ଭୁବନେଶ୍ୱର : ରାଜ୍ୟ ସରକାର ତାଙ୍କ ବିହନ ଖରିଦ ନୀତିରେ ପରିବର୍ତ୍ତନ ଯୋଗୁଁ ଓଡିଶା ରାଜ୍ୟ ବିହନ ନିଗମର ସ୍ଥିତି ସୁଦୃଢ ହେବାରେ ଲାଗିଛି । ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ସରକାର ଏବେ ଆବଶ୍ୟକ ସମସ୍ତ ପ୍ରକାର ବିହନ ଓଡିଶା ରାଜ୍ୟ ବିହନ ନିଗମରୁ ଖରିଦ କରିବେ ।
ବିହନ ଖରିଦ ନୀତିରେ ପରବର୍ତ୍ତନ ଯୋଗୁଁ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ବିହନ ନିଗମ ୧୮୬ କୋଟି ଟଙ୍କାର କାରବାର କରି ପ୍ରାୟ ଦେଢ କୋଟି ଟଙ୍କା ଲାଭ କରିଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ନିଗମର ବ୍ୟବସାୟ ୨୦୯ କୋଟି ଟଙ୍କାରେ ପହଞ୍ଚିଛି । କାରବାର ବୃଦ୍ଧି ସହିତ ନିଗମ ଲାଭ ମଧ୍ୟ ୩ କୋଟି ଟଙ୍କା ହୋଇଛି । ଫଳରେ ନିଗମ ଏବେ ବ୍ରୋଞ୍ଜ ପର୍ଯ୍ୟାୟରୁ ରୌପ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଜଣାଯାଇଛି ।
ଉଲ୍ଲେଖନୀୟ ଯେ ଗତ କିଛିବର୍ଷ ଧରି ବିହନ ନିଗମ କେବଳ ଧାନ ବିହନ ଯୋଗାଣ ଉପରେ ଗୁରୁତ୍ୱ ଦେଉଥିଲା । ବିହନ ଚାଷୀଙ୍କ ଠାରୁ ଧାନ ବିହନଖରିଦ କରି ଏହାକୁ ପ୍ରକ୍ରିୟାକରଣ କରିବାପରେ ଚାଷୀଙ୍କୁ ଯୋଗାଉଥିଲା । ତେବେ ସରକାରୀ ବିହନ ଉପରେ ଚାଷୀଙ୍କର ଭରସା ରହିଥିବା ନିଗମ ବିହନର ଗୁଣମାନ ଉପରେ ଗୁରୁତ୍ୱ ଦେଉଥିବାରୁ ଏହାର ଧାନ ବିହନ ଭଲ ବିକ୍ରି ହେଉଥିଲା ।
ତେବେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ କିନ୍ତୁ ଆବଶ୍ୟକ ସମସ୍ତ ପ୍ରକାର ପନିପରିବା ମଞ୍ଜି ଟେଣ୍ଡର ଜରିଆରେ କ୍ରୟ କରୁଥିଲେ । ଏଥିରେ ରାଜ୍ୟ ବାହାରର ବ୍ୟବସାୟୀମାନେ ମାଲେମାଲ ହେଉଥିବାବେଳେ ବିହନର ଗୁଣମାନକୁ ନେଇ ବି ବାରମ୍ବାର ଅଭିଯୋଗ ଆସୁଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟକୁ ବିହନ ଯୋଗାଇବାପାଇଁ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ଏକାଧିକ ନାମରେ ଟେଣ୍ଡର ପକାଇ ଯୋଗାଣକାରୀ ସାଜିବା ସରକାରଙ୍କ ନଜରକୁ ଆସିବାପରେ ଗତ ରବି ଋତୁଠାରୁ ସରକାର ବିହନ ଖରିଦ ନୀତିରେ ପରିବର୍ତ୍ତନ କରିଛନ୍ତି । ଏଣିକି ସମସ୍ତ ସରକାରୀ ସଂସ୍ଥା ଓଡିଶା ବିହନ ନିଗମରୁ ବାଧ୍ୟତାମୂଳକ ଭାବେ ବିହନ ଖରିଦ କରିବେ । ଯଦି କୌଣସି ବିହନର ଗୁଣମାନରେ କିଛି ଆପତ୍ତି ଅଭିଯୋଗ ଆସେ ସେଥିପାଇଁ ବିହନ ନିଗମ ଦାୟୀ ରହିବ ।
ଏଭଳି ନୀତି ଫଳରେ ରାଜ୍ୟ ବିହନ ନିଗମର କାରବାର ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ ରାଜ୍ୟର ଚାଷୀମାନେ କିଭଳି ଉଚ୍ଚମାନର ବିହନପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ଓଡିଶାରେ ଧାନକୁ ବାଦ୍ ଦେଲେ ପନିପରିବା ଓ ଅନ୍ୟାନ୍ୟ ବିହନ ଉତ୍ପାଦନ ହେଉନଥିବାରୁ ବିହନ ନିଗମ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଟେଣ୍ଡର ଜରିଆରେ ବିହନ ଖରିଦ ପାଇଁ ବାଧ୍ୟ ହେବେ । ହେଲେ କୃଷି ବିଭାଗ ପକ୍ଷରୁ ଏବେ ଚାଷୀମାନଙ୍କୁ ପନିପରିବା ବିହନ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯାଉଥିବାରୁ ବିହନ ନିଗମ ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ସ୍ଥିର କରିଛି । ଧାନ ବିହନ କ୍ଷେତ୍ରରେ ଯେଭଳି ବିହନ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇଛି ପନି ପରିବା ବିହନଉତ୍ପାଦନ କ୍ଷେତ୍ରରେ ଅନୁରୂପ ପଦକ୍ଷେପ ଗ୍ରହଣ ଲାଗି ନିଗମ ମନ ସ୍ଥିର କରିଥିବା ସୂଚନା ମିଳିଛି । (ତଥ୍ୟ)