Home Judiciary ବଢୁଛି ଅପରାଧ ଖସୁଛନ୍ତି ଅଭିଯୁକ୍ତ

ବଢୁଛି ଅପରାଧ ଖସୁଛନ୍ତି ଅଭିଯୁକ୍ତ

ଭୁବନେଶ୍ୱର : ଓଡିଶା ସମେତ ସାରା ଦେଶରେ ଦୁର୍ନୀତି ଓ ଅନ୍ୟାନ୍ୟ ଆର୍ଥିକ ଅପରାଧ ବଢି ଚାଲିଥିବାବେଳେ ଧରାପଡୁଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତ୍ୱରିତ ଦଣ୍ଡବିଧାନ ହେଉନଥିବାରୁ ଏହି କିସମର ଅପରାଧମାନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏଥିଘେନି ଆଇନ୍‍ ଅଦାଲତ ଠାରୁ ସାମାଜିକ ସଂଗଠନମାନେ ବାରମ୍ବାର ଉଦବେଗପ୍ରକାଶ କରୁଥିଲେ ମଧ୍ୟ ଦୁର୍ନୀତିଖୋରମାନଙ୍କର ଏଥିପ୍ରତି ନିଘା ଥିବାଭଳି ମନେ ହେଉନାହିଁ ।

କେନ୍ଦ୍ର ସରକାରଙ୍କ ସର୍ବଶେଷ ଏନସିଆରବି ରିପୋର୍ଟର ତଥ୍ୟ ମୁତାବକ ଦେଶରେ ୭ଲକ୍ଷ ୪୨ହଜାରରୁ ଅଧିକ ଆର୍ଥିକ ଅପରାଧ ଓ ପ୍ରାୟ ୨୯ହଜାର ଦୁର୍ନୀତି ନିବାରଣ ମାମଲା ଗତବର୍ଷ ଆରମ୍ଭ ସୁଦ୍ଧା ପଡି ରହିଥିଲା । ଏବେ ଏହି ସଂଖ୍ୟା ଢେର ଅଧିକ ହେବବୋଲି ଆଶଙ୍କା କରାଯାଉଛି ।

ଏହି ତଥ୍ୟ ଅନୁଯାୟୀ ଦେଶରେ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ୩୨.୬ ପ୍ରତିଶତ ରହିଥିବାବେଳେ ଏଭଳି ଅପରାଧିକ ମାମଲାରୁ ବର୍ଷରେ ୬ ପ୍ରତିଶତ ମଧ୍ୟ ଫଏସଲା ହୋଇପାରୁ ନାହିଁ । ସେହିଭଳି ଭିଜିଲାନ୍ସ ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୩୯.୬ ପ୍ରତିଶତ ରହିଥିବାବେଳେ ଏଭଳି କିସମର ମାମଲା ଫଏସଲା ହାର ବାର୍ଷିକ ୭ ପ୍ରତିଶତରୁ କମ୍‍ ରହୁଛି ।

ସାରା ଦେଶରେ ଦୁର୍ନୀତି ନିବାରଣ ମାମଲାରେ ଗୋଟିଏ ବର୍ଷରେ ମାତ୍ର ୨୦୩୬ଟି ଫଏସଲା ହୋଇଥିବାବେଳେ ସେଥିରୁ ୭୨୨ଟିରେ ଦଣ୍ଡବିଧାନ ହେବା ଘଟଣାରୁ ଦୁର୍ନୀତିଖୋରଙ୍କ ପାଇଁ ବ୍ୟବସ୍ଥା କେତେ ସହନଶୀଳ ତାହା ପ୍ରତୀୟମାନ ହେଉଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ କାରବାରବେଳେ ଧରା ପଡିଥିବା ଘଟଣାରୁ ଗତବର୍ଷ ଆରମ୍ଭ ବେଳକୁ ମାତ୍ର ୨୮,୬୫୫ଟି ମାମଲା ବିଚରାଧିନ ଥିଲା । ଏହି ବିଚାରାଧିନ ମାମଲାଗୁଡିକ ମଧ୍ୟରୁ ଅଧିକାଂଶ ଢେର ପୁରୁଣା ।

