ଭୁବନେଶ୍ୱର : ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ କରିବାପାଇଁ ପରିବହନ ସଂସ୍ଥା ଠିକ୍ ହୋଇନଥିବାରୁ ରାଜ୍ୟବାସୀ କଣ୍ଟ୍ରୋଲ ଗହମ ପାଇପାରି ନାହାନ୍ତି । ଯେଉଁଥିପାଇଁ ରାଜ୍ୟ ସରକାର କଣ୍ଟ୍ରୋଲ ଗହମ ବଣ୍ଟନ ବ୍ୟବସ୍ଥାକୁ ସ୍ଥଗିତ ରଖିଛନ୍ତି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଓଡିଶା ବହୁଳ ଭାବେ ଚାଉଳ ବ୍ୟବହାର କରୁଥିବା ରାଜ୍ୟ ହୋଇଥିବା ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ୨୦୨୨ ମସିହା ଜୁଲାଇ ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନସ୍ତ ହିତାଧିକାରୀଙ୍କୁ ଗହମ ଦେଲେ ନାହିଁ । ଗହମ ବନ୍ଦ କରିବା ସହିତ ଶତ ପ୍ରତିଶତ ଚାଉଳ ଯୋଗାଇଦେଲେ ।
ତେବେ କେନ୍ଦ୍ର ସରକାର ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବାପାଇଁ ଆବଣ୍ଟନପତ୍ର ଜାରି କରିଛନ୍ତିା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ କେନ୍ଦ୍ର ସରକାର ପୂର୍ବରୁ ମାସିକ ହାରାହାରି ୨୪,୮୩୦.୪୮୩ ମେଟ୍ରିକ ଟନ୍ ଗହମ ରାଜ୍ୟକୁ ଯୋଗାଇ ଦେଉଥିବାବେଳେ ଅକ୍ଟୋବର ୨୦୨୪ ରୁ ହାରାହାରି ମାସିକ ୧୯,୯୦୬.୦୧୯ ମେଟ୍ରିକ ଟନ୍ ଗହମ ଯୋଗାଇବାପାଇଁ ଆବଣ୍ଟନପତ୍ର ଜାରି କରିଛନ୍ତି ।
ତେବେ ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ କରିବାପାଇଁ କୌଣସି ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହୋଇନଥିବାରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଉକ୍ତ ଗହମର ବଣ୍ଟନ ପ୍ରକ୍ରିୟା ସ୍ଥଗିତ କରାଯାଇଛି ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଖୋଲା ବଜାରରେ ବିକ୍ରି ହେଉଥିବା ଅଟାର ଦର ସାଧାରଣତଃ ରାଜ୍ୟ ବାହାରୁ ଆମଦାନୀ କରାଯାଉଥିବା ଗହମର ଦର ଉପରେ ନିର୍ଭର କରିଥାଏ । କଣ୍ଟ୍ରୋଲ ଗହମ ଯୋଗାଣ ବନ୍ଦ ଯୋଗୁଁ ରାଜ୍ୟରେ ଅଟା ଦର ବୃଦ୍ଧି ପାଉଥିବାର କୌଣସି ତଥ୍ୟ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇନାହିଁ । ତେବେ ଅଟାର ଦର ହ୍ରାସ ପାଇଁ ସରକାର ବଜାର ଉପରେ ଦୀକ୍ଷ୍ଣ ନଜର ରଖିବା ସଂଗେ ସଂଗେ ପ୍ରତ୍ୟେହ ଏହାର ଅନୁଧ୍ୟାନ କରୁଛନ୍ତି ଏବଂ କଳାବଜାରୀ ରୋକିବାପାଇଁ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି । (ତଥ୍ୟ)