାହାରୁଥିବା ଦକ୍ଷ ଚାଳକମାନଙ୍କୁ ନିଜ ନିଜ ସଂସ୍ଥାରେ ନିଯୁକ୍ତି ଦୋବାପାଇଁ ବହୁ ବଡ ବଡ କମ୍ପାନୀ ଆଗ୍ରହ ପ୍ରକାଶ କରିବାସହିତ ତାଲିମ କେନ୍ଦ୍ର ସହ ଯୋଗାଯୋଗରେ ରହିଛନ୍ତି ।

ଗାଡି ଚାଳନା କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗକୁ ଦୃଷ୍ଟିରେ ରଖି ମୁକ୍ତାକାଶ କାରାଗାରରେ ଥିବା ବନ୍ଦୀମାନଙ୍କୁ ଗାଡି ଚାଳନା ତାଲିମ ଦେବାପାଇଁ ସରକାର ଆଗଭର ହୋଇଥିବାବେଳେ ବନ୍ଦୀମାନେ ମଧ୍ୟ ବେଶ୍‍ ଆଗ୍ରହ ଦେଖାଇଛନ୍ତି । ଏଠାରୁ ତାଲିମ ନେଇ ଯିବାପରେ ସେମାନେ ବିଭିନ୍ନ ସଂସ୍ଥାରେ ଗାଡି ଚଳାଇବେ କିମ୍ବା ନିଜେ ଋଣ ନେଇ ଗାଡି କିଣିବାପରେ ରୋଜଗାର କରିପାରିବେ । ଉଲ୍ଲେଖନୀୟ ସାଧାରଣତଃ ବନ୍ଦୀ ଜୀବନରୁ ମୁକ୍ତ ହେଉଥିବା ଲୋକେ ସହଜରେ ନିଜ ନିଜ ଅଞ୍ଚଳରେ କାମଧନ୍ଦା ପାଉନଥିବାବେଳେ ବାହାରେ ମଧ୍ୟ ସେଭଳି ରୋଜଗାର ସୁଯୋଗ ପାଇନଥାନ୍ତି । ବର୍ତ୍ତମାନ ଗାଡି ଚାଳନା ତାଲିମ ସେମାନଙ୍କ ଏକ ପ୍ରକାଶ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିବା ପରିବହନ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି । (ତଥ୍ୟ)