Home Judiciary ବଢୁଛି ଅପରାଧ କମୁଛି ଦଣ୍ଡବିଧାନ

ବଢୁଛି ଅପରାଧ କମୁଛି ଦଣ୍ଡବିଧାନ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଆଇନ ଅଦାଲତରେ ୧୨ଲକ୍ଷରୁ ଅଧିକ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ମାମଲା ଫଇସଲାରେ ବିଳମ୍ବ ଓ ଦଣ୍ଡବିଧାନ ହାର ନଗନ୍ୟ ରହୁଥିବାରୁ ପୁଲିସ ଓ ପ୍ରଶାସନ କଳର ଚିନ୍ତା ବଢୁଛି ।

ଅପରାଧିକ ମାମଲା ଗୁଡିକର କିଭଳି ତ୍ୱରିତ ଫଇସଲା ହେବ ଏବଂ ଏଥିରେ ଅଭିଯୁକ୍ତମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଇପାରିବ ସେଥିପାଇଁ ପୁଲିସ ଏବଂ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲଙ୍କ ମଧ୍ୟରେ ସମନ୍ୱୟ ତଥା ସାକ୍ଷ୍ୟ ପ୍ରମାଣର ଠିକଣା ଉପସ୍ଥାପନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।

ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ଏ କ୍ଷେତ୍ରରେ ତତ୍ପରତା ପ୍ରକାଶ କରିବାରୁ ଗତ ୬ମାସ ମଧ୍ୟରେ ଦଣ୍ଡ ବିଧାନ ହାର ପୂର୍ବାପେକ୍ଷା ଢେର ବୃଦ୍ଧି ପାଇଥିବା ଜଣାପଡିଛି । ଏହାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଓ ଏସ୍‍ପିମାନେ ନିୟମିତ ବ୍ୟବଧାନରେ ମାମଲା ଗୁଡିକର ସମୀକ୍ଷା ସହିତ ମାମଲା ପରିଚାଳନାକାରୀ ସରକାରୀ ଓକିଲଙ୍କ ସହିତ ତଦନ୍ତକାରୀ ଅଧିକାରୀମାନଙ୍କ ବୈଠକ କରାଉଛନ୍ତି ।

ସର୍ବଶେଷ ଏନ୍‍ସିଆର୍‍ବି ରିପୋର୍ଟ ମୁତାବକ ଓଡ଼ିଶାରେ ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହାର ସର୍ବାଧିକ ୪୨.୫ ପ୍ରତିଶତ ଦର୍ଶାଯାଇଥିବାବେଳେ ଆଇପିସି ମାମଲାରେ ଏହା ୫.୭, ଏସ୍‍ଏଲ୍‍ଏଲ୍‍ ମାମଲାରେ ୩.୮, ଆର୍ଥିକ ଅପରାଧରେ ୩.୨, ମହିଳାମାନଙ୍କ ପ୍ରତି ଅପରାଧରେ ୮.୩ ଓ ଶିଶୁମାନଙ୍କ ପ୍ରତି ଅପରାଧ କ୍ଷେତ୍ରରେ ୧୧.୮ ପ୍ରତିଶତ ରହିଛି ।

ଅନୁସୂଚିତ ଜାତି ବର୍ଗଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ଏକ ପ୍ରତିଶତରୁ କମ୍‍ ଥିବାବେଳେ ବରିଷ୍ଠ ନାଗରିକ ଓ ଅନୁସୂଚିତ ଜନଜାତିବର୍ଗର ଲୋକଙ୍କ ପ୍ରତି ଘଟାଯାଉଥିବା ଅପରାଧରେ ଦଣ୍ଡବିଧାନ ହାର ଆଦୌ ନାହିଁ । ସାଇବର୍‍ ଅପରାଧ, ରାଷ୍ଟ୍ରଦ୍ରୋହ ଓ ପରିବେଶ ମାମଲାରେ ମଧ୍ୟ ଗୋଟିଏ ହେଲେ କ୍ଷେତ୍ରରେ ଦଣ୍ଡବିଧାନ ହୋଇନଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ରାଜ୍ୟରେ ପ୍ରାୟ ପ୍ରତିଦିନ ଭିଜିଲାନ୍ସ ଜାଲରେ ବହୁ ଅଧିକାରୀ ପଡୁଛନ୍ତି । ତେବେ ଏହି ରିପୋର୍ଟର ତଥ୍ୟ ମୁତାବକ ସାଢେ ୩ହଜାରରୁ ଅଧିକ ଭିଜିଲାନ୍ସ ମାମଲା ବିଭିନ୍ନ ଭିଜିଲାନ୍ସ କୋର୍ଟରେ ଖେଳେଇ ହୋଇ ରହିଥିବାବେଳେ ସେଥିରୁ ବର୍ଷରେ ମାତ୍ର ୧୪୬ଟି ଫଇସଲା ହୋଇଛି ଏବଂ ତନ୍ମଧ୍ୟରୁ ୫୦ଟିରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଥିବାବେଳେ ମାତ୍ର ୩୭ଟିରେ ଦଣ୍ଡବିଧାନ ହୋଉଛି ।

