ଭୁବନେଶ୍ୱର : ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ରୋଗୀସଂଖ୍ୟା ବର୍ଷକୁ ବର୍ଷ ବଢୁଥିବାବେଳେ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଡାକ୍ତରୀ ସାମଗ୍ରୀ ଔଷଧ ବାବଦୀୟ ଖର୍ଚ୍ଚ କିନ୍ତୁ ହ୍ରାସ ପାଉଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି ।
ରୋଗୀ ସଂଖ୍ୟା ଓ ଔଷଧ ଖରିଦ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ସରକାରୀ ଡାକ୍ତରଖାନାଗୁଡିକରେ ୫କୋଟି ୫୦ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବାବେଳେ ୨୦୨୨-୨୩ ରେ ଏହା ୮ଲକ୍ଷକୁ ଅତିକ୍ରମ କରିଯାଇଥିଲା । ୨୦୨୪-୨୫ ରେ ରୋଗୀ ସଂଖ୍ୟା ୧୦କୋଟି ୨୯ଲକ୍ଷକୁ ଟପିଯାଇଛି ।
ସେହିଭଳି ୨୦୨୦-୨୦୨୧ ବର୍ଷରେ ଔଷଧ ବାବଦରେ ସରକାର ୫୭୪ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟ କରିଥିବାବେଳେ ୨୦୨୧-୨୨ରେ ଏହା ୪୨୭ କୋଟି ୪୯ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୩-୨୪ ବର୍ଷରେ ଔଷଧ ବାବଦରେ ୭୫୪ କୋଟି ୨୩ଲକ୍ଷ ଟଙ୍କା ଔଷଧ ବାବଦରେ ଖର୍ଚ୍ଚ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଔଷଧ ବାବଦ ଖର୍ଚ୍ଚ ୬୪୫କୋଟି ୪୮ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି ।
ତେବେ ଡାକ୍ତରୀ ସାମଗ୍ରୀ ବାବଦ କ୍ରୟ କିନ୍ତୁ ଲଗାତାର ଭାବେ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି । ୨୦୨୧-୨୧ ବର୍ଷରେ ଡାକ୍ତରୀ ସାମଗ୍ରୀ ଖରିଦ ବାବଦରେ ୫୬୬ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୨୨-୨୩ ୨୯୭ କୋଟି ୯୭ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୪-୨୫ ରେ ଏହି ବ୍ୟୟ ୧୦୮ କୋଟି ଟଙ୍କାକୁ ହ୍ରାସ ପାଇଛି ।
ଅନୁରୂପ ସ୍ଥିତି ହୋମିଓପାଥିକ ଓ ଆୟୁର୍ବେଦିକ ମେଡିକାଲ କଲେଜରେ । ପାଞ୍ଚବର୍ଷ ମଧ୍ୟରେ ହୋମିଓପାଥିକ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ତିନିଗୁଣ ବଢିଥିବାବେଳେ ଆର୍ୟୁବେଦିକ ଡାକ୍ତରଖାନାରେ ରୋଗୀସଂଖ୍ୟା ୨ଗୁଣରୁ ଅଧିକ ହୋଇଛି । ୨୦୨୦-୨୧ବର୍ଷରେ ରାଜ୍ୟରେ ୧୨ଲକ୍ଷ ୫୬ ହଜାର ରୋଗୀ ହୋମିଓପାଥିକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ରୋଗୀ ସଂଖ୍ୟା ୩୮ଲକ୍ଷ ୬୪ ହଜାରକୁ ଟପିଯାଇଛି । ଆର୍ୟୁବେଦିକ ଡାକ୍ତରଖାନାରେ ରାଜ୍ୟରେ ୧୬ଲକ୍ଷ ୨୩ହଜାର ରୋଗୀ ଚିକିତ୍ସିତ ହୋଇଥିବାବେଳେ ୨୦୨୪-୨୫ରେ ଏହା ୩୬ଲକ୍ଷ ୧୨ ହଜାରକୁ ଟପିଯାଇଥିଲା ।
ଉଭୟ ହୋମିଓପାଥିକ ଓ ଆର୍ୟୁବେଦିକ ଔଷଧ ବାବଦରେ ରାଜ୍ୟ ସରକାର ୨୦୨୦-୨୧ବର୍ଷରେ ୨ କୋଟି ୬୧ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଥିବାବେଳେ ୨୦୨୩-୨୪ରେ ଏହି ପରିମାଣ ୫କୋଟି ୪୫ଲକ୍ଷ ଟଙ୍କାକୁ ଟପିଯାଇଥିଲା । ୨୦୨୪-୨୫ ବର୍ଷରେ କିନ୍ତୁ ଏହି ପରିମାଣ ୧କୋଟି ୮୬ଳକ୍ଷ ଟଙ୍କାକୁ ହ୍ରାସ ପାଇଛି । (ତଥ୍ୟ)

