Home Energy ବଢିବନି ବିଦ୍ୟୁତ ଦର

ବଢିବନି ବିଦ୍ୟୁତ ଦର

ଭୁବନେଶ୍ଵର: ସାଧାରଣ ବିଦ୍ୟୁତ୍ ଗ୍ରାହକଙ୍କୁ ମିଳିଛି ଆଶ୍ଵସ୍ତି । ବଢ଼ିଲାନି ବିଦ୍ୟୁତ୍ ଦର । ଆସନ୍ତା ବର୍ଷ ଲାଗି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଆୟୋଗଙ୍କ ସଚିବ ପ୍ରିୟବ୍ରତ ପଟ୍ଟନାୟକ । ଏଥିସହ ସ୍ମାର୍ଟ ମିଟରର ମାସିକ ଭଡା ଛାଡ଼ କରିଛନ୍ତି ସରକାର । ୨ କିଲୋୱାଟ୍ ଲୋଡ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ଛାଡ଼ କରାଯାଇଛି ।

ପୂର୍ବରୁ ସ୍ମାର୍ଟ ମିଟର ଲାଗି ମାସିକ ୬୦ ଟଙ୍କା ଭଡା ହିସାବରେ ଦେବାକୁ ପଡ଼ୁଥିଲା । ଏହି ଭଡ଼ା ମିଟର ଲଗାଇବା ଦିନ ଠାରୁ ୮ ବର୍ଷ ପର୍ଯ୍ୟନ୍ତ ଦେଉଥିଲେ ଗ୍ରାହକ । ସରକାରଙ୍କ ନୂଆ ନିଷ୍ପତ୍ତି ଫଳରେ ମିଟର ଭଡା ଗ୍ରାହକ ଆଶ୍ଵସ୍ତି ପାଇବେ । ଏହା ଫଳରେ ଲୋକଙ୍କ ମାସିକ ବିଦ୍ୟୁତ୍ ଦେୟ ମଧ୍ୟ ହ୍ରାସ ପାଇବ ।

ତେବେ ସ୍ମାର୍ଟ ମିଟର ଭଡା ଛାଡ଼ ୨୦୨୫-୨୬ ଆର୍ଥିକ ବର୍ଷରୁ ଲାଗୁ ହେବ । ଏହା ଦ୍ଵାରା ରାଜ୍ୟର ୮୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ ୮୦ ଲକ୍ଷ ଉପଭୋକ୍ତା ଲାଭ ପାଇବେ । ପୂର୍ବରୁ ସ୍ମାର୍ଟ ମିଟର ଭଡା ଦେଉଥିଲେ ତାହା ଦେବାକୁ ପଡ଼ିବ ନାହିଁ । ନୂଆ ସ୍ମାର୍ଟ ମିଟର ଲଗାଇଲେ ବି ଭଡା ଦେବେନି । ଏହା ବାବଦ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ସେହିଭଳି ମେସେଜ ଓ ଇମେଲରେ ଇ-ବିଲ୍ ନେଲେ ବିଲ୍ ପିଛା ୧୦ ଟଙ୍କା ଛାଡ଼ ପାଇବେ । ପ୍ରିପେଡ୍ ମିଟରରେ ୪ ପ୍ରତିଶତ ରିହାତି ମିଳିବ । ଡିଜିଟାଲ୍ ପେମେଣ୍ଟରେ ପୂର୍ବ ଭଳି ୪ ପ୍ରତିଶତ ରିହାତି ମିଳିବ । ୧୦ କିଲୋୱାଟରୁ ଅଧିକ ଲୋଡ୍ ବ୍ୟବହାରକାରୀଙ୍କୁ ଦିନ ୮ଟାରୁ ଅପରାହ୍ଣ ୪ଟା ଯାଏ ବିଜୁଳି ବିଲରେ ୨୦ ପ୍ରତିଶତ ରିହାତି ମିଳିବ । ସନ୍ଧ୍ୟା ୬ରୁ ରାତି ୧୨ ଯାଏଁ ପିକ୍ ଆହ୍ଵାରରେ ବ୍ୟବହାର ପାଇଁ ଅଧିକ ୩୦ ପଇସା ଦେବାକୁ ପଡ଼ିବ ।

ପୂର୍ବଭଳି ମାସିକ ୫୦ ୟୁନିଟ ମଧ୍ୟରେ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ୨ ଟଙ୍କା ୯୦ ପଇସା, ୫୦ ୟୁନିଟରୁ ୨୦୦ ୟୁନିଟ ମଧ୍ୟରେ ୪ ଟଙ୍କା ୭୦ ପଇସା, ୨୦୦ ୟୁନିଟରୁ ୪୦୦ ୟୁନିଟ ମଧ୍ୟରେ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ ପିଛା ମାସିକ ୬ ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି। ଏପ୍ରିଲ ୧ ତାରିଖରୁ ଏହି ଦର ଲାଗୁ କରାଯିବ। ୨ କିଲୋ ୱାଟ ମଧ୍ୟରେ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ଭଡା ଛାଡ କରାଯିବ।

କିନ୍ତୁ ଜଳସେଚନ ଓ କୃଷି କ୍ଷେତ୍ର ପାଇଁ ପିକ ସମୟରେ ଗ୍ରାହକଙ୍କୁ ୟୁନିଟ ପିଛା ୩୦ ପଇସା ଟିଓଡି ସରଚାର୍ଜ ଦେବାକୁ ପଡିବ। ସକାଳ ୮ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସୋଲାର ଆୱାର ଭାବେ ଗଣାଯିବ। ୪ଟାରୁ ସନ୍ଧ୍ୟା ୬ଟା ଯାଏ ନର୍ମାଲ ଆୱାର ଓ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ପିକ ଆୱାର ଗଣାଯିବ। ରାତି ୧୨ଟାରୁ ସକାଳ ୮ଟା ଯାଏ ନର୍ମାଲ ଆୱାର ରୂପେ ଗଣାଯିବ। ଶିଳ୍ପ ଉପଭୋକ୍ତା ମାନେ ଯେଉଁମାନେ ଇଏଚଟି ଲେବଲର ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ। ୮୦ ପ୍ରତିଶତରୁ ଅଧିକ ଲୋଡ ଫ୍ୟାକ୍ଟରରେ ବ୍ୟବହୃତ ୟୁନିଟ ପିଛା ଏହି ରିହାତି ଲାଗୁ ହେବ। ସେହିପରି ବଣ୍ଟନ ଓ ପରିବହନ କ୍ଷତି ୧୮.୭୯ ପ୍ରତିଶତରୁ ୧୭.୩୩ ପ୍ରତିଶତକୁ କମିଛି। ରାଜ୍ୟର ବିଜୁଳି ଆବଶ୍ୟକତା ପାଇଁ ଗ୍ରୀଡକୋ ୪୧ ହଜାର ୩୨୧ ଏମୟୁ ଥିବାବେଳେ ଗ୍ରୀଡକୋ ପାଖରେ ୪୮ ହଜାର ୩୧୮ ଏମୟୁ ଶକ୍ତି ଉପଲବ୍ଧ ରହିଛି। ସେହିପରି ବିଦ୍ୟୁତ ବିତରକ କମ୍ପାନୀ ଉପଭୋକ୍ତାଙ୍କୁ ୩୩ ହଜାର ୩୮୯ ଏମୟୁ ବିଜୁଳି ବିକ୍ରି କରୁଥିବା ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।