ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ମେଦବହୁଳତା ବା ମୋଟାପଣ ବଢିବାରେ ଲାଗିଛି । ୨୦୧୫-୧୬ ରେ ୫ବର୍ଷ ବୟସରୁ କମ୍ ବୟସର ୨.୬ ପ୍ରତିଶତ ପିଲାଙ୍କ ଠାରେ ମୋଟାପଣ ପରିଲକ୍ଷିତ ହେଉଥିବାବେଳେ ବର୍ତ୍ତମାନ ତାହା ୩.୫ ପ୍ରତିଶତକୁ ବୃଦ୍ଧି ପାଇଛି ।
ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହି ସୂଚନା ସ୍ଥାନ ପାଇଛି । ଏଥିରେ ଦର୍ଶାଯାଇଛି ଯେ ୫ବର୍ଷ ବୟସରୁ କମ୍ ବୟସର ୩.୫ ପ୍ରତିଶତ ପିଲାଙ୍କ ଠାରେ ମୋଟାପଣ ଦେଖାଯାଉଥିବାବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ୫.୫ ପ୍ରତିଶତ ସହରାଞ୍ଚଳରେ ଓ ୩.୨ ପ୍ରତିଶତ ଗ୍ରାମାଞ୍ଚଳରେ ରହିଛନ୍ତି ।
ତେବେ ପିଲାଙ୍କ ମୋଟାପଣ ପାଇଁ ଖାଦ୍ୟ ବିଶେଷଜ୍ଞମାନେ ଜଙ୍କ୍ଫୁଡ୍କୁ ଦାୟୀ କରୁଛନ୍ତି । ଶିଶୁମାନେ ପାରମ୍ପରିକ ଖାଦ୍ୟ ବଦଳରେ ଅଧିକ ମାତ୍ରାରେ ଜଙ୍କ୍ଫୁଡ୍ ଖାଇବା ଓ କମ୍ ପରିମାଣରେ ଖେଳକୁଦ କରିବା ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟରେ ଅସନ୍ତୁଳନ ପରିଲକ୍ଷିତ ହେଉଛି ଏବଂ ଅଧିକରୁ ଅଧିକ ସଂଖ୍ୟାରେ ପିଲା ମୋଟା ହୋଇଯାଉଛନ୍ତି । ଏପରିକି ଏଥିଯୋଗୁଁ କେତେକ ପିଲାଙ୍କ ଠାରେ ମୋଟାପଣ ସାଙ୍ଗକୁ ମଧୁମେହ ଭଳି ରୋଗ ଦେଖିବାକୁ ମିଳୁଛି ।
ତେବେ ୫ବର୍ଷ ବୟସ ତଳେ ଥିବା କମ୍ ଓଜନର ଶିଶୁଙ୍କ ସଂଖ୍ୟା ୩୪.୪ ପ୍ରତିଶତରୁ ୨୯.୭ ପ୍ରତିଶତକୁ ହ୍ରାସ ପାଇଛି । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ କମ୍ ଓଜନର ଶିଶୁ ରହିଥିବା ରିପୋର୍ଟରେ ଉଲ୍ଲେଖ ଅଛି । ମୋଟ୍ ୨୯.୭ ପ୍ରତିଶତ କମ୍ ଓଜନର ଶିଶୁଙ୍କ ମଧ୍ୟରୁ ସହରାଞ୍ଚଳରେ ୨୧.୫ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏମାନଙ୍କ ସଂଖ୍ୟା ୩୧.୦ପ୍ରତିଶତ ରହିଛି ।
ସେହିଭଳି ଶିଶୁଙ୍କ ସ୍ତନ୍ୟପାନ କ୍ଷେତ୍ରରେ ରାଜ୍ୟରେ ସେଭଳି କୌଣସି ଅଭିବୃଦ୍ଧି ପରିଲକ୍ଷିତ ହୋଇନାହିଁ । ସମସ୍ତ ପ୍ରକାର ସଚେତନତା ସତ୍ୱେ ୨୦୧୫-୧୬ ବର୍ଷରେ ତିନି ବର୍ଷରୁ କମ୍ ବୟସର ୬୮.୫ ପ୍ରତିଶତ ଶିଶୁ ମା’କ୍ଷୀର ଖାଉଥିବାବେଳେ ବର୍ତ୍ତମାନ ସେହି ହାର ଅପରିବର୍ତ୍ତିତ ରହିଛି । ତେବେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ଶିଶୁ ମା’ କ୍ଷୀର ସେବନ କରୁଥିବା ଜଣାଯାଇଛି ।
ତେବେ ଛଅ ମାସ ବୟସରୁ କମ୍ ଶିଶୁମାନଙ୍କ ମା’କ୍ଷୀର ସେବନର ଅନୁପାତ ବୃଦ୍ଧି ପାଇଛି । ୨୦୧୫-୧୬ ରେ ୬୫.୬ ଛଅମାସରୁ କମ୍ ବୟସର ଶିଶୁ ମା’କ୍ଷୀର ଖାଉଥିବାବେଳେ ଏବେ ତାହା ୭୨.୯ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଏ କ୍ଷେତ୍ରରେ ବି ସହରାଞ୍ଚଳ ଶିଶୁଙ୍କ ତୁଳନାରେ ଗ୍ରାମାଞ୍ଚଳର ଶିଶୁ ଆଗରେ ରହିଛନ୍ତି ।(ତଥ୍ୟ)