Home General ବଢିବନି ବାର୍ଦ୍ଧକ୍ୟ ଭତ୍ତା

ବଢିବନି ବାର୍ଦ୍ଧକ୍ୟ ଭତ୍ତା

ଭୁବନେଶ୍ୱର : ବିଭିନ୍ନ ସାମାଜିକ ଯୋଜନାରେ ମିଳୁଥିବା ଭତ୍ତା ପରିମାଣ ଏବେ ବଢିବ ନାହିଁ । ଏ ସଂକ୍ରାନ୍ତରେ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଆଜି ବିଧାନସଭାରେ ତିନି ତିନି ଜଣ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ସ୍ପଷ୍ଟ କରିଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦକୁ ମାସିକ ୫୦୦ ଟଙ୍କା ୭୦୦ ଟଙ୍କା ଓ ୯୦୦ ଟଙ୍କା ହାରରେ ପ୍ରଦାନ କରାଯାଉଛି ।

୮୦ବର୍ଷ ବୟସରୁ କମ୍‍ ବୟସର ହିତାଧିକାରୀଙ୍କୁ ଜାତୀୟ ବାର୍ଦ୍ଧକ୍ୟଭତ୍ତା ଓ ମଧୁବାବୁ ପେନ୍‍ସନ ଯୋଜନାରେ ମାସିକ ୫୦୦ ଟଙ୍କା ମିଳୁଥିବାବେଳେ ୮୦ବର୍ଷ କିମ୍ବା ତଦୁର୍ଦ୍ଧ ବ୍ୟକ୍ତିକୁ ମାସିକ ୭୦୦ ଟଙ୍କା କରି ଦିଆଯାଉଛି । ସେହିଭଳି ଜାତୀୟ ବିଧବା ଭତ୍ତା ବାବଦରେ ୫୦୦ ଟଙ୍କା ଓ ଜାତୀୟ ଭିନ୍ନକ୍ଷମ ଭତ୍ତା ବାବଦରେ ୭୦୦ ଟଙ୍କା ପ୍ରଦାନ କରାଯାଉଛି । ମଧୁବାବୁ ପେନ୍‍ସନ ଯୋଜନାରେ ୬୦ପ୍ରତିଶତ ଭିନ୍ନକ୍ଷମ ଓ ୮୦ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କୁ ମାସିକ ୯୦୦ ଟଙ୍କା କରି ପ୍ରଦାନ କରାଯାଉଛି ।

ଜାତୀୟ ବାର୍ଦ୍ଧକ୍ୟଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅର୍ଥ ରହୁଥିବାବେଳେ ମଧୁବାବୁ ଯୋଜନାର ସମ୍ପୂର୍ଣ୍ଣ ବ୍ୟୟଭାର ରାଜ୍ୟ ସରକାର ବହନ କରୁଛନ୍ତି ।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏ ସଂକ୍ରାନ୍ତୀୟ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଏହି ସମସ୍ତ ଯୋଜନାରେ ମୋଟ୍‍ ୫୩,୦୮,୯୬୭ଜଣ ହିତାଧିକାରୀ ମାସିକ ଭତ୍ତା ପାଉଛନ୍ତି । ଭତ୍ତା ରାଶିକୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବାପାଇଁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ।

ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ମଧୁବାବୁ ପେନ୍‍ସନ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ମୋଟ୍‍ ୫୩ଲକ୍ଷ ୮ହଜାର ୯୬୭ଜଣ ହିତାଧିକାରୀ ଭତ୍ତା ପାଉଥିବାବେଳେ ୨,୧୮,୭୧୫ ଜଣ ବ୍ୟକ୍ତି ଭତ୍ତା ପାଇବାପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ବାର୍ଦ୍ଧକ୍ୟ ବକ୍ତି, ବିଧବା ମହିଳା, ଅକର୍ମଣ୍ୟ ବ୍ୟକ୍ତି, ରୋଗଗ୍ରସ୍ତ ଆଦି ହିତାଧିକାରୀଙ୍କୁ ପ୍ରତିମାସରେ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନ ବିପକ୍ଷରେ ପେନସନ ମଞ୍ଜୁର କରିବାପାଇଁ ପଦକ୍ଷେପ ନିଆଯାଉଛି । ମଧୁବାବୁ ଭତ୍ତା ପରିମାଣ ବୃଦ୍ଧି ନିମନ୍ତେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନଥିବା ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)