Home Excise ବଢୁଛି ନିଶା କାରବାର

ବଢୁଛି ନିଶା କାରବାର

ଭୁବନେଶ୍ୱର : ଚୋରା ନିଶା ସାମଗ୍ରୀର କାରବାର ବଢିବା ସହ ଗତ କିଛିବର୍ଷ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଲାଇସେନ୍ସଧାରୀ ମଦ ଦୋକାନ ଗୁଡିକରେ ବିଭିନ୍ନ କିସମର ନିଶାଦ୍ରବ୍ୟ ବିକ୍ରୟ ବୃଦ୍ଧି ପାଇଛି ।

ସରକାରୀ ତଥ୍ୟ ମୁତାବକ ୨୦୧୬-୧୭ ବର୍ଷରେ ଓଡ଼ିଶାରେ ବିକ୍ରୟ ପାଇଁ ୪୫୫ଲକ୍ଷ ୭୯ ହଜାର ଲଣ୍ଡନ ପ୍ରୁଫ ଲିଟର (ଏଲ୍‍ପିଏଲ୍‍) ଭାରତ ତିଆରି ବିଦେଶୀ ମଦ ଉଠାଯାଇଥିବାବେଳେ ୨୦୨୦-୨୧ ବର୍ଷରେ କରୋନା ସତ୍ତ୍ୱେ ୪୦୬ଲକ୍ଷ ୨୦ହଜାର ଏଲ୍‍ପିଏଲ୍‍ ଉଠାଣ ହୋଇଥିଲା । ୨୦୨୨-୨୩ ବର୍ଷର ଜାନୁୟାରୀ ପର୍ଯ୍ୟନ୍ତ ଲାଇସେନ୍ସ ପ୍ରାପ୍ତ ମଦଦୋକାନ ଗୁଡିକ ଲାଗି ୬୩୫ଲକ୍ଷ ୬ହଜାର ଏଲ୍‍ପିଏଲ୍‍ ଭାରତ ତିଆରି ବିଦେଶୀ ମଦ ଉଠାଯାଇଥିଲା ।

ସେହିଭଳି ୨୦୧୬-୧୭ ବର୍ଷରେ ମଦୁଆଙ୍କ ପାଇଁ ଲାଇସେନ୍ସପ୍ରାପ୍ତ ଦୋକାନ ଗୁଡିକ ଲାଗି ୫୩୦ଲକ୍ଷ ୫୦ ହଜାର ଲିଟର ବିୟର ଉଠାଣ ହୋଇଥିବାବେଳେ କରୋନା କଟକଣା ସତ୍ତ୍ୱେ ବି ୨୦୨୦-୨୧ ବର୍ଷରେ ଏହାର ପରିମାଣ ୪୭୧ଲକ୍ଷ ୧୨ ହଜାର ଲିଟର ଥିଲା । ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ପର୍ଯ୍ୟନ୍ତ ଏହି ମଦ ଦୋକାନ ଗୁଡିକ ପାଇଁ ୯୦୯ଲକ୍ଷ ୬ହଜାର ଲିଟର ବିୟର ଉଠାଣ ହୋଇଥିବାବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଏହି ପରିମାଣ ୧୦୦ଲକ୍ଷ ଲିଟରରୁ ଅଧିକ ହେବ ବୋଲି ଆଶା କରାଯାଉଛି ।

୨୦୧୬-୧୭ବର୍ଷରେ ଓଡ଼ିଶାରେ ମଦୁଆଙ୍କ ପାଇଁ ୯୮ଲକ୍ଷ ୪୬ହଜାର ଏଲ୍‍ପିଏଲ୍‍ ଦେଶୀମଦ ଉଠାଣ ହୋଇଥିଲା । ୨୦୨୦-୨୧ର ଭୟଙ୍କର କରୋନା ସମୟରେ ଅବଶ୍ୟ ଏହି ପରିମାଣ ୪୮ଲକ୍ଷ ୮୯ ହଜାର ଏଲ୍‍ପିଏଲ୍‍କୁ ହ୍ରାସ ପାଇଥିଲା । ତେବେ ୨୦୨୨-୨୩ ବର୍ଷର ଜାନୁୟାରୀ ପର୍ଯ୍ୟନ୍ତ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ଗୁଡିକ ପାଇଁ ୧୧୧ଲକ୍ଷ ୭୦ହଜାର ଏଲ୍‍ପିଏଲ୍‍ ଦେଶୀମଦ ଉଠାଣ ହୋଇଥିବା ଜଣାପଡିଛି । ଏହାଛଡା ୨୦ଟି ଆଦିବାସୀ ଅଧ୍ୟ୍ୟୁଷିତ ଜିଲ୍ଲାର ୫୫୦ଟି ସ୍ୱୀକୃତିପ୍ରାପ୍ତ ଓ ୧୪୫୭ଟି ଶାଖା ମଦଦୋକାନ ମାଧ୍ୟମରେ ମଦୁଆଙ୍କୁ ପ୍ରଚୁର ପରିମାଣର ମଦ ଯୋଗା ଯାଇଥିଲା ।

