Home General ବନ୍ଦହୋଇ ପାରୁନି ରାସ୍ତାକଡ ମାଂସ କଟା

ବନ୍ଦହୋଇ ପାରୁନି ରାସ୍ତାକଡ ମାଂସ କଟା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ରାଜଧାନୀର ରାସ୍ତାକଡରୁ ମାଂସକଟାକୁ ରୋକାଯାଇ ପାରୁନାହିଁ । ବରଂ ଏହା ଦିନକୁ ଦିନ ଅଧିକ ଅଞ୍ଚଳକୁ ବ୍ୟାପିରେ ଲାଗିଛି ।

ରାଜଧାନୀର ରାସ୍ତାକଡରେ ମାଂସକଟା ବନ୍ଦ ପାଇଁ ବିଏମ୍‍ସି ପକ୍ଷରୁ ରାଜଧାନୀବାସୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଛି । ବିଏମ୍‍ସିର ତାଗିଦା ପରେ ଯେଉଁସବୁ ସ୍ଥାନରେ ବ୍ୟବସାୟୀମାନେ ମାଂସ କାଟୁଛନ୍ତି ସେମାନେ କିଛିଦିନ ଦୋକାନକୁ ଜରି କିମ୍ବା କପଡାରେ ଘେରାଇ ରଖୁଛନ୍ତି । ହେଲେ ପରବର୍ତ୍ତୀ ସମୟରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ।

ରାଜଧାନୀରେ ଥିବା ଏହି ସର୍ବବୃହତ୍‍ ପୌର ସଂସ୍ଥା ମହାନଗର ନିଗମ ମାନ୍ୟତା ପାଇବା ପରେ ବି ଏଠାରେ କଂସେଇଖାନାଟିଏ ହୋଇପାରିଲା ନାହିଁ । କିଛିବର୍ଷ ତଳେ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ଗାଡକଣ ମୌଜାରେ ନିର୍ମିତ କଂସେଇଖାନା ଥରୁଟିଏ ଚାଲିବା ପୂର୍ବରୁ ଅଚଳ ହୋଇଯାଇଛି । ଏଠାରେ ଥିବା ଯନ୍ତ୍ରପାତି କଳଙ୍କି ଲାଗି ଖରାପ ହୋଇଗଲାଣି । ଏହାକୁ ଚଳାଇବା କିମ୍ବା ନୂତନ କଂସେଇଖାନା ନିର୍ମାଣ ପାଇଁ କିଛି ପଦକ୍ଷେପ ନିଆଯାଉ ନାହିଁ ।

ଫଳରେ ମାଂସ ବେପାର ପାଇଁ ଯିଏ ଯେଉଁଠି ପାରୁଛି ତିନି ଖଣ୍ଡ ବାଉଁଶ ପୋତି ସର୍ବସମ୍ମୁଖରେ ଖାସି କାଟୁଛି । ଆଉ କେତେକ ବ୍ୟବସାୟୀ ଘରୁ ଛେଳି ମାରି ଆଣି ରାସ୍ତାକଡରେ ଟାଙ୍ଗି ବିକ୍ରି କରୁଛନ୍ତି । ହାଟ, ବଜାର, ଗଳିକନ୍ଦି, ବିଦ୍ୟାଳୟ ଓ ଡାକ୍ତରଖାନା ଆଖାପାଖରେ ରାତି ପାହିଲେ ଛେଳି କଟାଯାଇ ମାଂସ ବିକ୍ରି ହେଉଛି । ଲୋକଙ୍କ ଆଖିସାମ୍ନାରେ ଖାସି ସମେତ ମାଈଛେଳି ଓ ମେଣ୍ଢା ଆଦି କାଟି ବିକ୍ରି କରୁଛନ୍ତି ।

କେବଳ ରାସ୍ତାକଡରେ ଖାସି କଟାଯାଉନାହିଁ କୁକୁଡା ମାଂସର ପସରା ବି ଖୋଲି ଯାଉଛି । ରାସ୍ତାକଡରେ କୁକୁଡାମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବରେ କଟାଯାଉଛି । କେତେ ସ୍ଥାନରେ ଲୋକଙ୍କୁ ଆକର୍ଷିତ କରିବାପାଇଁ ପୋଡା ବି ଯାଉଛି । ଏମାନଙ୍କୁ ରାସ୍ତାକଡରୁ ହଟାଇବାପାଇଁ ବି କୌଣସି ଯୋଜନା ହେଉନାହିଁ । କୁକୁଡାମାଂସ ବ୍ୟବସାୟ ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ନିୟମ ନଥିବାରୁ ଯିଏ ଯେଉଁଠି ପାରୁଛି କୁକୁଡା ପର ଓ ଅନ୍ୟାନ୍ୟ ଅଂଶବିଶେଷ ଫୋପାଡି ପରିବେଶକୁ ପୂତ୍ତିଗନ୍ଧମୟ କରିବାରେ ଲାଗିଛନ୍ତି ।

ସେହିଭଳି ସହର ମଧ୍ୟରେ ଚାରି ନମ୍ବର ଅଞ୍ଚଳରେ ଥିବା ମାଛ ଗୋଦାମକୁ ସହର ବାହାରେ ଥିବା କୁଆଖାଇ ପଠାକୁ ଉଠାଇ ନେବାପାଇଁ ବିଏମ୍‍ସିର ଯୋଜନା ଏକ ପ୍ରକାର ଶୀତଳଭଣ୍ଡାରରେ ରହିଯାଇଛି । ସହର ମଝିରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ନର୍ଦ୍ଦମା ଉପରେ ମାଛ, ମାଂସ ଆଦି ବିକ୍ରି ହେଉଥିବାବେଳେ ଏ ଦିଗରେ ବିଏମ୍‍ସି କିମ୍ବା ସ୍ୱାସ୍ଥ୍ୟ ବିଭାଗ ସେଭଳି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି ।

ଗୋଟିଏ ପଟେ କଂସେଇଖାନାଟିଏ ନଥିବା ଓ ଅନ୍ୟପଟେ ସ୍ୱାସ୍ଥ୍ୟ ପ୍ରଶାସନ ଏକ ପ୍ରକାର ନିରବଦ୍ରଷ୍ଟା ସାଜିଥିବାରୁ ରାଜଧାନୀରେ ଏବେ ମୁକ୍ତାକାଶ ମାଂସ ବେପାର ବଢିବାରେ ଲାଗିଛି । ଏହାର କୁପ୍ରଭାବ ଛୋଟ ଛୋଟ ପିଲାଙ୍କ ଉପରେ ପଡୁଥିବାବେଳେ ଲୋକେ ବି ନିମ୍ନମାନର ମାଂସ କିଣି ଖାଉଛନ୍ତି । (ତଥ୍ୟ)