Home General ବଢୁଛି ଖଣିଜ ଚୋରି

ବଢୁଛି ଖଣିଜ ଚୋରି

ଭୁବନେଶ୍ୱର : ରାଜ୍ୟରେ ଖଣିଜ ସାମଗ୍ରୀର ଅବାଧ ଚୋରା କାରବାର ବଢିବାରେ ଲାଗିଛି । ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‍ ପକ୍ଷରୁ ଜବତ ହୋଇଥିବା ଖଣିଜ ସାମଗ୍ରୀର ପରିମାଣ ଓ ଗାଡିମୋଟର ସଂଖ୍ୟାରୁ ଏହା ଲକ୍ଷ୍ୟ କରାଯାଇଛି ।

ରାଜ୍ୟର ଖଣି ଖାଦାନ ଭରା ଅଞ୍ଚଳରୁ ଲୁହାପଥର, କ୍ରୋମ ଓ କୋଇଲା ଭଳି ମୂଲ୍ୟବାନ ଗୁରୁ ଖଣିଜ ସାମଗ୍ରୀର ଚୋରା କାରବାର ହେଉଥିବାବେଳେ ଉପକୂଳ ଅଞ୍ଚଳରୁ ବାଲି, ମୋରମ ଭଳି ଲଘୁ ଖଣିଜ ସାମଗ୍ରୀର ଚୋରା କାରବାର ହେଉଛି । ଏଭଳି ବେଆଇନ୍‍ କାରବାରକୁ ରୋକିବାପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‍ ଗଠନ ହୋଇଛି ।

ଗତ ଦଶ ବର୍ଷ ଧରି ଏହି ଦୁଇ ସ୍କ୍ୱାଡ୍‍ ପକ୍ଷରୁ ହୋଇଥିବା ଚଢଉର ପରିସଂଖ୍ୟାନରୁ ଜଣାଯାଇଛି ଯେ ୨୦୧୪-୧୫ ମସିହାରେ ରାଜ୍ୟସ୍ୱରୀୟ ସ୍କ୍ୱାଡ୍‍ ୮୯୨ଟି ଚଢଉ କରି ୧୦୪୪ ମେଟ୍ରିକ ଟନ୍‍ ଖଣିଜ ସାମଗ୍ରୀ ଜବତ କରିଥିବାବେଳେ ୨୦୧୫-୧୬ବର୍ଷରେ ୩୧୫୦ ମେଟ୍ରିକ ଟନ୍‍ ଖଣିଜ ସାମଗ୍ରୀ ଜବତ କରାଯାଇଥିଲା । ଏହା ପରଠାରୁ ଉଭୟ ଯାଞ୍ଚ ଓ ଜବତ ଖଣିଜ ସାମଗ୍ରୀର ପରିମାଣ ହ୍ରାସ ପାଇଛି । କରୋନା କାଳରେ ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ରାଜ୍ୟସ୍ତରୀୟ ସ୍କ୍ୱାଡ୍‍ କୌଣସି ଖଣିଜ ସାମଗ୍ରୀ ଜବତ କରିନଥିବାବେଳେ ୨୦୨୨-୨୩ ବର୍ଷରେ ୩୩୨ ମେଟ୍ରିକ ଟନ୍‍ ଖଣିଜ ସାମଗ୍ରୀ ଜବତ ହୋଇଥିଲା । ୨୦୨୩-୨୪ ବର୍ଷରେ ଏହି ପରିମାଣ ଶୂନ ଥିଲା ।

କିନ୍ତୁ ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‍ ପକ୍ଷରୁ ଜବତ ଖଣିଜ ସାମଗ୍ରୀର ପରିମାଣ ଢେର ଅଧିକ ରହୁଛି । କରୋନା ସମୟରେ ବି ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‍ ହାବୁଡରେ ଚୋରା ଚାଲାଣକାରୀମାନେ ପଡିବା ସହିତ ସେମାନଙ୍କୁ ଠାରୁ ପ୍ରଚୁର ପରିମାଣରେ ଖଣିଜ ସାମଗ୍ରୀ ଜବତ ହୋଇଥିଲା । ୨୦୨୦-୨୧ ବର୍ଷରେ ୧୩,୬୦୯ ମେଟ୍ରିକ ଟନ୍‍ ସାମଗ୍ରୀ ଜବତ ହୋଇଥିବାବେଳେ ୨୦୨୧-୨୨ରେ ଏହି ପରିମାଣ ୩୩୦୦ ମେଟ୍ରିକ ଟନ୍‍କୁ ହ୍ରାସ ପାଇଥିଲା । ତେବେ କରୋନା ପ୍ରକୋପ କମିବା ପରେ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ବର୍ଷରେ ୨୨,୨୦୦ ମେଟ୍ରିକ ଟନ୍‍ ଚୋରା ଖରିଜ ସାମଗ୍ରୀ ଜବତ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ଏହି ପରିମାଣ ୧ଲକ୍ଷ ୫୭ହଜାର ମେଟ୍ରିକ ଟନ୍‍କୁ ଅତିକ୍ରମ କରିଯାଇଛି ।

ସେହିଭଳି ଉଭୟ ସ୍କ୍ୱାଡ୍‍ ଦ୍ୱାରା ରାଜ୍ୟରେ ଚୋରା ଖଣିଜ କାରବାରରେ ସାମିଲ ହୋଇଥିବା ଜବତ ଯାନବାହାନ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ୨୦୧୪-୧୫ ବର୍ଷରେ ମାତ୍ର ୬୮ଟି ଗାଡି ଜବତ ହୋଇଥିବାବେଳେ ୨୦୨୨-୨୩ବର୍ଷରେ ଏହା ୧୦୩ ଏବଂ ୨୦୨୩-୨୪ ବର୍ଷରେ ଏହା ୧୮୫ରେ ପହଞ୍ଚିଛି ।

ରାଜ୍ୟର ଉପକୂଳ ଜିଲ୍ଲାଗୁଡିକରେ ଖଣିଜ ସାମଗ୍ରୀର ଚୋରା କାରବାର ବୃଦ୍ଧି ପାଇବା ସହିତ ଏହାକୁ ଜବତ କରିବାପାଇଁ ଯାଉଥିବା ଅଧିକାରୀମାନଙ୍କ ଉପରେ ମାଫିଆଙ୍କ ଆକ୍ରମଣର ସଂଖ୍ୟା ବି ବୃଦ୍ଧି ପାଉଛି । ତହସିଲଦାରଙ୍କ ଠାରୁ ଆରମ୍ଭ କରି ଆରଆଇଙ୍କ ଉପରେ ମାଫିଆମାନେ ଗାଡି ଚଢାଇବା ମାରିବାକୁ ଉଦ୍ୟମ ଭଳି ସାଂଘାତିକ ଅଭିଯୋଗ ଆସୁଥିବାବେଳେ ବହୁ ସମୟରେ ପୁଲିସ୍‍କୁ ଆକ୍ରମଣ କରି ମଧ୍ୟ ସେମାନେ ଗାଡିମୋଟର ଛଡାଇ ନେଇଯାଉଛନ୍ତି । (ତଥ୍ୟ)