Home Administration ବଦଳିବେ ଅଧିକାରୀ

ବଦଳିବେ ଅଧିକାରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ୩ଜଣ ଉପଦେଷ୍ଟା ଇସ୍ତଫା ଦେଇଥିବାବେଳେ ଖୁବ୍‍ଶୀଘ୍ର ରାଜନୈତିକ ଭିତ୍ତିରେ ନିଯୁକ୍ତି ପାଇଥିବା ବିଭିନ୍ନ ବିଭାଗର ଉପଦେଷ୍ଟା ଏବଂ ସରକାରୀ ସଂସ୍ଥା ଏବଂ ନିଗମ ଗୁଡିକର ମୁଖ୍ୟମାନେ ନିଜଆଡୁ ପଦବୀ ଛାଡିବାକୁ ଯାଉଛନ୍ତି । ଏମାନେ ନିଜେ ନିଜେ ଓହରି ନଗଲେ ବିଜେପି ସରକାର ଏମାନଙ୍କୁ ହଟାଇବା ପାଇଁ ବାଧ୍ୟ ହେବେ ।

ସୁରେଶ ମହାପାତ୍ର, ଆର୍‍. ବାଲକ୍ରିଷ୍ଣନ୍‍, ଉପେନ୍ଦ୍ର ତ୍ରିପାଠୀ, ମନୋଜ ମିଶ୍ରଙ୍କ ଭଳି ୪ଜଣ ଅବସରପ୍ରାପ୍ତ ଅଧିକାରୀ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଇସ୍ତଫା ଦେଇସାରିଛନ୍ତି । ତେବେ ସରକାରୀ ଚାକିରୀ ଛାଡି ରାଜନୀତି କ୍ଷେତ୍ରରେ ପାଦ ଥାପିଥିବା ଭି. କାର୍ତ୍ତିକେୟନ୍‍ ପାଣ୍ଡିଆନ୍‍ ତାଙ୍କ ପଦବୀରୁ ଏଯାବତ୍‍ ଇସ୍ତଫା ଦେଇନାହାନ୍ତି । ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ‘୫-ଟି’ ସଚିବ ଦାୟିତ୍ୱ ନେଇଥିଲେ ।

ଏହି ପୂର୍ବତନ ଆଇଏଏସ୍‍ ଅଫିସର ଜଣକ ସରକାରୀ ଚାକିରୀରୁ ଅବ୍ୟାହତି ନେବାପରେ ବିଜେଡିରେ ଯୋଗଦେଇ ବ୍ୟାବିନେଟ୍‍ ପାହ୍ୟା ସହିତ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହୋଇଥିଲେ । ବିଜେଡିର ସଙ୍ଗଠନ ଏବଂ ନିର୍ବାଚନ ପରିଚାଳନା ତଥା ପ୍ରଚାରର ମଙ୍ଗ ସେ ତାରକା ପ୍ରଚାରକ ଭାବେ ଧରିଥିଲେ । ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଏବେ ତାଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି । ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଆଉ ଯେଉଁମାନଙ୍କୁ ଅବସର ପରେ ନିଯୁକ୍ତି ଦିଆଯାଇଥିଲା ସେମାନେ ବି ଓହରି ଯାଇପାରନ୍ତି ।

ବିଜେଡିର ବହୁ ନେତା ଓ ନେତ୍ରୀଙ୍କୁ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ରଖାଯାଇଥିଲା । ଏହାଛଡା ବିଭିନ୍ନ ସରକାରୀ ନିଗମ, ବୋର୍ଡ ଓ ଅନ୍ୟାନ୍ୟ ସଂସ୍ଥାରେ ଯେଉଁମାନଙ୍କୁ ରାଜନୈତିକ ନିଯୁକ୍ତି ମିଳିଥିଲା ସେମାନଙ୍କ ଭିତରୁ ଅଧିକାଂଶ ଏଯାବତ୍‍ ପଦପଦବୀ ଛାଡି ନାହାନ୍ତି । ବିଜେପି ନେତାମାନେ କହୁଛନ୍ତି ଯେ ଆତ୍ମ ସମ୍ମାନର ସହ ଏମାନେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ପରେ ଇସ୍ତଫା ଦେଇଦେବା କଥା । କିନ୍ତୁ ଯଦି ଏମାନେ ଇସ୍ତଫା ନଦିଅନ୍ତି ତେବେ ନୂଆ ସରକାର ସେମାନଙ୍କୁୁ ହଟାଇବାକୁ ବାଧ୍ୟ ହେବେ ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଆସନ୍ତା ୧୦ ତାରିଖରେ ଶପଥ ଗ୍ରହଣ କରିବେ । ବିଜେଡି ସରକାରର ନେତା ଓ ମନ୍ତ୍ରୀମାନଙ୍କ ପାଖଲୋକ ଥିବା ବହୁ ଅଧିକାରୀ ଏବେ ସେମାନଙ୍କ ଭବିଷ୍ୟତ ଲାଗି ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ନିକଟକୁ ଫୁଲତୋଡା ଓ ମିଠା ପ୍ୟାକେଟ୍‍ ଧରି ଦୌଡୁଥିବାର ରୋଚକ ଦୃଶ୍ୟ ଦେଖିବାକୁ ମିଳୁଛି ।