ଏହି ରିପୋର୍ଟର ତଥ୍ୟ ମୁତାବକ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ସେତେଟା ଭଲ ନୁହେଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣ ଦୁର୍ନୀତିକରଣ ଘେନି ଗଣମାଧ୍ୟମ ଠାରୁ ନିର୍ବାଚିତ ଲୋକ ପ୍ରତିନିଧି, ପୁଲିସ୍‍ ପ୍ରଶାସନ ଏମିତିକି ଆଇନ୍‍ ଅଦାଲତ ମଧ୍ୟ ଉଦବେଗପ୍ରକାଶ କରିଆସୁଛନ୍ତି । ତେବେ ଏନସିଆରବିର ସର୍ବଶେଷ ତଥ୍ୟ ମୁତାବକ ଗତବର୍ଷ ଆରମ୍ଭ ବେଳକୁ ଓଡିଶାରେ ମାତ୍ର ୩୬୩୩ଟି ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏହା ପୂର୍ବବର୍ଷରେ ମୋଟେ ୨୪୭ଟି ଭିଜିଲାନ୍ସ ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ୯୦ଟିରେ ଦଣ୍ଡବିଧାନ ହୋଇଥିଲା । ଅବଶ୍ୟ ସଂଖ୍ୟାଧିକ ଦଣ୍ଡବିଧାନ ମାମଲାରେ ଅପରାଧିମାନେ ଉପର ଅଦାଲତର ଆଶ୍ରୟନେଇ ପୁଣି ମାମଲାକୁ ପ୍ରଲମ୍ବିତ କରୁଛନ୍ତି ।

ଏନସିଆରବି ତଥ୍ୟ ମୁତାବକ ଓଡିଶାରେ ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୩୬.୦୪ ପ୍ରତିଶତ ଥିବାବେଳେ ବାର୍ଷିକ ମାମଲା ଫଏସଲା ହାର ୬.୪ ପ୍ରତିଶତ ରହିଥିଲା । ଏଥିରୁ ଭିଜିଲାନ୍ସ ମାମଲା ଫଏସଲାରେ ବିଳମ୍ବ ଏବଂ ସଂଖ୍ୟାଧିକ କ୍ଷେତ୍ରରେ ଅଭିଯୁକ୍ତ ଖସିଯାଉଥିବା ସ୍ପଷ୍ଟ ଜଣାପଡୁଛି ।

ସେହିପରି ଚିଟ୍‍ଫଣ୍ଡ ଠକେଇ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଆର୍ଥିକ ଅପରାଧ ଆମ ରାଜ୍ୟରେ ଢେର ବଢୁଛି । ଗତ ଡିସେମ୍ବର ମାସରେ ପ୍ରକାଶିତ ଏନ୍‍ସିଆରବି ରିପୋର୍ଟ ମୁତାବକ ରାଜ୍ୟରେ ୨୮,୭୭୬ଟି ଆର୍ଥିକ ଅପରାଧ ମାମଲା ବିଚାରାଧିନ ଥିବାବେଳେ ତାହା ପୂର୍ବବର୍ଷ ମାତ୍ର ୩୩୫ଟି ମାମଲାର ଫଏସଲା ହୋଇଥିଲା ଏବଂ ସେଥିରୁ ୩୦୬ଟିରେ ଅଭିଯୁକ୍ତ ଖସିଯାଇଥିବାବେଳେ ମାତ୍ର ୧୯ଟିରେ ଦଣ୍ଡବିଧାନ କରାଯାଇଥିଲା । ଅର୍ଥାତ୍‍ ଏ କିସମ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ୫.୮ ପ୍ରତିଶତ ରହୁଥିବାବେଳେ ବାର୍ଷିକ ଫଏସଲା ହାର ମାତ୍ର ୧.୨ ପ୍ରତିଶତ ଥିବା ରିପୋର୍ଟ କହୁଛି । (ତଥ୍ୟ)