Home Agriculture ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଜି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି। ୨୦୨୬-୨୭ ଖରିଫ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି।

ଚାଷୀମାନଙ୍କୁ ସେମାନଙ୍କ ଫସଲର ଲାଭକାରୀ ମୂଲ୍ୟ ପ୍ରଦାନ କରିବା ଲାଗି ସରକାର ୨୦୨୬-୨୭ ଖରିଫ ବିପଣନ ଋତୁ ପାଇଁ ଏମଏସପି ବୃଦ୍ଧି କରିଛନ୍ତି। ଗତ ବର୍ଷ ତୁଳନାରେ ସୂର୍ଯ୍ୟମୁଖୀ ମଞ୍ଜି ଉପରେ ଏମଏସପି ସର୍ବାଧିକ କ୍ୱିଣ୍ଟାଲ ପିଛା ୬୨୨ ଟଙ୍କା ବୃଦ୍ଧି କରାଯାଇଛି । ଏହାପରେ କପା କ୍ୱିଣ୍ଟାଲ ପିଛା ୫୫୭ ଟଙ୍କା, ଅଳସୀ କ୍ୱିଣ୍ଟାଲ ପିଛା ୫୧୫ ଟଙ୍କା ଏବଂ ରାଶି କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଧାନ ଏବଂ ଗ୍ରେଡ୍ ଏ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି ।

ଏହି ନିଷ୍ପତ୍ତି ଅନୁଯାୟୀ, ସାଧାରଣ ଧାନର ଏମଏସପି ୨,୪୪୧ ଟଙ୍କା ଏବଂ ଗ୍ରେଡ୍-ଏ ଧାନ ପାଇଁ ୨,୪୬୧ ଟଙ୍କା ଧାର୍ଯ୍ୟ କରାଯାଇଛି। ଗତ ଖରିଫ ଋତୁରେ ସାଧାରଣ ଧାନର ଏମଏସପି ଥିଲା ୨୩୬୯ ଟଙ୍କା ଏବଂ ଗ୍ରେଡ-ଏ ଧାନର ଏମଏସପି ଥିଲା ୨୩୮୯ ଟଙ୍କା। ସୂର୍ଯ୍ୟମୁଖୀ ମଞ୍ଜିରେ ୮,୩୪୩ ଟଙ୍କା ଏମଏସପି ସ୍ଥିର କରାଯାଇଥିବା ବେଳେ ମକା ପାଇଁ ୨,୪୧୦ ଟଙ୍କା, ହରଡ଼ ପାଇଁ ୮,୪୫୦ ଟଙ୍କା, ମୁଗ ପାଇଁ ୮,୭୮୦ ଟଙ୍କା ଏବଂ କପା ପାଇଁ ୮,୬୬୭ ଟଙ୍କା ସହାୟକ ମୂଲ୍ୟ ସ୍ଥିର ହୋଇଛି।

କୃଷି ମନ୍ତ୍ରାଳୟ ଅନୁଯାୟୀ, ସରକାରଙ୍କ ଏହି ଏମଏସପି ବୃଦ୍ଧି ୨୦୧୮-୧୯ ବଜେଟ ପ୍ରତିଶ୍ରୁତି ମୁତାବକ ଉତ୍ପାଦନ ଖର୍ଚ୍ଚର ଅତିକମରେ ୧.୫ ଗୁଣ ଅଧିକ ହୋଇଥିବାବେଳେ, ମୁଗ ଚାଷୀମାନେ ସର୍ବାଧିକ ୬୧ ପ୍ରତିଶତ ଲାଭ ପାଇବେ ବୋଲି ଆଶା କରାଯାଉଛି। ବିଶେଷ କରି ‘ଶ୍ରୀ ଅନ୍ନ’ ବା ପୁଷ୍ଟିଶସ୍ୟ, ଡାଲି ଓ ତୈଳବୀଜ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବର୍ଗରେ ଅପେକ୍ଷାକୃତ ଅଧିକ ମୂଲ୍ୟ ବୃଦ୍ଧି କରାଯାଇଛି।