Home Energy ବଢିବନି ବିଜୁଳି ଦର

ବଢିବନି ବିଜୁଳି ଦର

ଭୁବନେଶ୍ୱର : ୨୦୨୨-୨୩ ବର୍ଷରେ ରାଜ୍ୟରେ ବିଜୁଳି ଦର ବଢିବ ନାହିଁ । ସହରାଞ୍ଚଳରେ ପୂର୍ବ ଦର ବଜାୟ ରଖିବାକୁ ନିଷ୍ପତ୍ତି ହୋଇଥିବାବେଳେ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ୟୁନିଟ୍‍ ପିଛା ୧୦ପଇସା ରିହାତି ମିଳିବ । ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ ସଚିବ ପ୍ରିୟବ୍ରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ବିଦ୍ୟୁତ୍‍ ଦର ବୃଦ୍ଧି ନେଇ ଓଇଆରସି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷରେ ବିଜୁଳି ଦର ବଢିବ ନାହିଁ । ସହରାଞ୍ଚଳର ଗ୍ରାହକମାନେ ପୂର୍ବଭଳି ୫୦ ୟୁନିଟ୍‍ ପର୍ଯ୍ୟନ୍ତ ୟୁନିଟ୍‍ ପିଛା ୩ଟଙ୍କା, ୫୦ରୁ ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ୪ଟଙ୍କା ୮୦, ୨୦୦ ରୁ ୪୦୦ ୟୁନିଯ୍‍ ପର୍ଯ୍ୟନ୍ତ ୫ଟଙ୍କା ୮୦ ଓ ୪୦୦ ୟୁନିଟ୍‍ରୁ ଅଧିକ ହେଲେ ୟୁନିଟ୍‍ ପିଛା ୬ଟଙ୍କା ୨୦ ପଇସା ହାରରେ ବିଜୁଳି ବିଲ୍‍ ଦେବେ । ହେଲେ ଗ୍ରାମାଞ୍ଚଳର ଗ୍ରାହକମାନଙ୍କ ପାଇଁ ୟୁନିଟ୍‍ ପିଛା ୧୦ ପଇସା କମ୍‍ କରି ପ୍ରଦାନ କରିବେ ।

ଓଇଆରସି କର୍ତ୍ତୃପକ୍ଷ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେବା ସହିତ ଏଣିକି ଗ୍ରାହକମାନେ ଯେକୌଣସି ଡିଜିଟାଲ ବ୍ୟବସ୍ଥା ଜରିଆରେ ବିଦ୍ୟୁତ୍‍ ବିଲ୍‍ ପଇଠ କଲେ ସେମାନଙ୍କୁ ୩% ରିହାତି ମିଳିବ ବୋଲି କୁହାଯାଇଛି । ପୂର୍ବରୁ ଏହି ରିହାତି ୨% ରହିଥିଲା ।

ସେହିଭଳି ବିଦ୍ୟୁତ୍‍ ଚାଳିତ ଯାନଗୁଡିକ ଚାର୍ଜିଂ ଲାଗି ବ୍ୟବହାର ବିଜୁଳିର ଦର ଓଇଆରସି ୟୁନିଟ୍‍ ପିଛା ୫ଟଙ୍କା ୫୦ ପଇସା ଧାର୍ଯ୍ୟ କରିଛନ୍ତି । କୃଷି କ୍ଷେତ୍ରକୁ ଦୃଷ୍ଟିରେ ରଖି ଉଠାଜଳସେଚନ ପଏଣ୍ଟ ପାଇଁ ୨ଟଙ୍କା ରିହାତି ଘୋଷଣା ହୋଇଥିବାବେଳେ ଏମ୍‍ଏସ୍‍ଏମ୍‍ଇ ପାଇଁ ୟୁନିଟ୍‍ ପିଛା ୧୦ପଇସା ରିହାତି ମିଳିବ ।

ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କର ଖର୍ଚ୍ଚ ୟୁନିଟ୍‍ ପିଛା ୧୯ପଇସା କରି ବଢିଥିବାବେଳେ ସେମାନଙ୍କ ନିକଟରେ ଗଚ୍ଛିତ ଥିବା ୩୫୫ କୋଟି ଟଙ୍କାରୁ ତାହା ଭରଣା କରିବାଲାଗି ଓଇଆରସି ନିର୍ଦ୍ଦେଶ ଦେଇଛନ୍ତି । ଚଳିତବର୍ଷ ବିଦ୍ୟୁତ୍‍ ଦର ନବଢାଇବାକୁ ରାଜ୍ୟ ସରକାର ଓଇଆରସିଙ୍କ ନିକଟରେ ଦାବି କରିଥିବା ସଚିବ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।