ଭୁବନେଶ୍ୱର : ଓଡିଶାର ବିଶ୍ୱବିଦ୍ୟାଳୟ ଗୁଡିକରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଘେନି ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦୂର କରିବାଲାଗି ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ସମୟରେ ବିଶ୍ୱବିଦ୍ୟାଳୟର ପ୍ରଚଳିତ ଆଇନ୍ରେ ସଂଶୋଧନ ଲାଗି ସ୍ୱତନ୍ତ୍ର ବିଧେୟକ ଆସିପାରେ । ଏଥିଘେନି ସରକାରୀ ସ୍ତରରେ କସରତ ଆରମ୍ଭ ହୋଇଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱବିଦ୍ୟାଳୟ ଆଇନ୍ରେ ରାଜ୍ୟ ସରକାର ୨୦୨୦ ମସିହାରେ ସଂଶୋଧନ ଆଣି ବିଭିନ୍ନ ପଦ ପଦବୀ ଲାଗି ପ୍ରାର୍ଥୀ ଚୟନ କ୍ଷମତା ବିଶ୍ୱବିଦ୍ୟାଳୟ ହାତରୁ କାଢି ନେଇଥିଲେ । ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏବଂ ଏହି ମାମଲା ବିଚାରାଧିନ ଥିବା ଦୃଷ୍ଟିରୁ ଅଧ୍ୟାପକଙ୍କ ଠାରୁ ଆରମ୍ଭକରି କୁଳପତିଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇ ପାରୁନାହିଁ ।
ଏବେ ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲି ପଡିଛି । ଦୁଇଟି ବିଶ୍ୱବିଦ୍ୟାଳୟ ଓଏସ୍ଡିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଆଉ ୩ଟି ବିଶ୍ୱବିଦ୍ୟାଳୟର କୁଳପତି ନଥିବାରୁ ଅନ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଏଗୁଡିକର ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି । ଆସନ୍ତା ନଭେମ୍ବର ମାସରେ ଆଉ ୪ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲିହେବାକୁ ଯାଉଥିବାବେଳେ ୨୦୨୫ରେ ୫ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲି ହେବ ବୋଲି ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।
ଏହାଛଡା ଆମ ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରାୟ ୬୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡିଥିବାବେଳେ ୭୦ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଛି । ଉତ୍କଳ, ରେଭେନ୍ସା, ସମ୍ବଲପୁର, ବ୍ରହ୍ମପୁର ସମେତ ଅଧିକାଂଶ ବିଶ୍ୱବିଦ୍ୟାଳୟରେ ବ୍ୟାପକ ସଂଖ୍ୟକ ପ୍ରଫେସର ପଦବୀ ଖାଲି ପଡିଥିବାବେଳେ ସହକାରୀ ଓ ସହଯୋଗୀ ପ୍ରଫେସର ପଦବୀରେ ମଧ୍ୟ ବହୁ ଆସନ ଖାଲି ରହିଛି ।
ଇତି ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖି ରାଜ୍ୟ ସରକାର ପ୍ରଚଳିତ ଆଇନ୍ରେ ସଂଶୋଧନ ଆଣି ୟୁଜିସି ମାର୍ଗ ନିର୍ଦ୍ଦେଶିକା ଆଧାରରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକ ଲାଗି ପୂର୍ବଭଳି ନିଯୁକ୍ତି ପ୍ରକ୍ରିୟା କରିବାପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା କରାଗଲେ ୟୁଜିସି ସୁପ୍ରିମ୍କୋର୍ଟରୁ ସହଜରେ ମାମଲା ପ୍ରତ୍ୟାହାର କରିନେବ ଏବଂ ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକରେ ସୃଷ୍ଟି ହୋଇଥିବା ଉତ୍କଟ ଶିକ୍ଷକ ମରୁଡି ଅବସ୍ଥାର ସମାଧାନ ହୋଇପାରିବ ।
ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ମସିହାରେ ସେତେବେଳର ବିଜେଡି ସରକାର ଅମଳରେ ଯେଉଁ ଆଇନ୍ଗତ ବ୍ୟବସ୍ଥା କରାଯାଇଥିଲା ତାହାକୁ ବିଜେପି ଖୋଲାଖୋଲି ଭାବେ ବିରୋଧ କରୁଥିଲା । ଓଡିଶାରେ ବିଜେପି ସରକାର ଗଠିତ ହେବାର ୫ମାସ ପୂରିବାକୁ ଯାଉଥିବାବେଳେ ଖୁବ୍ଶୀଘ୍ର ଏ ପ୍ରସଙ୍ଗରେ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିପାରନ୍ତି । ଅନେକ ପ୍ରାକ୍ତନ କୁଳପତି, ପ୍ରଫେସର ଓ ବୁଦ୍ଧିଜୀବୀ ସେ ସମୟରେ ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନ୍କୁ ବିରୋଧ କରୁଥିଲେ ।
ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ଯେ ପୂର୍ବରୁ ଅନୁରୂପ ମାମଲାରେ ସୁପ୍ରିମ୍କୋର୍ଟଙ୍କ ଯେଉଁ ରାୟର ନଜିର ରହିଛି ସେହି ଆଧାରରେ ଓଡିଶା ସରକାରଙ୍କ ୨୦୨୦ର ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ୍ କାଟ୍ ଖାଇଯିବା ସମ୍ଭାବନା ଅଧିକ । ଗୋଟିଏ ପଟେ ଶିକ୍ଷକ ଅଭାବରୁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟ ବ୍ୟାହତ ହେଉଥିବାବେଳେ ଅନ୍ୟ ପକ୍ଷରେ ଅଣଶିକ୍ଷକ କର୍ମଚାରୀ ଅଭାବରୁ ବିଶ୍ୱବିଦ୍ୟାଳୟଗୁଡିକର ପ୍ରଶାସନିକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି । (ତଥ୍ୟ)