ଅର୍ଥାତ୍‍ ବର୍ଷରେ ହାରାହାରି ପ୍ରତି ୧୦ଦିନରେ ଗୋଟିଏ ମାମଲାରେ ଅଭିଯୁକ୍ତ ଦଣ୍ଡିତ ହେଉଛନ୍ତି । ଯେତେ ଭିଜିଲାନ୍ସ ମାମଲା ବିଚାର ପ୍ରତୀକ୍ଷାରେ ରହୁଛି ସେଥିରୁ ବର୍ଷରେ ୪ ପ୍ରତିଶତ ମଧ୍ୟ ଫଇସଲା ହେଉନଥିବା ଏନ୍‍ସିଆର୍‍ବି ତଥ୍ୟ କହୁଛି । ଅନ୍ୟ ଅପରାଧିକ ମାମଲା ଗୁଡିକରେ ଫଇସଲା ହାର ବି ୪ ପ୍ରତିଶତରୁ କମ୍‍ ।

ବିଶେଷ କରି ଆଇପିସି ମାମଲାରେ ଓଡ଼ିଶାରେ ଫଇସଲା ହାର ମାତ୍ର ୧.୩ ପ୍ରତିଶତ ଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ମାମଲାରେ ଏହା ୧.୪ ପ୍ରତିଶତରେ ସୀମିତ । ଆର୍ôଥକ ଅପରାଧ କ୍ଷେତ୍ରରେ ଫଇସଲାହାର ମାତ୍ର ଦଶମିକ ୫ ପ୍ରତିଶତ ଥିବା ଏନ୍‍ସିଆର୍‍ବି ତଥ୍ୟ କହୁଛି ।

ବିଚାରାଳୟ ଗୁଡ଼ିକର ଆଧୁନିକୀକରଣ ସହିତ ନୂଆ କୋର୍ଟ ପ୍ରତିଷ୍ଠା ଓ ଜଜ୍‍ ନିଯୁକ୍ତି ବଢୁଥିବା ସହ ତାଳଦେଇ ଅପରାଧିକ ମାମଲା ମଧ୍ୟ ହୁ ହୁ ହୋଇ ବଢୁଛି । ମୂଳ ମାମଲା ଦଶନ୍ଧି ଦଶନ୍ଧି ଧରି ଗଡୁଥିବାବେଳେ ସଂଖ୍ୟାଧିକ ଅଭିଯୁକ୍ତ ଜାମିନରେ ଆସି ପୁଣି ଅପରାଧ ଘଟାଇ ଅପରାଧକୁ ଜୀବନ ଜୀବିକାର ବୃତ୍ତି କରୁଥିବାରୁ ସାଧାରଣ ଲୋକଙ୍କ ଧନଜୀବନ ସୁରକ୍ଷା ପ୍ରତି ଦିନକୁ ଦିନ ବିପଦ ବଢିବାରେ ଲାଗିଛି ।

ଏଠାରେ ଉଲ୍ଲେଖନୀୟ ଯେ, ଆଇନ ଅଦାଲତରେ ପଡିଥିବା ମାମଲାର ତ୍ୱରିତ ଫଇସଲା କରିବା ସହିତ ୫ବର୍ଷରୁ ପୁରୁଣା ମାମଲାର ବୋଝ ହଟାଇବା ପାଇଁ ରାଜ୍ୟ ସରକାର ୨୦୧୧ ମସିହାରେ ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ । କିନ୍ତୁ ୧୨ବର୍ଷ ଭିତରେ ଏଭଳି ମାମଲାର ସଂଖ୍ୟା କମିବା ପରିବର୍ତ୍ତେ ବହୁଗୁଣିତ ହୋଇଛି । ଏମିତିକି କେତେକ କ୍ଷେତ୍ରରେ ଅପରାଧିକ ମାମଲା ଫଇସଲା ପାଇଁ ୧୦ରୁ ୩୦ବର୍ଷ ପର୍ଯ୍ୟନ୍ତ ଲାଗି ଯାଉଛି ।

ଏଭଳି କ୍ଷେତ୍ରରେ ଅଭିଯୁକ୍ତମାନେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିବାକୁ ସୁଯୋଗ ପାଉଛନ୍ତି । ବିଳମ୍ବିତ ବିଚାର ଯୋଗୁ ଅନେକ ମାମଲାରେ ତଦନ୍ତକାରୀ ଅଧିକାରୀ ମଧ୍ୟ କୋର୍ଟରେ ହାଜର ହୋଇପାରୁନାହାନ୍ତି । ଏଭଳି ଅନେକ କାରଣ ଯୋଗୁ ମାମଲା ଫଇସଲାରେ ବିଳମ୍ବ ସହିତ ସଂଖ୍ୟାଧିକ କ୍ଷେତ୍ରରେ ଅଭିଯୁକ୍ତ ଫସିଯାଉଛନ୍ତି । ତେବେ ବିଭାଗୀୟ କର୍ତ୍ତୃପକ୍ଷ ପୁଲିସ ଜିଲ୍ଲାସ୍ତରରେ ମାମଲା ଗୁଡିକର ସମୀକ୍ଷା ସହ ଦୁର୍ବଳ ମାମଲା ଗୁଡିକୁ ପ୍ରତ୍ୟାହାର ସଙ୍ଗେ ସଙ୍ଗେ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଦଣ୍ଡ ବିଧାନ ଉପରେ ଗୁରୁତ୍ୱ ଦେଉଥିବାରୁ ଆଗାମୀ ଦିନରେ ଦଣ୍ଡବିଧାନ ହାର ବଢିପାରେ ବୋଲି ଆଶା କରାଯାଉଛି । (ତଥ୍ୟ)