Home Assembly ବଢିପାରୁ ନାହିଁ ମହିଳା ପ୍ରତିନିଧିତ୍ୱ

ବଢିପାରୁ ନାହିଁ ମହିଳା ପ୍ରତିନିଧିତ୍ୱ

ଭୁବନେଶ୍ୱର : ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିବାରୁ ପଞ୍ଚାୟତିରାଜ ଓ ପୌରସଂସ୍ଥାଗୁଡିକରେ ସେମାନଙ୍କ ପ୍ରତିନିଧିତ୍ୱ ୫୦ ପ୍ରତିଶତରୁ ଅଧିକ ରହୁଥିବାବେଳେ ଓଡିଶା ବିଧାନସଭାରେ କିନ୍ତୁ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତ ବି ହୋଇପାରୁ ନାହିଁ ।

୧୪୭ ସଦସ୍ୟ ବିଶିଷ୍ଟ ଓଡିଶା ବିଧାନସଭାରେ ଏବେ ମାତ୍ର ୧୧ଜଣ ମହିଳା ଅଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣ ବିଜେପି ଟିକଟରେ ଜିଣିଥିବାବେଳେ ଆଉ ୫ଜଣ ବିଜେଡି ଟିକଟରେ ନିର୍ବାଚିତ ହୋଇଛନତି । ଏକଦା ଓଡିଶାକୁ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଦେଇଥିବା କଂଗ୍ରେସ ଦଳ କିନ୍ତୁ ଓଡିଶା ବିଧାନସଭାରେ ତାହାର ମହିଳା ପ୍ରତିନିଧିତ୍ୱ ସଂଖ୍ୟା ୧ରେ ସୀମିତ ରଖିଛି ।

ବିଜେପି ଟିକଟରେ ଜିଣିଥିବା ବିଧାୟିକାମାନେ ହେଲେ ସୁରମା ପାଢୀ, ପ୍ରଭାତୀ ପରିଡା, ଉପାସନା ମହାପାତ୍ର, ସଞ୍ଜଳି ମୁର୍ମୁ ଓ ସୀମାରାଣୀ ନାୟକ । ଶ୍ରୀମତୀ ପାଢୀ ଏବେ ବିଧାନସଭା ବାଚସ୍ପତି ଆସନ ଅଳଙ୍କୃତ କରିଥିବାବେଳେ ଶ୍ରୀମତୀ ପରିଡା ପ୍ରଥମଥର ପାଇଁ ନିର୍ବାଚିତ ହେଲେ ବି ଉପମୁଖ୍ୟମନ୍ତ୍ରୀ ପଦବୀରେ ରହିଛନ୍ତି । ଉପାସନା ଓ ସଞ୍ଜଳି ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବାବେଳେ ସୀମାରାଣୀ ନାୟକ ପୂର୍ବରୁ ବିଜେଡି ବିଧାୟିକା ଥିଲେ ।

ବିଜେଡିର ୫ଜଣ ବିଧାୟିକା ହେଲେ ପ୍ରମିଳା ମଲ୍ଲିକ, ବର୍ଷାସିଂ ବରିହା, ସୁବାସିନୀ ଜେନା, ସୁଜାତା ସାହୁ ଓ ମନୋରମା ମହାନ୍ତି । ଶ୍ରୀମତୀ ମଲ୍ଲିକ ପୂର୍ବରୁ ମନ୍ତ୍ରୀ, ମୁଖ୍ୟ ସଚେତକ ଓ ବିଧାନସଭାର ବାଚସ୍ପତି ଥିବାବେଳେ ବର୍ଷାସିଂ ବରିହା ଗତ ବିଧାନସଭାକୁ ମଧ୍ୟ ଉପନିର୍ବାଚନ ଜିଣି ଆସିଥିଲେ । ବିଜେଡିର ଅନ୍ୟ ତିନି ଜଣ ବିଧାୟିକା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି ।

୧୯୭୨ ଓ ୧୯୭୪ରେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତ୍ରୀ ନନ୍ଦିନୀ ଶତପଥୀ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସମୟରେ ବିଧାନସଭାରେ କଂଗ୍ରେସଦଳର ମହିଳା ପ୍ରତିନିଧିମାନଙ୍କ ଭଲ ସଂଖ୍ୟା ରହୁଥିଲା । ଚଳିତ ବିଧାନସଭାରେ କଂଗ୍ରେସ ନେତ୍ରୀ ସୋଫିଆ ଫିର୍ଦ୍ଦୋସ ଦଳର ପ୍ରତିନିଧିତ୍ୱ କରୁଛନ୍ତି ।

ଲୋକସଭାରେ ମଧ୍ୟ ଓଡିଶାର ମହିଳା ପ୍ରତିନିଧିତ୍ୱ ଗତଥର ତୁଳନାରେ କମିଛି । ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଲାଗି ବିଲ୍‍ ପାରିତ ହେବାସହ ତାହା ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଥିଲେ ମଧ୍ୟ ଏଥିରେ ଥିବା ବ୍ୟବସ୍ଥା ଯୋଗୁଁ ତାହା ୨୦୨୪ ନିର୍ବାଚନରେ ଲାଗୁ ହୋଇପାରି ନାହିଁ । ଯଦି ଏହି ଆଇନ୍‍ ଲାଗୁ ହୋଇଥାନ୍ତା ତେବେ ଲୋକସଭାରେ ଓଡିଶାର ମହିଳା ପ୍ରତିନିଧିତ୍ୱ ଅନ୍ୟୁନ ୭ ହୋଇଥାନ୍ତା ଏବଂ ବିଧାନସଭାରେ ବିଧାୟିକାଙ୍କ ସଂଖ୍ୟା ୪୯ରେ ପହଞ୍ଚିଥାନ୍ତା ।

୪୯ ପରିବର୍ତ୍ତେ ଏବେ ମାତ୍ର ୧୧ଜଣ ମହିଳା ବିଧାନସଭାର ସଦସ୍ୟା ରହିଛନ୍ତି । ଯାହା କି ମୋଟ୍‍ ସଦସ୍ୟ ସଂଖ୍ୟାର ମାତ୍ର ୭.୪୮ ପ୍ରତିଶତ । ମହିଳା ସଂଗଠନମାନେ କହୁଛନ୍ତି ଯେ ତୁରନ୍ତ ଏହି ଆଇନ୍‍କୁ କାର୍ଯ୍ୟକାରୀ କରାଗଲେ ପରବର୍ତ୍ତୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡିଶାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଇବ ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୧ ପରଠାରୁ ଆଉ ଜନଗଣନା ହୋଇନାହିଁ । ଜନଗଣନା ରିପୋର୍ଟ ମିଳିବାପରେ ପୁଣି ‘ଡିଲିମିଟେସନ’ କମିଶନ ବସାଯିବ ଏବଂ ଏହି କମିଶନ କେଉଁ ଅଣସଂରକ୍ଷିତ ଓ ସଂରକ୍ଷିତ ନିର୍ବାଚନମଣ୍ଡଳୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ହେବ ତାହା ନିରୂପଣ କରିବେ । (ତଥ୍ୟ)