ନୂଆ ବିଜେପି ସରକାର ଗଠନ ପରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଆଡଭୋକେଟ୍‍ ଜେନେରାଲ ଆଦି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଲାଗି ପଦକ୍ଷେପ ନିଆଯିବାର ସୂଚନା ମିଳିଲାଣି । ଚଳିତମାସରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ପୁରୁଛି । ସେହିଭଳି ବର୍ତ୍ତମାନର ପୁଲିସ ଡିଜି ମଧ୍ୟ ଅସ୍ଥାୟୀଭାବେ ରହିଛନ୍ତି । ବିଧିବ୍ୟବସ୍ଥା ମୁତାବକ ଏହି ଦୁଇ ଶୀର୍ଷ ପଦବୀରେ ସ୍ଥାୟୀ ନିଯୁକ୍ତି ଖୁବ୍‍ଶୀଘ୍ର ଦିଆଯିବାକୁ ଥିବାରୁ ଆଶାୟୀମାନେ ତତ୍ପରତା ପ୍ରକାଶ କରୁଛନ୍ତି । ସେହିଭଳି ନୂଆ ସରକାରରେ ଆଡଭୋକେଟ ଜେନେରାଲ ସହ ସରକାରୀ ଓକିଲ ପଦବୀରେ ନିଯୁକ୍ତି ଲାଗି ବି ବହୁ ଆଶାୟୀ ଅଣ୍ଟା ଭିଡିଲେଣି ।

ନୂଆ ସରକାର ଗଠନ ପରେ ଜୁନ୍‍-ଜୁଲାଇ ମାସରେ ବ୍ଲକ, ତହସିଲରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ ବ୍ୟାପକ ଅଦଳବଦଳ ହେବାକୁ ଯାଉଛି । ଏ ପରିପ୍ରେକ୍ଷୀରେ ଯେଉଁ ଅଧିକାରୀମାନଙ୍କ ଦେହରେ ରାଜନୈତିକ ପକ୍ଷପାତିତାର ଛାପା ବସିଛି ସେମାନେ ଏକ ପ୍ରକାର ଆତଙ୍କଜନକ ପରିସ୍ଥିତିରେ ରହିଛନ୍ତି । ଯାହା ସୂଚନା ମିଳୁଛି ବହୁ ବିଭାଗ ସମେତ ନିର୍ଦ୍ଦେଶାଳୟ ଓ ଜିଲ୍ଲାସ୍ତରୀୟ ଦପ୍ତରଗୁଡିକରେ ବ୍ୟାପକ ଅଦଳବଦଳ ହେବ । ବିଶେଷ କରି ଜିଲ୍ଲାପାଳ ଓ ଏସ୍‍ପିଙ୍କ ସ୍ତରରେ ବଡ ଧରଣର ଅଦଳବଦଳ ସହ ବ୍ଲକ, ତହସିଲ, ପୁଲିସ ପ୍ରଶାସନ ଏବଂ ଇଞ୍ଜିନିୟରିଂ ସଂସ୍ଥା ଗୁଡିକରେ ବ୍ୟାପକ ପରିବର୍ତ୍ତନ କରାଯିବାର ସୂଚନା ରାଜନୈତିକ ମହଲରୁ ମିଳୁଛି । (ତଥ୍ୟ)