ଏବେ ଓଡ଼ିଶାରେ ନୂଆ ଅବକାରୀ ନୀତି ଲାଗୁ ହୋଇଛି । ଏହି ନୀତି ଅନୁଯାୟୀ ସରକାର ଲାଇସେନ୍ସପ୍ରାପ୍ତ ମଦଦୋକାନ ଗୁଡିକ ପାଇଁ ମଦ ଉଠାଣର ମିନିମମ୍‍ ଗ୍ୟାରେଣ୍ଟି କୋଟା ବୃଦ୍ଧି କରିଛନ୍ତି । ଏଥିଯୋଗୁ ମଦ ଦୋକାନୀ ଗୁଡିକ ଅଧିକ ମଦ ବେପାର କରିବାର ସୁଯୋଗ ପାଇବେ । ତେବେ କେତେକ ମଦ ଦୋକାନୀ କହୁଛନ୍ତି ଯେ, ମଦ ଦୋକାନ ଗୁଡିକ ପାଇଁ ସର୍ବନିମ୍ନ ମଦ ଉଠାଣ ଲାଗି ଯେଉଁ ଏମ୍‍ଜିକ୍ୟୁ ରହିଥିଲା ସେହି ଅନୁଯାୟୀ ମଦ ଉଠାଇ ବିକିବା କଷ୍ଟକର ହେଉଥିବାବେଳେ ନୂଆ ନୀତିରେ ଏମ୍‍ଜିକ୍ୟୁ ବଢାଯିବା ଫଳରେ ମଦ ବ୍ୟବସାୟୀମାନଙ୍କ ଉପରେ ଚାପ ବୃଦ୍ଧି ପାଇବ ।

ଏମ୍‍ଜିକ୍ୟୁ ଆଧାରରେ ୨୦୨୧-୨୨ର କରୋନା ବିପର୍ଯ୍ୟୟ ସମୟରେ ସଂଖ୍ୟାଧିକ ମଦ ଦୋକାନୀ ସର୍ବନିମ୍ନ ଧାର୍ଯ୍ୟ ପରିମାଣର ମଦ ସରକାରୀ ଡିପୋରୁ ଉଠାଇ ପାରି ନଥିଲେ । ସେତେବେଳେ ବି ସଟ୍‍ଡାଉନ୍‍, ଲକ୍‍ଡାଉନ୍‍ ଆଦି ଜାରି ରହିବା ସହ ଦୀର୍ଘଦିନ ଧରି ମଦ ଦୋକାନ ଗୁଡିକୁ ବନ୍ଦ ରଖାଯାଇଥିଲା । ଏମ୍‍ଜିକ୍ୟୁ ଅନୁଯାୟୀ ଉକ୍ତ ବର୍ଷରେ କମ୍‍ ପରିମାଣର ମଦ ଉଠାଣ ହୋଇଥିବାରୁ ସରକାରଙ୍କର ପାଖାପାଖି ହଜାର କୋଟି ଟଙ୍କାର ଅବକାରୀ ଟିକସ କ୍ଷତି ହୋଇଥିବା ଦୃଷ୍ଟିରୁ ସ୍ୱୀକୃତିପ୍ରାପ୍ତ ମଦ ଦୋକାନୀମାନେ ଏବେ ସେ ସମୟର ବାକିଆ ମଦ ଉଠାଇବେ କିମ୍ବା ସେ ବାବଦରେ ଜରିମାନା ସହ ଟିକସ ପୈଠ କରିବାକୁ କୁହାଯାଇଛି । ଏଥିଯୋଗୁ ଏବେ ବହୁ ମଦ ଦୋକାନୀ ଛାନିଆଁ ।

ଓଡିଶାରେ ଏବେ ୧୧୬୩ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ ଥିବାବେଳେ ୬୯୨ଟି ଠିପିଖୋଲା ମଦ ଦୋକାନ, ୧୯ଟି ଠିପିଖୋଲା କ୍ଲବ, ୫୬ଟି ବିୟର ପାର୍ଲଣ, ୩୬ଟି ମିଲିଟାରୀ କ୍ୟାଣ୍ଟିନ୍‍, ୨୪୨ଟି ଦେଶୀ ମଦ ଦୋକାନ ଏବଂ ୫୫୦ଟି ମହୁଲି ମଦ ଦୋକାନ ସମେତ ୧୪୫୭ଟି ଶାଖା ଦୋକାନ ଥିବା କୁହାଯାଇଛି । ମଦ କାରବାରକୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ମାଧ୍ୟମରେ ନିୟନ୍ତ୍ରିତ କରାଯାଉଛି ।

ରାଜ୍ୟରେ ବିଭିନ୍ନ କିସମର ଚୋରା ନିଶା ବେପାର ବଢିବାରେ ଲାଗିଛି । ୨୦୨୨-୨୩ ଆର୍ଥିକ ବର୍ଷର ଫେବୃୟାରୀ ୮ ତାରିଖ ସୁଦ୍ଧା ୧୪,୬୨୦ ଏକର ଜମିରୁ ୧୬୮ଲକ୍ଷ ୯୭ହଜାରରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ୨୦୨୧-୨୨ ବର୍ଷରେ ଏନ୍‍ଡିପିଏମ୍‍ ଆଇନ ଆଧାରରେ ୬୮୬ଟି ମାମଲା ରଜୁ କରାଯାଇ ତଦନ୍ତ ଚାଲିଛି । ୭୬୯ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୦୨୨-୨୩ ବର୍ଷର ଜାନୁଆରୀ ଶେଷ ସୁଦ୍ଧା ୧୪୫୯ଟି ମାମଲା ରୁଜୁ ସହ ୧୬୫୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ଅବକାରୀ ମାମଲାରେ ଦଣ୍ଡବିଧାନ ହାରଅତି ନଗନ୍ୟ ରହୁଥିବାବେଳେ ବର୍ଷକୁ ୪୦ହଜାରରୁ ଅଧିକ ଲୋକଙ୍କୁ ନିଶା କାରବାର ଘେନି ଗିରଫ କରାଯାଉଛି । (ତଥ୍ୟ)