ଭୁବନେଶ୍ୱର : କେବଳ ମଦ ନୁହେଁ, ଓଡିଶାରେ ଗୁଟ୍ଖା, ତମାଖୁ, ବ୍ରାଉନସୁଗାର, ଗଞ୍ଜେଇ ସମେତ ବିଭିନ୍ନ କିସମର ନିଶା କାରବାର ବଢି ଚାଲିଛି । ତମାଖୁ ବର୍ଜନ ଦିବସ ଓ ନିଶା ନିବାରଣ ଦିବସ ପାଳନ ପାଇଁ ସରକାରୀ ସ୍ତରରେ ପ୍ରତିବର୍ଷ ବ୍ୟାପକ ଅର୍ଥ ବ୍ୟୟ କରାଯାଉଥିଲେ ମଧ୍ୟ ନିଶା ପ୍ରସାର କମିବା ପରିବର୍ତ୍ତେ ବଢିବା ଏକ ଉଦବେଗଜନକ ସ୍ଥିତି ସୃଷ୍ଟି କରିଛି ।
ଗୋଟିଏ ପଟେ ଗୁଟ୍ଖା, ତମାକୁ ଆଦିର ବ୍ୟବହାର, ବିପ୍ପଣନ, ପରିବହନ, ଉତ୍ପାଦନ ଉପରେ ପ୍ରାୟ ୧୨ବର୍ଷ ତଳୁ ରାଜ୍ୟ ସରକାର ନିଷେଧାଦେଶ ଜାରି କରିଥିଲେ ମଧ୍ୟ ଖୋଲାଖୋଲି ଭାବେ ହାଟ ବଜାରରେ ଏହି ସାମଗ୍ରୀ ଉପଲବ୍ଧ ହେଉଛି । ଏମିତିକି ସିଗାରେଟ ଭିତରେ ପୂରାଇ ଗଞ୍ଜେଇ, ବ୍ରାଉନସୁଗାର ଆଦିର ମଧ୍ୟ କଳାବେପାର ଗାଁ ଗହଳରୁ ରାଜଧାନୀ ପର୍ଯ୍ୟନ୍ତ ଚାଲୁଛି ।
ନିଶା ବିରୁଦ୍ଧରେ କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ସଂଗଠନର ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ଯେ ସରକାର ନୀତିଗତ ଭାବେ ସମ୍ପୂର୍ଣ୍ଣ ନିଶା ନିବାରଣକୁ ଆପଣେଇ ନିଶା ବ୍ୟବହାରକାରୀ ଓ ଏହାର ବେପାରୀ ତଥା ଉତ୍ପାଦନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିଁ ନିଶା ନିବାରିତ ହୋଇପାରିବ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ବହୁ ମାରାତ୍ମକ ରୋଗ ସହଜରେ ନିରାକରଣ କରାଯାଇ ପାରିବ ।
ବିଶେଷକରି ଓଡିଶାରେ ଗତ କିଛିବର୍ଷ ଭିତରେ ମଦ କାରବାର ହୁ ହୁ ହୋଇ ବଢୁଛି । ୨୦୦୦-୦୧ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୧୩୫କୋଟି ୩୫ଲକ୍ଷ ଟଙ୍କା ଥିବାବେଳେ ୨୦୨୪-୨୫ ବର୍ଷର ସଂଶୋଧିତ ବଜେଟ୍ରେ ଅବକାରୀ ରାଜସ୍ୱ ପରିମାଣ ୮୬୮୦ କୋଟି ଟଙ୍କା ଦର୍ଶାଯାଇଥିଲା । ୨୦୨୫-୨୬ର ବଜେଟ୍ରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୯୭୫୪କୋଟି ଟଙ୍କା ଦର୍ଶାଯାଇଛି । ତେବେ ବିଭାଗୀୟ ଅଧିକାରୀମାନେ କହୁଛନ୍ତି ଯେ ଯେତିକି