ଭୁବନେଶ୍ୱର : କେନ୍ଦୁଝର ଓ କୋରାପୁଟ ଜିଲ୍ଲାର ଦୁଇଟି କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ରାଜ୍ୟ ସରକାର ଘୋଷଣା କରିବାପରେ ଏବେ ଅନ୍ୟୁନ ଆଉ ୧୦ଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ଲାଗି ଦାବି ଜୋରଦାର ହୋଇଛି ।
ପୂର୍ବରୁ ରାଜ୍ୟ ସରକାର ରମାଦେବୀ ମହିଳା କଲେଜକୁ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି । ରେଭେନ୍ସା, ଖଲିକୋଟ, ଗଙ୍ଗାଧର ମେହେର, ରାଜେନ୍ଦ୍ର ଓ ଭବାନୀପାଟଣା କଲେଜକୁ ମଧ୍ୟ ବିଶ୍ୱବିଦ୍ୟାଳୟ କରାଯାଇଛି । ଏମିତିକି ମଧୁସୂଦନ ଆଇନ୍ କଲେଜକୁ ବି ସରକାର ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିସାରିଛନ୍ତି । ଏହି ପ୍ରକରଣରେ କେନ୍ଦୁଝର ଜିଲ୍ଲାର ଧରଣୀଧର କଲେଜ ଓ କୋରାପୁଟ ଜିଲ୍ଲାର ବିକ୍ରମଦେବ କଲେଜକୁ ଚଳିତ ମାସରେ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି ।
ଖୋରଧାର ପ୍ରାଣନାଥ କଲେଜ ଓ କେନ୍ଦ୍ରାପଡାର କେନ୍ଦ୍ରାପଡା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଛି । ରମାଦେବୀ କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହେବା ପରିପ୍ରେକ୍ଷୀରେ ଏହି ଶିକ୍ଷାନୁଷ୍ଠାନ ଠାରୁ ଢେର ପୁରୁଣା ତଥା ରାଜ୍ୟର ପ୍ରଥମ ମହିଳା କଲେଜ କଟକର ଶୈଳବାଳାକୁ କେନ୍ଦ୍ରୀୟ ମହିଳା ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିବାପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି ।
ଢେଙ୍କାନାଳ, ଅନୁଗୁଳ, ଯାଜପୁର, ସୁନ୍ଦରଗଡ, ପୁରୀ ଓ ନୟାଗଡ ଜିଲ୍ଲାରେ ମଧ୍ୟ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱର ଉଠୁଛି । ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜ ଓ ନୟାଗଡର ନୟାଗଡ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ଦଳ ମତ ନିର୍ବିଶେଷରେ ମତପ୍ରକାଶ ପାଉଥିବାବେଳେ ସୁନ୍ଦରଗଡ ସରକାରୀ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ସହ ରାଉରକେଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ମଧ୍ୟ ଦାବି ହେଉଛି । ଢେଙ୍କାନାଳ ଓ ଅନୁଗୁଳରେ ଥିବା ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ପାଇଁ ଦାବି ଉଠୁଥିବାବେଳେ ଯାଜପୁର ଜିଲ୍ଲାର ଏନ୍ସି କଲେଜ ଓ ବ୍ୟାସନଗର କଲେଜକୁ ଏକକ ବିଶ୍ୱବିଦ୍ୟାଳୟ କରିବାପାଇଁ ଏବେ ମତପ୍ରକାଶ ପାଉଛି ।
ରେଭେନ୍ସା ଓ ରମାଦେବୀ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇ ସାରିଥିବାବେଳେ ରାଜଧାନୀରେ ଥିବା ବିଜେବି କଲେଜକୁ ବିଶ୍ୱବିଦ୍ୟାଳୟ କାହିଁକି କରାନଯିବ ବୋଲି ଏହି ଶିକ୍ଷାନୁଷ୍ଠାନର ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସମେତ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରଶ୍ନ କରୁଛନ୍ତି । ଏହାଛଡା ଭଦ୍ରକ ଓ ନିମାପଡା କଲେଜକୁ ମଧ୍ୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ସ୍ୱର ଉଠୁଛି ।
୨୦୨୪ରେ ଲୋକସଭା ସହ ରାଜ୍ୟ ବିଧାନସଭାର ର୍ନିବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପାଇଁ ଯେତେସବୁ ଦାବି ଉଠୁଛି ସେଗୁଡିକ ମଧ୍ୟରୁ କାହାକୁ ଗ୍ରହଣ କରାଯିବ ଓ କାହାକୁ ଅଣଦେଖା କରାଯିବ ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ବଡ ପ୍ରଶ୍ନବାଚୀ ।
ଅନ୍ୟ ପକ୍ଷରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ପୁରୁଖା ଅଧ୍ୟାପକ, ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକମାନେ କିନ୍ତୁ ଛତୁ ଫୁଟିବା ଭଳି ବିଶ୍ୱବିଦ୍ୟାଳୟ ସ୍ଥାପନ ସପକ୍ଷରେ ନାହାନ୍ତି । ଏବେ ଯେତିକି ସଂଖ୍ୟାରେ ବିଶ୍ୱବିଦ୍ୟାଳୟ ରାଜ୍ୟରେ ରହିଛି ସେଗୁଡିକର ଗୁଣାତ୍ମକ ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ ସହ ଆବଶ୍ୟକ ପଡୁଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଇ ଗବେଷଣା କାର୍ଯ୍ୟକୁ ଗତିଶୀଳ କରିବା ସପକ୍ଷରେ ଶିକ୍ଷାବିତ୍ମାନେ କହୁଛନ୍ତି । ଏହାଛଡା ପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜଗୁଡିକର ମଧ୍ୟ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରାଯିବା ଏବେ ବଡ ଆହ୍ୱାନ ହୋଇଛି । (ତଥ୍ୟ)