Home Agriculture ବଢ଼ିଲା ଫସଲ ବୀମା ପଞ୍ଜିକରଣ ଅବଧି

ବଢ଼ିଲା ଫସଲ ବୀମା ପଞ୍ଜିକରଣ ଅବଧି

ଭୁବନେଶ୍ୱର : ରାଜ୍ୟରେ ଖରିଫ୍ ୨୦୨୬ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧୀନରେ ପଞ୍ଜୀକରଣର ଶେଷ ତାରିଖକୁ ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟ ସମବାୟ ବିଭାଗର ଅନୁରୋଧ କ୍ରମେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଏହି ସମ୍ପ୍ରସାରଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି I

ଏହି ସମ୍ପ୍ରସାରଣ ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନା ଅଧୀନରେ ପଞ୍ଜୀକୃତ ହେବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଅସୂଚିତ ବିପଦରୁ ସୃଷ୍ଟି ହେଉଥ‌ିବା ସମ୍ଭାବ୍ୟ କ୍ଷତିରୁ ସେମାନଙ୍କ ଫସଲକୁ ସୁରକ୍ଷିତ ରଖିବା ପାଇଁ ଏକ ଅତିରିକ୍ତ ସୁଯୋଗ ପ୍ରଦାନ କରିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଖରିଫ ୨୦୨୬ ଋତୁ ପାଇଁ ଫସଲ ବୀମା ଅଧୀନରେ, ବିଜ୍ଞାପିତ ଅଞ୍ଚଳରେ ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା, ଏବଂ ହଳଦୀ ଆଦି ଫସଲଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନା ଋଣି କୃଷକ, ଅଣ-ଋଣି କୃଷକ ଏବଂ ଭାଗଚାଷୀମାନଙ୍କ ପାଇଁ ଉପଲବ୍ଧ ।

ରାଜ୍ୟ ସରକାର ପ୍ରତ୍ୟେକ ଚାଷୀଙ୍କୁ ୫ ଏକର ପର୍ଯ୍ୟନ୍ତ ମାଗଣାରେ ଫସଲ ବୀମା ସୁବିଧା ଯୋଗାଇ ଦେଉଛନ୍ତି, ଯେଉଁଥିରେ ଆକାଉଣ୍ଟ ସତ୍ୟାପନ (ଭାଲିଡେସନ୍) ପାଇଁ ପ୍ଲଟ୍ ପିଛା କେବଳ ୧ ଟଙ୍କାର ନାମମାତ୍ର ଶୁଳ୍କ ନିଆଯାଉଛି I କୃଷକଙ୍କ ପ୍ରିମିୟମ ଅଂଶ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାର ବହନ କରୁଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସବସିଡି ସହାୟତା ମଧ୍ୟ ରହିଛି। ପଞ୍ଜୀକରଣ ପାଇଁ କୃଷକମାନଙ୍କ ପାଖରେ ଆଧାର ନମ୍ବର କିମ୍ବା ଆଧାର ପଞ୍ଜୀକରଣର ପ୍ରମାଣପତ୍ର ରହିବା ଆବଶ୍ୟକ । ଏଥିସହିତ ଜମି ପଟ୍ଟା, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଫସଲ ସମ୍ପର୍କିତ ସୂଚନା ସହିତ ଆବଶ୍ୟକୀୟ ଦଲିଲଗୁଡ଼ିକ ମଧ୍ଯ ପଞ୍ଜୀକରଣ ସମୟରେ ଆବଶ୍ୟକ ହେବ ।

ପଞ୍ଜୀକରଣ ପାଇଁ ଋଣଗ୍ରହିତା ଚାଷୀମାନେ ସେମାନଙ୍କର ସମ୍ପୃକ୍ତ ପ୍ୟାକ୍ସ/ଲାମ୍ପସ କିମ୍ବା ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରିପାରିବେ। ଅଣ-ଋଣି କୃଷକମାନେ ଜନ ସେବା କେନ୍ଦ୍ର, ସମବାୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ ଶାଖା, ବୀମା ମଧ୍ଯସ୍ଥି ଏବଂ ଅନୁମୋଦିତ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ଯମରେ ପଞ୍ଜୀକରଣ କରିପାରିବେ I