ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ୨୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପ୍ରଥମଥର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରିଛନ୍ତି ।
ବନାଗ୍ନି ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବାବେଳେ ଏହାକୁ କିଭଳି ଆୟତ୍ତ କରାଯିବ ସେଥିପାଇଁ ବିଭିନ୍ନ ପନ୍ଥା ଆପଣାଯାଉଛି । ତେବେ ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଜନସଚେତନତା ଅପରିହାର୍ଯ୍ୟ ହୋଇଥିବାରୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ଏହି ଅର୍ଥରେ ଯନ୍ତ୍ରପାତି ଖରିଦ ସହିତ ଜଙ୍ଗଲ ଭିତରେ ଓ ଏହାର ଆଖପାଖରେ ରହୁଥିବା ଲୋକଙ୍କୁ ବନାଗ୍ନି ନିୟନ୍ତ୍ରଣ ସଂକ୍ରାନ୍ତରେ ସଚେତନ କରାଯିବ ।
ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୦ କୋଟି ଟଙ୍କା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟ ପାଇଁ ସ୍ୱତନ୍ତ୍ର ଭାବେ ୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଉଲ୍ଲେଖନୀୟ ଯେ ଗ୍ରୀଷ୍ମଋତୁରେ ଶିମିଳିପାଳ ଜଙ୍ଗଲର ଅନେକ ସ୍ଥାନରେ ନିଆଁ ଲାଗି ଯାଉଛି । ଏହାକୁ ନିୟନ୍ତ୍ରଣ କରିବା କାଠିକରପାଠ ହେଉଥିବାବେଳେ ଏଥିପାଇଁ ଅଧିକ ଅର୍ଥ ଯୋଗାଇବାକୁ ଦାବିହୋଇ ଆସୁଥିଲା । ତାହାକୁ ଦୃଷ୍ଟିରେ ରଖି ଶିମିଳିପାଳ ପାଇଁ ସ୍ୱତନ୍ତ୍ର ଭାବେ ଅର୍ଥ ମଞ୍ଜୁର ହୋଇଛି ।
ଉଲ୍ଲେଖନୀୟ ଯେ ଇତି ମଧ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷକରି ସାଟେଲାଇଟ୍ରୁ ଉତ୍ତୋଳିତ ଚତ୍ରକୁ ଆଧାର କରି ନିଆଁ ଆୟତ୍ତ ପାଇଁ ପଦକ୍ଷେପ ନିଆଯାଉଛି । ଜଙ୍ଗଲର କୌଣସି ସ୍ଥାନରେ ନିଆଁ ଲାଗିଲେ ତୁରନ୍ତ ତାହା ସାଟେଲାଇଟ୍ କ୍ୟାମେରାରେ ଉତ୍ତୋଳିତ ହୋଇଯାଉଛି । ଏ ଫଟୋକୁ ପାଇବାପରେ ତାହାକୁ ତୁରନ୍ତ ସମ୍ପୃକ୍ତ ବନଖଣ୍ଡ ଅଧିକାରୀଙ୍କୁ ନିକଟକୁ ପଠାଯାଉଛି । ନିଆଁ ଲାଗିଥିବା ସ୍ଥାନର ସଠିକ୍ ସୂଚନା ଓ ସଚିତ୍ର ତଥ୍ୟ ପାଇବାପରେ ଅଧିକାରୀମାନେ ସହଜରେ ନିଆଁକୁ ଆୟତ କରିପାରୁଛନ୍ତି ।
ସେହିଭଳି ବିଭିନ୍ନ ବନଖଣ୍ଡ ଭିତରେ ଓ ଏହାର ଆଖପାଖରେ ରହୁଥିବା ଯୁବକମାନଙ୍କୁ ନେଇ ସଚେତନତା କ୍ଲବ ଗଠନ କରାଯାଇଛି । ଏମାନେ ଜଙ୍ଗଲ ନିଆଁର କୁପ୍ରଭାବ ବିଷୟରେ ଲୋକଙ୍କୁ ବୁଝାଇବା ସହିତ ବନଅଧିକାରୀଙ୍କ ସହ ମିଳିତ ଭାବେ ଅଗ୍ନି ନିୟନ୍ତ୍ରଣ ପାଇଁ ଲୋକଙ୍କୁ ତାଲିମ ଦେଉଛନ୍ତି । ଏହା ଫଳରେ ବହୁ ସ୍ଥାନରେ ନିଆଁକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରୁଛି । ଉଲ୍ଲେଖନୀୟ ଯେ ଜଙ୍ଗଲ ଆଖପାଖରେ ରହୁଥିବା ଲୋକେ ପୋଡୁଚାଷ ସହିତ ଶିକାର ପାଇଁ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ଅଭିଯୋଗ ବାରମ୍ବାର ହୋଇଆସୁଛି ।
ବର୍ତ୍ତମାନ ରାଜ୍ୟ ସରକାର ବନାଗ୍ନି ନିୟନ୍ତ୍ରଣ ପାଇଁ ୨୦କୋଟି ଟଙ୍କା ମଞ୍ଜୁର କରିଥିବାରୁ ଆଗାମୀ ଦିନରେ ଏହା ରାଜ୍ୟର ୫୨ଟି ବନଖଣ୍ଡ ଅଞ୍ଚଳରେ ଗ୍ରୀଷ୍ମଋତୁରେ ଦେଖାଯାଉଥିବା ନିଆଁକୁ ଆୟତ କରିବାରେ ବେଶ୍ ସହାୟକ ହେବବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)