Home General ବଣ୍ଟନ ହେଲା ବିଭାଗ

ବଣ୍ଟନ ହେଲା ବିଭାଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଏ ସଂକ୍ରାନ୍ତରେ ରାଜଭବନରୁ ତାଲିକା ପ୍ରକାଶ ପାଇଛି ।

ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ହାତରେ ସ୍ଵରାଷ୍ଟ୍ର, ଅର୍ଥ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରହିଛି ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ହାତରେ କୃଷି ଏବଂ କୃଷକ କଲ୍ୟାଣ ଏବଂ ଶକ୍ତି ବିଭାଗ ଥିବାବେଳେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ମହିଳା ଓ ଶିଶୁ ବିକାଏ ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ରହିଛି ।

ସେହିଭଳି କ୍ୟାବିନେଟ୍‍ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ହାତରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ରବି ନାୟକଙ୍କ ହାତରେ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରଦାନ କରାଯାଇଛି ।

କ୍ୟାବିନେଟ୍‍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ମିଳିଛି ।

କ୍ୟାବିନେଟ୍‍ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ, ପୃଥୀରାଜ ହରିଚନ୍ଦନଙ୍କୁ ଆଇନ୍‍, ପୂର୍ତ୍ତ ଓ ଅବକାରୀ, ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଆଇଟି, ବିଭୂତି ଭୂଷଣ ଜେନାଙ୍କୁ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ଏବଂ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ପ୍ରଦାନ କରାଯାଇଛି ।

ସେହିଭଳି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଗଣେଶ ରାମ ସିଂଖୁଣ୍ଟିଆଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ରାଜ୍ୟ ବୀମା, ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରାଯାଇଛି ।

ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗ, ଗୋକୁଳାନନ୍ଦ ମଲ୍ଳିକଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ସମ୍ପଦ ଚରଣ ସ୍ୱାଇଁଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଦାନ କରାଯାଇଛି ।