ପରିମାଣର ଅବକାରୀ ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବାସ୍ତବରେ ତାହାଠାରୁ ଅଧିକ ରାଜସ୍ୱ ମିଳିବ । ବିଭିନ୍ନ ପ୍ରକାରର ଅବକାରୀ ଶୁଳ୍କ, ଭାଟ୍ ଓ ଅନ୍ୟାନ୍ୟ କରକୁ ମିଶାଇଲେ କେବଳ ମଦ ରୁ ଓଡିଶାର ବାର୍ଷିକ ଆୟ ପରିମାଣ ପାଖାପାଖି ୧୪ହଜାର କୋଟି ଟଙ୍କା ହେବବୋଲି ଆଶଙ୍କା କରାଯାଉଛି ।
ସମ୍ବିଧାନର ଘୋଷିତ ପ୍ରତିଶ୍ରୁତିରେ ନିଶା ନିବାରଣ କଥା ରହିଛି । ୨୦୦୮ର ଅବକାରୀ ଆଇନ୍ରେ ବି ଓଡିଶା ସରକାର ନିଶା ନିବାରଣ କଥା ଉଲ୍ଲେଖ କରିଛନ୍ତି । ୧୯୫୬ ମସିହାରୁ ଓଡିଶା ନିଶା ନିବାରଣ ଆଇନ୍ ମଧ୍ୟ ରାଷ୍ଟ୍ରପତିଙ୍କ ସ୍ୱୀକୃତି କ୍ରମେ ପ୍ରଣିତ ହୋଇଛି । ଏସବୁ ସତ୍ୱେ ପାନ, ବିଡି ଠାରୁ ମଦ ପର୍ଯ୍ୟନ୍ତ ନିଶା ନିବାରଣ ହେବା ପରିବର୍ତ୍ତେ ପ୍ରସାରଣ ଘଟି ଚାଲିଛି । ନିଶା ଯୋଗୁଁ ଆତ୍ମହତ୍ୟା, ଅପରାଧ, ନାରୀ ନିର୍ଯ୍ୟାତନା, ସଡକ ଦୁର୍ଘଟଣା ଆଦି ମଧ୍ୟ ବର୍ଷକୁ ବର୍ଷ ବଢୁଛି । ଏଥିଯୋଗୁଁ ପୁଲିସ୍ ଓ ଅବକାରୀ ପ୍ରଶାସନ ଉପରେ ଚାପ ବଢିବା ସଂଗେ ସଂଗେ ଆଇନ୍ ଅଦାଲତରେ ବି ମାମଲା ସଂଖ୍ୟା ବଢୁଛି ଏବଂ ଜେଲ୍ରେ ମଧ୍ୟ ବନ୍ଦୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି ।
ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଆଜି ସାରା ରାଜ୍ୟରେ ଅନେକ କାର୍ଯ୍ୟକ୍ରମ ହୋଇଛି । ଏଥିପାଇଁ ବି ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି । ସରକାର ମଧ୍ୟ କୋଟ୍ପା ଆଇନ୍ ପ୍ରଣୟନ କରିଛନ୍ତି । ସର୍ବସାଧାରଣ ସ୍ଥାନ ବିଶେଷକରି ସରକାରୀ ଦପ୍ତର ଓ ଶିକ୍ଷାନୁଷ୍ଠାନଗୁଡିକରେ ନିଶା ସେବନ କରାଯ।।ଇପାରିବ ନାହିଁ ବୋଲି ଆଇନ୍ଗତ ବ୍ୟବହାର ରହିଛି । କିନ୍ତୁ ସଂଖ୍ୟାଧିକ ସରକାରୀ କର୍ମଚାରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଶା ସେବନ କରୁଥିବାବେଳେ ସେମାନଙ୍କ ବିରୁଦ୍ଧରେ ସରକାରୀ କର୍ମଚାରୀ ଆଚରଣ ବିଧି ଆଧାରରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । (ତଥ୍ୟ)