ଭୁବନେଶ୍ୱର : ରାଜନୈତିକ ଚାପରେ ଡାକ୍ତର ବଦଳି କରି ଗଜପତି ସିଡିଏମଓ ହରଡଘଣାରେ ପଡିଛନ୍ତି । ଏହି ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରି ସିଡିଏମଓଙ୍କ ବଦଳି ଆଦେଶ ଉପରେ ରହିତାଦେଶ ଜାରି କରିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏ ଘଟଣାରେ ବିସ୍ମୟ ପ୍ରକାଶ କରିଛି ।
ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଏନ.ଜୟପ୍ରକାଶ କାର୍ଯ୍ୟରତ ଅଛନ୍ତି । ଏହି ଡାକ୍ତରଖାନାରେ ଆଗରୁ କାର୍ଯ୍ୟ କରୁଥିବା ଭାରପ୍ରାପ୍ତ ଅଧିକାରୀ ଉଚ୍ଚଶିକ୍ଷା ପାଇଁ ଛୁଟିରେ ଯିବାରୁ ତାଙ୍କ ସ୍ଥାନରେ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ତତ୍ୱବଧାରକ ସବୁଠାରୁ ବରିଷ୍ଠ ଚିକିତ୍ସକ ଡାକ୍ତର ଏନ.ଜୟପ୍ରକାଶଙ୍କୁ ଦାୟିତ୍ୱ ଅର୍ପଣ କରିବା ସହିତ ଏକ କ୍ୱର୍ଟର ଆବଣ୍ଟନ କରିଥିଲେ ।
ତେବେ ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ହଠାତ୍ ଅନ୍ୟଏକ ନିର୍ଦ୍ଦେଶନାମା ଜାରିକରି ମାନ୍ୟବର ସାଂସଦଙ୍କ ସୁପାରିଶ୍ କ୍ରମେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଏନ.ଶିବରାମଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି କରିବା ସଂଗେ ସଂଗେ ତାଙ୍କୁ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଘୋଷଣା କରିଥିଲେ ଏବଂ ଡକ୍ଟର ଏନ.ଜୟପ୍ରକାଶ ଡକ୍ଟର ଏନ.ଶିବରାମଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହ ଡାକ୍ତର ଜୟପ୍ରକାଶଙ୍କ ନାମରେ ଆବଣ୍ଟିତ ସରକାରୀ କ୍ୱାର୍ଟର ଡାକ୍ତର ଶିବରାମଙ୍କୁ ଦିଆଗଲା ବୋଲି ତାଙ୍କ ନିର୍ଦ୍ଦଶନାମାରେ ଉଲ୍ଲେଖ କରିଥିଲେ ।
ସାଂସଦଙ୍କ ସୁପାରିଶ୍ କ୍ରମେ ମୋହନାରୁ ଚନ୍ଦ୍ରଗିରିକୁ ସିଡିଏମଓଙ୍କ ଦ୍ୱାରା ବଦଳି ହୋଇ ଆସିଥିବା ଡାକ୍ତର ଶିବରାମ ବରିଷ୍ଠତା ଭିତ୍ତିରେ ଡାକ୍ତର ଏନ.