Home General ବଦଳୁଛି ଚାଷ ଜମି କିସମ

ବଦଳୁଛି ଚାଷ ଜମି କିସମ

ଭୁବନେଶ୍ୱର : ଚାଷ ବାସ ପାଇଁ ଥିବା ଜମିର ଯେଭଳି କିସମ ପରିବର୍ତ୍ତନ ହେଉଛି ତାହା ଜାରି ରହିଲେ ଆଗାମୀ ଦିନରେ ଚାଷଜମିର ପରିମାଣ ଅହେତୁକ ଭାବେ ହ୍ରାସ ପାଇବ । ଗତ ୫ବର୍ଷ ମଧ୍ୟରେ କେବଳ ୧୩ଟି ଜିଲ୍ଲାରେ ୨୯ହଜାର ଏକରରୁ ଅଧିକ ଚାଷଜମିର କିସମ ପରିବର୍ତ୍ତନ ହୋଇଥିବା ସରକାରୀ ହିସାବରୁ ଜଣାଯାଇଛି ।

ଏହି ସୂଚନା ଅନୁଯାୟୀ ରାଜ୍ୟର ୧୩ଟି ଜିଲ୍ଲା ଯଥା ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ଗଜପତି, କେନ୍ଦ୍ରାପଡା, ଅନୁଗୁଳ, ଯାଜପୁର ଓ ରାୟଗଡା ଜିଲ୍ଲାରେ ଚାଷଜମିର ବିଭିନ୍ନ ବ୍ୟବହାର ପାଇଁ କିସମ ପରିବର୍ତ୍ତନ ହେବାରେ ଲାଗିଛି । ଏଥି ମଧ୍ୟରେ ଘର ତିଆରି ସହିତ ଶିଳ୍ପ ସ୍ଥାପନା ଆଦି ରହିଛି ।

ଏହି ସମୟ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୬୩୬୬ ଚାଷ ଜମିର କିସମ ପରିବର୍ତ୍ତନ ହୋଇଥିବାବେଳେ ଏହି ସମସ୍ତ ଜମି ପ୍ରାୟତଃ ଘରବାରି କିସମକୁ ବଦଳିଛି । ସେହିଭଳି ଅନୁଗୁଳ ଜିଲ୍ଲାରେ ୪୫୮୯ ଏକର ଚାଷ ଜମିର କିସମ ପରିବର୍ତ୍ତନ ହୋଇଥିବାବେଳେ ଏôତରୁ ୧୪୮୧ ଏକର ଘରବାରି ପାଇଁ ଏବଂ ଅବଶିଷ୍ଟ ଜମି ଶିଳ୍ପ ପାଇଁ ବଦଳାଯାଇଛି । ସମ୍ବଲପୁର ଜିଲ୍ଲାରେ କିସମ ବଦଳିଥିବା ୪୧୧୮ ଏକର ଜମି ମଧ୍ୟରୁ ୩୯୪୬ ଏକର ଜମି ଘରବାରି ଉଦ୍ଦେଶ୍ୟରେ ହୋଇଥିବାବେଳେ ସୁନ୍ଦରଗଡରେ କିସମ ପରିବର୍ତ୍ତନ ହୋଇଥିବା ୧୮୪୫ ଏକର ଜମି ମଧ୍ୟରୁ ୧୮୦୬ ଏକର ଘରବାରିକୁ ରୂପାନ୍ତରିତ ହୋଇଛି । ଯାଜପୁର ଜିଲ୍ଲାରେ କିସମ ବଦଳିଥିବା ୧୯୨୦ ଏକର ଜମି ମଧ୍ୟରୁ ଘରବାରି ପାଇଁ ୧୮୫୯ ଏକର ଜମି ବଦଳାଯାଇଥିବା ଜଣାଯାଇଛି ।

