Home Education ବଢିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ବଢିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର : ନୂତନ ଭାବେ ସ୍ୱୀକୃତି ପାଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ନିମନ୍ତେ ତଥା ଅଭିଭାବକମାନଙ୍କ ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମସ୍‌ (SAMS) ପୋର୍ଟାଲ www.samsodisha.gov.in ଜରିଆରେ ଆବେଦନ ତାରିଖକୁ ୨୦୨୩ ଜୁନ ୨୬ ତାରିଖ ପରିବର୍ତ୍ତୋ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ପରିବର୍ତ୍ତିତ ସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ୨୦୨୩ ଜୁଲାଇ ୬ ତାରିଖ ଦିନ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ଆଡ୍‌ମିଶନ୍‌ ଯଥାକ୍ରମେ ୨୦୨୩ ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ସଂପାଦନ କରାଯିବ । ଦ୍ୱିତୀୟ ମେଧା ତାଲିକା ୨୦୨୩ ଜୁଲାଇ ୧୯ ତାରିଖରେ ପ୍ରକାଶ କରାଯିବା ସହିତ ଏହାର ଆଡ୍‌ମିଶନ୍‌ ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସଂପାଦନ କରାଯିବ ।

ସେହିପରି ଅନ୍‌ଲାଇନ୍‌ ସ୍ପଟ୍‌ ଆଡ୍‌ମିଶନ ପ୍ରକ୍ରିୟା ୨୦୨୩ ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସଂପାଦନ କରାଯିବ । ପରିବର୍ତ୍ତିତ ସୂଚୀ ଅନୁଯାୟୀ ୨୦୨୩ ଅଗଷ୍ଟ ୧ ତାରିଖରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶାଙ୍କ ତଥ୍ୟ ଅନୁସାରେ ଅଦ୍ୟାବଧି SAMS ପୋର୍ଟାଲ ଜରିଆରେ ୪ ଲକ୍ଷ ୬୩ ହଜାର ୫୦୦ ଜଣ ଆବେଦନକାରୀ ଯୁକ୍ତ-୨/ଏକାଦଶ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଆବେଦନ ପତ୍ର ଦାଖଲ କରିଛନ୍ତି ।