Home Cooperation ବଢି ଚାଲିଛି ଅନିୟମିତତା

ବଢି ଚାଲିଛି ଅନିୟମିତତା

ଭୁବନେଶ୍ୱର : ଓଡିଶାରେ କୃଷି ଋଣ ପ୍ରଦାନ କ୍ଷେତ୍ରରେ ସମବାୟ ବ୍ୟାଙ୍କ୍‍ଗୁଡିକର ଅଗ୍ରଣୀ ଭୂମିକା ରହିଥିବାବେଳେ ଏହି ବ୍ୟାଙ୍କ୍‍ ମାନଙ୍କରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ହୁ ହୁ ହୋଇ ବଢି ଚାଲିଛି ।

୨୦୧୮ ପର୍ଯ୍ୟନ୍ତ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ଓ କେନ୍ଦ୍ର ସମବାୟ ବ୍ୟାଙ୍କ୍‍ଗୁଡିକରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ୪୨୨୫ ଲକ୍ଷ ଟଙ୍କାରୁ ଅଧିକ ଥିବାବେଳେ ୨୦୧୮ ରୁ ୨୦୨୩ ମଧ୍ୟରେ ଏହି ବ୍ୟାଙ୍କ୍‍ଗୁଡିକରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ପ୍ରାୟ ୧୭୩୪ଲକ୍ଷ ଟଙ୍କା ହୋଇଛି । ଏହାଛଡା ସହରାଞ୍ଚଳ ସମବାୟ ବ୍ୟାଙ୍କ୍‍ଗୁଡିକର ଏଭଳି ଅନିୟମିତତାର ପରିମାଣ ୨୦୨୩ ସୁଦ୍ଧା ପ୍ରାୟ ୧୮୪୬ଲକ୍ଷ ଟଙ୍କା ଥିବା ଜଣାପଡିଛି ।

ଓଡିଶା ସମବାୟ ସମିତି ଅଧିନିୟମରେ ଥିବା ବ୍ୟବସ୍ଥା ମୁତାବକ ପ୍ରତିବର୍ଷ ସମବାୟ ସମିତି ଓ ବ୍ୟାଙ୍କ୍‍ମାନଙ୍କର ସମୀକ୍ଷା କରାଯାଇଥାଏ ଏବଂ ଏଥିରେ ଯେଉଁମାନେ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଆଦିରେ ସମ୍ପୃକ୍ତ ଥିବାର ପ୍ରାମାଣିତ ତଥ୍ୟ ମିଲେ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆବଶ୍ୟକସ୍ଥଳେ ଫୌଜଦାରୀ କାର୍ଯ୍ୟବିଧି ଆଇନ୍‍ ମୁତାବକ ଆଇନ୍‍ ଅଦାଲତରେ ମଧ୍ୟ ମାମଲା ରୁଜୁ କରାଯାଇଥାଏ ।

ଓଡିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟର ଚାଷୀମାନେ କୃଷି କାର୍ଯ୍ୟପାଇଁ ଋଣ ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି । ବହୁ ସ୍ଥଳରେ ଘରୋଇ ବ୍ୟାଙ୍କ୍‍ମାନେ କୃଷିଋଣ ଦେବାକୁ କୁନ୍ଥୁ କୁନ୍ଥୁ ହେଉଥିବାବେଳେ ସର୍ବାଧିକ ଜମା ସଂଗ୍ରହ ସହ ସରକାରୀ ପାଣ୍ଠିର ପରିଚାଳନା କରୁଥିବା ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ବି କିଛି କିଛି କୃଷିଋଣ ଦେଇଥାନ୍ତି । ତେବେ ସମବାୟ ବ୍ୟାଙ୍କ୍‍ଗୁଡିକ କିନ୍ତୁ ସର୍ବାଧିକ କୃଷିଋଣ ପ୍ରଦାନ କରିଥାନ୍ତି । ଏହାଛଡା ବିଭିନ୍ନ ବ୍ୟବସାୟ ଓ ଉଦ୍ୟୋଗ ଲାଗି ଗଢାଯାଉଥିବା ସମବାୟ ସଂସ୍ଥାଗୁଡିକ ବି ବ୍ୟବସାୟ ଚଳାଇବାପାଇଁ ସମବାୟ ଋଣ ଉପରେ ବିଶେଷଭାବେ ନିର୍ଭର କରିଥାନ୍ତି ।

ଗାଁ ଗହଳରେ କୃଷକମାନଙ୍କୁ ବିଭିନ୍ନ ଘରୋଇ ସଂସ୍ଥା ଚଢା ହାରରେ ଋଣ ପ୍ରଦାନ କରି ଶୋଷଣର ସ୍ରୋତକୁ ଗତିଶୀଳ କରାଇଥାନ୍ତି । ଏମିତିକି କେତେକ କ୍ଷେତ୍ରରେ କିଛି ସ୍ୱୟଂ ସହାୟିକା ଗୋଷ୍ଠି ମଧ୍ୟ ଭିନ୍ନ କାର୍ଯ୍ୟପାଇଁ ସରକାରଙ୍କ ଠାରୁ ପାଉଥିବା ସହାୟତା ଓ ସୁଧମୁକ୍ତ ଋଣରାଶିକୁ ଚଢା ହାରରେ ଚାଷମୀମାନଙ୍କୁ ସୁଧ ଲଗାଇ ମୋଟା ଅଙ୍କର ରୋଜଗାର କରିବା ଘେନି ଅଭିଯୋଗ ବାରମ୍ବାର ଆସୁଥିଲେ ବି ଏହାର ପ୍ରତିକାର କରାଯାଇ ପାରୁନାହିଁ ।

ଏଭଳି ସ୍ଥିତିରେ ଗାଁ ଗହଳରେ ସମବାୟ ଋଣ ଜାଲିଆତି ହେଉଥିବାର ମାଳ ମାଳ ଅଭିଯୋଗ ଆସୁଛି । ଅନେକ ଲୋକ ଋଣ ନେଇନଥିଲେ ମଧ୍ୟ ସେମାନଙ୍କ ନାଁ ଋଣଗ୍ରହୀତା ଭାବେ ଖାତାରେ ଗଡୁଛି । ଏହାଛଡା ଆହୁରି ଅନେକ କ୍ଷେତ୍ରରେ ବି ସମବାୟ ଋଣରେ ଅନିୟମିତତା ଘେନି ବାରମ୍ବାର ଅଭିଯୋଗମାନ ଆସୁଛି । ତେବେ ଯେଉଁମାନେ ଏଭଳି ଅନିୟମିତତା, ଦୁର୍ନୀତି ଓ ହେରଫେର ସହିତ ସମ୍ପୃକ୍ତ ସେମାନଙ୍କୁ ଚିହ୍ନଟ କରି ଆଇନାନୁଯାୟୀ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏ ସଂକ୍ରାନ୍ତରେ କିନ୍ତୁ ଠକାମୀର ପଡୁଥିବା ଲୋକେ ନିରବ ନରହି ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ସମବାୟ ବ୍ୟାଙ୍କ୍‍ର ଦୃଷ୍ଟି ଆକର୍ଷଣ କରିବାଲାଗି ଅଭିଜ୍ଞ ସମବାୟବିତ୍‍ମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)