ଏହିସବୁ ଜିଲ୍ଲାରେ ଚାଷଜମି ଅପେକ୍ଷା ଘରବାରି ଜମିର ମୂଲ୍ୟ ଅଧିକ ହୋଇଥିବା ଏବଂ ବିଲଡରମାନେ ଚଢା ଦରରେ ଏହାକୁ କିଣୁଥିବାରୁ ଲୋକେ ଚାଷ ଜମିର କିସମ ପରିବର୍ତ୍ତନ କରି ବିକ୍ରିକରି ଦେଉଛନ୍ତି । ସେହିଭଳି ଶିଳ୍ପସଂସ୍ଥାମାନେ ମଧ୍ୟ ନିଜପାଇଁ ଆବଶ୍ୟକ ହେଉଥିବା ଜମିକୁ ଚଢା ଦରରେ କିଣୁଥିବାରୁ ଲୋକେ ମଧ୍ୟ ନିଜ ନିଜର ଚାଷଜମିର କିସମ ବଦଳାଇ ସେମାନଙ୍କୁ ବିକ୍ରି କରୁଛନ୍ତି । ଆବଶ୍ୟକ କିସମ ବଳାଇବା କ୍ଷେତ୍ରରେ ନିର୍ମାଣକାରୀ ସଂସ୍ଥା ଓ ଶିଳ୍ପସଂସ୍ଥାମାନେ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ।

ଯେଉଁଠାରେ ଅଣକୃଷି କାର୍ଯ୍ୟପାଇଁ ଚାଷଜମିର କିସମ ବଦଳ ହୋଇ ବିକ୍ରି ହେଉଛି ସେଠାରେ ଏହି ଜମିର ଆଖପାଖରେ ଥିବା ଚାଷଜମି ମଧ୍ୟ ପଡିଆ ପଡୁଛି । କାରଣ ଜମି କିଣୁଥିବା ବ୍ୟକ୍ତି ବା ସଂସ୍ଥା ତାହା ଉପରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ନିକଟରେ ଥିବା ଜମିକୁ ଆଉ ବାଟ ରହୁନାହିଁ । ଫଳରେ ଚାଷୀମାନେ ଆଉ ନିଜ ଜମିକୁ ଯାଇପାରୁ ନାହାନ୍ତି କି ଜମିକୁ ପାଣି ମାଡୁନାହିଁ । ପରବର୍ତ୍ତୀ ସମୟରେ ସେହିସବୁ ଜମିର ମାଲିକମାନେ ବାଧ୍ୟହୋଇ ନିଜ ନିଜ ଚାଷଜମିକୁ ବିଲଡର କିମ୍ବା ଶିଳ୍ପପତିଙ୍କ ହାତରେ ଟେକି ଦେଉଛନ୍ତି ।

ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ସହରର କଳେବର ଗାଁ ମୁହାଁ ହୋଇଥିବାରୁ ଓ ଗାଁରେ ଶସ୍ତାରେ ଜମି ମିଳୁଥିବାରୁ ବ୍ୟବସାୟୀମାନେ ଏକର ଏକର ଚାଷଜମି କିଣି ତାହାକୁ ପଡିଆ ପକାଇ ରଖୁଛନ୍ତି । ଦର ବଢିଲେ ତାହାକୁ ବିକ୍ରିକରି ଦେଉଛନ୍ତି । ଏଥିରେ ଅନେକ ପରିମାଣରେ କଳାଧନର ବି ବ୍ୟବହାର ହେଉଛି । ତେଣୁ କିସମ ବଦଳୁଥିବା ଚାଷ ଜମି ଉପରେ ସରକାର ତୀକ୍ଷ୍ଣ ନଜର ରଖିଲେ ଆଗାମୀ ଦିନରେ ଚାଷଜମିର ପରିମାଣ ହ୍ରାସ ପାଇବା ସହିତ ରାଜ୍ୟର କୃଷି ଉତ୍ପାଦନ ଉପରେ ଏହାର ଗୁରୁତର ପ୍ରଭାବ ପଡିବ ବୋଲି କୃଷି ବିଶେଷଜ୍ଞମାନେ ଚେତାବନୀ ଦେଲେଣି । (ତଥ୍ୟ)