Home General ବନୀକରଣରେ ୧୩୦୦ କୋଟି ଖର୍ଚ୍ଚ

ବନୀକରଣରେ ୧୩୦୦ କୋଟି ଖର୍ଚ୍ଚ

ଭୁବନେଶ୍ୱର : ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ବନୀକରଣ ବାବଦରେ ପାଖାପାଖି ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ବନୀକରଣରେ ଲଗାଯାଇଥିବା ଗଛ ମଧ୍ୟରୁ ହାରାହାରି ୮୪ ପ୍ରତିଶତ ବଞ୍ଚିଛି ।

ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟରେ ୪,୫୫,୮୬୬ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି । ଏ ବାବଦରେ ମୋଟ୍‍ ୧୨୯୮ କୋଟି ୨୬ ଲକ୍ଷ ୯୮ହଜାର ଟଙ୍କା ବ୍ୟୟ ହୋଇଛି ।

ବୃକ୍ଷରୋପଣ ବାବଦରେ ସର୍ବାଧିକ ୧୪୩ କୋଟି ୭୭ଲକ୍ଷ ଟଙ୍କା କଳାହାଣ୍ଡି ଜିଲ୍ଲାରେ ବ୍ୟୟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୧୩୮ କୋଟି ୬୭ ଲକ୍ଷ ଟଙ୍କାର ଗଛ ଲାଗିଛି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁବର୍ଣ୍ଣପୁରରେ ୭୦ କୋଟି ୯୨ ଲକ୍ଷ ଟଙ୍କା, କନ୍ଧମାଳରେ ୭୧ କୋଟି ୬୬ ଲକ୍ଷ ଟଙ୍କା, ଗଞ୍ଜାମରେ ୮୬ କୋଟି ୫୧ ଲକ୍ଷ ଟଙ୍କା, ଢେଙ୍କାନାଳରେ ୬୬ କୋଟି ୨୫ ଲକ୍ଷ, ନୟାଗଡ଼ରେ ୬୩କୋଟି ୧୯ଲକ୍ଷ, କୋରାପୁଟରେ ୫୬କୋଟି ୪୫ ଲକ୍ଷ, କେନ୍ଦୁଝରରେ ୬୬ କୋଟି ୪୯ଲକ୍ଷ, ଢେଙ୍କାନାଳରେ ୬୬ କୋଟି ୨୫ ଲକ୍ଷ, ବଲାଙ୍ଗୀରରେ ୫୫ କୋଟି ୫୬ଲକ୍ଷ, ଅନୁଗୁଳରେ ୫୪କୋଟି ୪୬ ଲକ୍ଷ, ନୂଆପଡ଼ାରେ ୪୦ କୋଟି ୭୬ଲକ୍ଷ ଟଙ୍କା ବୃକ୍ଷରୋପଣ ବାବଦରେ ବ୍ୟୟ ହୋଇଛି ।

ସବୁଠାରୁ କମ୍‍ ମାତ୍ର ୨ କୋଟି ୨୫ ଲକ୍ଷ ଟଙ୍କା ବାଲେଶ୍ୱର ଜିଲ୍ଲାରେ ଖର୍ଚ୍ଚ ହୋଇଥିବା ବେଳେ ଭଦ୍ରକରେ ୨ କୋଟି ୩୩ ଲକ୍ଷ ଓ ପୁରୀ ଜିଲ୍ଲାରେ ୯ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଜଗତସିଂହପୁର ଜିଲ୍ଲାରେ ବୃକ୍ଷରୋପଣ ବାବଦରେ ୮ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ କୋଟି ଟଙ୍କାର ଗଛ ଲାଗିଛି ।

ଏହି ଅର୍ଥରେ ୨୭ କୋଟି ୨୩ଲକ୍ଷ ୩୫ହଜାରଟି ଚାରାରୋପଣ କରାଯାଇଛି । ସର୍ବାଧିକ ୧୧ କୋଟି ୩୫ ଲକ୍ଷ ଚାରା ନୂଆପଡ଼ା ଜିଲ୍ଲାରେ ଲାଗିଥିବା ବେଳେ କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲାରେ ରୋପଣ ଚାରାର ସଂଖ୍ୟା ୧ କୋଟିରୁ ଅଧିକ ରହିଛି । ଲଗାଯାଇଥିବା ଚାରା ମଧ୍ୟରୁ କୋରାପୁଟ ଜିଲ୍ଲାରେ ମାତ୍ର ୫୬ ପ୍ରତିଶତ ବଞ୍ଚିଥିବା ବେଳେ ଢେଙ୍କାନାଳରେ ୬୭ ପ୍ରତିଶତ ଓ ଗଞ୍ଜାମରେ ୭୨ ପ୍ରତିଶତ ଚାରା ବଞ୍ଚିଛି । ୯୦ ପ୍ରତିଶତରୁ ଅଧିକା ଚାରା ବଞ୍ଚିଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଗଜପତି, କେନ୍ଦୁଝର, ନୟାଗଡ଼, ପୁରୀ ଓ ସୁବର୍ଣ୍ଣପୁର ।

ତେବେ ବନୀକରଣ ଯୋଜନାରେ ହେର୍‍ଫେର୍‍ ଅଭିଯୋଗରେ ଜୟପୁର ବନଖଣ୍ଡରେ ୨ ଜଣ ଓ କେନ୍ଦୁଝର ବନଖଣ୍ଡରେ ଜଣେ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିବା ବେଳେ କୌଣସି କର୍ମଚାରୀ ଗିରଫ ହୋଇନଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।