Home General ବଢିଲା ପନି ପରିବା ଦର

ବଢିଲା ପନି ପରିବା ଦର

ଭୁବନେଶ୍ୱର : ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନକୁ ନେଇ ଚାଷୀ ଓ ପ୍ରଶାସନ ବ୍ୟସ୍ତ ଥିବାବେଳେ ବ୍ୟାପକ ସଂଖ୍ୟାରେ ପନିପରିବା ନଷ୍ଟ ଯୋଗୁଁ ବଜାରରେ ହୁ ହୁ ହୋଇ ଦର ବଢିବାରେ ଲାଗିଛି । ଧାନ ଚାଷୀଙ୍କ ଭଳି ପରିବାଚାଷୀଙ୍କୁ କ୍ଷତିପୂରଣ ଦେବା ସହିତ ବଜାରରେ ପରିବା ଦରକୁ ନିୟନ୍ତ୍ରଣ କରିବାପାଇଁ ମତପ୍ରକାଶ ପାଉଛି ।

ଅଦିନିଆ ବର୍ଷାରେ ରାଜ୍ୟରେ ଧାନ ସହିତ ଶୀତଦିନିଆ ପନିପରିବା ବିଶେଷକରି କୋବି, ବିନ୍‍, ମୂଳା ଆଦି ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି । ଶୀତ ଆଗମନକୁ ଦୃଷ୍ଟିରେ ରଖି ଚାଷୀମାନେ ଏକର ଏକର ଜମିରେ ଏହି ଫସଲ କରିଥିଲେ । ଏଥି ସହିତ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ କ୍ରମେ ଚାଷୀମାନେ ରିହାତି ଦରରେ ଆଳୁ ବିହନ ପାଇବା ଫଳରେ ଆଳୁ ଚାଷ ବି କରିଥିଲେ । ଉପକୂଳ କେତେକ ଜିଲ୍ଲାରେ ଚାଷୀମାନେ ବାଦାମ ବି ଲଗାଇଥିଲେ ।

ହେଲେ ତିନି ଦିନର ଲଗାଣ ବର୍ଷା ଫଳରେ ଏହି ସମସ୍ତ ପନିପରିବା ଓ ତୈଳବୀଜ ନଷ୍ଟ ହେବାରେ ଲାଗିଛି । ଧାନ ଚାଷ କରିଥିବା ଚାଷୀମାନଙ୍କ ମଧ୍ୟରୁ କେତେକ ବୀମା କରିଥିବାବେଳେ ପନିପରିବା ଚାଷୀମାନେ କିନ୍ତୁ ବୀମା କରିନାହାନ୍ତି । ତେଣୁ ଏମାନଙ୍କର କ୍ଷୟକ୍ଷତି କିଭଳି ଓ କେଉଁ ହାରରେ ଆଳକନ ହେବ ଓ କେତେ କ୍ଷତି ମିଳିବ ତାହାକୁ ନେଇ ଏବେ ଚାଷୀ ଦ୍ୱନ୍ଦରେ ରହିଛନ୍ତି ।

ପନିପରିବା ନଷ୍ଟର ଚିତ୍ର ଆସିବାପରେ ଏବେ ବଜାରରେ ଏହାର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବିନ୍‍ କିଲୋ ୧୦୦ ଟଙ୍କା ଛୁଇଁଥିବାବେଳେ କୋବି, ମୂଳା ଆଦିର ଦର ମଧ୍ୟ ଦୁଇଗୁଣା ବୃଦ୍ଧି ପାଇଲାଣି । ବଜାରକୁ ଏହିସବୁ ପରିବା ଧିରେ ଧିରେ ଆସିବା କମି ଯାଉଥିବାରୁ ପ୍ରତିଦିନ ଦର ବଢିବାରେ ଲାଗିଛି । ସେହିଭଳି ପନିପରିବା ଦର ବଢିବା ଫଳରେ ବ୍ୟବସାୟୀମାନେ ବଜାରରେ ଏବେ ଆଳୁ ଦର ବୃଦ୍ଧିର ଆଶଙ୍କା କରୁଛନ୍ତି ।

ଚଳିତବର୍ଷ ରାଜ୍ୟରେ ଆଳୁର ତିରୋଟ ସ୍ଥିତିକୁ ଦେଖି ସରକାର ଆଳୁ ମିଶନକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ଚାଷୀମାନଙ୍କୁ ରିହାତି ଦରରେ ଆଳୁ ବିହନ ଯୋଗାଇ ଦେଇଛନ୍ତି । ଅନେକ ଚାଷୀ ବିହନ ପାଇବାପରେ ଆଳୁ ମଧ୍ୟ ଲଗାଇଥିଲେ । ହେଲେ ଅଦିନିଆ ବର୍ଷା ସବୁକିଛି ଉଜାଡି ଦେଇଛି । ରିହାତି ଦର ଆଳୁ ସହିତ ଚାଷ ବାବଦରେ ହୋଇଥିବା ଅନ୍ୟାନ୍ୟ ଖର୍ଚ୍ଚ ପାଣିରେ ପଡିଛି ।

ତେଣୁ ଧାନଚାଷୀମାନଙ୍କ ଭଳି ପନି ପରିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦେବା ସହିତ ସେମାନଙ୍କର କ୍ଷତିର ସ୍ୱତନ୍ତ୍ର ଆକଳନ ପାଇଁ ଚାଷୀମାନେ ମତ ପ୍ରକାଶ କରୁଛନ୍ତି । ସ୍ଥାନୀୟ ଅଞ୍ଚଳରୁ ପନି ପରିବା ଆସିବା ହ୍ରାସ ପାଉଥିବାରୁ ବ୍ୟବସାୟୀମାନେ ଏବେ ବାହାର ରାଜ୍ୟରୁ ଅଧିକ ପରିମାଣରେ କଞ୍ଚା ପରିବା ଆମଦାନୀ ଆରମ୍ଭ କରିଛନ୍ତି । ତେଣୁ ବଜାରରେ ଯେଭଳି ପନି ପରିବାର ଦର ନିୟନ୍ତ୍ରଣରେ ରହିବ ତାହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି ।(ତଥ୍ୟ)