ଜୟପ୍ରକାଶଙ୍କ ଠାରୁ ଢେର ତଳେ ଥିବାରୁ ସେ କିଭଳି ଉଚ୍ଚ ପଦବୀରେ ରହିବେ ଏବଂ ବରିଷ୍ଠ ଡାକ୍ତର ଜଣଙ୍କ କେମିତି କନିଷ୍ଠଙ୍କ ଅଧିନରେ କାମ କରିବେ ଓ ତାଙ୍କ ମିଳିଥିବା କ୍ୱାଟର୍ସ କିପରି କନିଷ୍ଠ ଡାକ୍ତରଙ୍କୁ ଦିଆଯିବ ଏ ସମ୍ପର୍କରେ ଡାକ୍ତର ଜୟପ୍ରକାଶ ଆପତ୍ତି ଉଠାଇଥିଲେ । ତେବେ ଏ ପ୍ରସଙ୍ଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୌଣସି ପଦକ୍ଷେପ ନନେବାରୁ ଡାକ୍ତର ଜୟପ୍ରକାଶ ଦାୟିତ୍ୱ ହସ୍ତାନ୍ତର ନକରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।
ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଏ.କେ.ମହାପାତ୍ର ମାମଲାଟିକୁ ବିଚାରପାଇଁ ଗ୍ରହଣ କରି ରାଜ୍ୟ ସରକାର ଓ ଅନ୍ୟ ଅଧିକାରୀମାନଙ୍କୁ ଉତ୍ତର ଦାଖଲ ପାଇଁ ନୋଟିସ୍ ଜାରି କରିବା ସହ ସାଂସଦଙ୍କ ସୁପାରିଶ୍ ଆଧାରରେ ସିଡିଏମଓ ଜାରି କରିଥିବା ଆଦେଶନାମା ଉପରେ ରହିତାଦେଶ ଜାରି ଜରିଛନ୍ତି ।
ଏଭଳି ଘଟଣାରେ ସାଂସଦଙ୍କ ନାମ ଆଦେଶନାମାରେ ସିଡିଏମଓ ବ୍ୟବହାର କରିଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଜଣାପଡିବା ପରେ ଇତି ମଧ୍ୟରେ ସିଡିଏମଓ ତାଙ୍କ ପୂର୍ବ ଆଦେଶ ପ୍ରତ୍ୟାହାର କରି ନେବାରୁ ଡାକ୍ତର ଜୟପ୍ରକାଶ ଏବେ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ତେବେ କେଉଁ ପରିସ୍ଥିତିରେ ସିଡିଏମଓ ସାଂସଦଙ୍କ ନାମ ବ୍ୟବହାର କରି ଏଭଳି ନିର୍ଦ୍ଦେଶନାମା ଜାରି କରି କନିଷ୍ଠ ଡାକ୍ତରଙ୍କ ଅଧିନରେ ବରିଷ୍ଠ ଡାକ୍ତରଙ୍କୁ କାମ କରିବାପାଇଁ ଆଦେଶ ଦେଇଥିଲେ ଓ ବରିଷ୍ଠ ଡାକ୍ତରଙ୍କୁ ଆବଣ୍ଟନ କରାଯାଇଥିବା କ୍ୱାଟର୍ସ ଅନ୍ୟଜଣେ କନିଷ୍ଠ ଡାକ୍ତରଙ୍କୁ ଆବଣ୍ଟିତ କଲେ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଖୋଳତାଡ ଆରମ୍ଭ କରିଛନ୍ତି ।
ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ୍ ମାସରେ ହେବାକୁ ଥିବାବେଳେ ସିଡିଏମଓଙ୍କୁ ପଦକ୍ଷେପକୁ ସମର୍ଥନ କରି ରାଜ୍ୟ ସରକାର ଜବାବ ଦାଖଲ କରିବା ସମ୍ଭବପର ହେଉନଥିବାରୁ ସମ୍ପୃକ୍ତ ଡାକ୍ତରଙ୍କୁ ମାମଲା ପ୍ରତ୍ୟାହାର ଲାଗି ଚାପ ପଡୁଥିବା ଅଭିଯୋଗ ହେଉଛି । ଆବେଦନକାରୀ ଡାକ୍ତରଙ୍କ ପକ୍ଷରୁ ଓଡିଶା ହାଇକୋର୍ଟରେ ଏହି ମାମଲା ପରିଚାଳନା କରୁଛନ୍ତି ଜଣାଶୁଣା ଆଇନ୍ଜୀବୀ ଅମୀୟ କୁମାର ଛାଟୋଇ । (ତଥ୍ୟ)