Home Administration ବଡ ବଦଳି ଅପେକ୍ଷାରେ ଅଫିସର, ଯନ୍ତ୍ରୀ

ବଡ ବଦଳି ଅପେକ୍ଷାରେ ଅଫିସର, ଯନ୍ତ୍ରୀ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‍ ଅଫିସରଙ୍କ ମଧ୍ୟରେ ଏକ ଛୋଟ ଧରଣର ଅଦଳ ବଦଳ କରାଯିବା ପରେ ଖୁବ୍‍ଶୀଘ୍ର ବ୍ଲକରୁ ସଚିବାଳୟ ପର୍ଯ୍ୟନ୍ତ ଆଇଏଏସ୍‍, ଆଇପିଏସ୍‍, ଆଇଏଫ୍‍ଏସ୍‍, ଓଏଏସ୍‍, ଓପିଏସ୍‍ ଓ ଅନ୍ୟାନ୍ୟ ପଦ ପଦବୀରେ ଏକ ବଡ ଧରଣର ଅଦଳ ବଦଳ ହେବାର ପ୍ରାକ୍‍ ସୂଚନା ମିଳୁଛି ।

ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ମଧ୍ୟ ବଡ ଧରଣର ଅଦଳ ବଦଳ ପାଇଁ ଚିଠା ପ୍ରସ୍ତୁତି ଚାଲିଥିବା ଶୁଣିବାକୁ ମିଳୁଛି । ଏ ପରିପ୍ରେକ୍ଷୀରେ ବଦଳି ଲାଗି ବ୍ୟାପକ ଲବି ଚାଲୁଥିବା ଦେଖାଯାଉଛି । ତେବେ ପ୍ରଥମପର୍ଯ୍ୟାୟରେ ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ସରକାରୀ ସ୍ତରରେ କିଛି ବଦଳି କରାଯିବ ଏବଂ ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ଚାହିଁ ବଦଳି ହେବ ବୋଲି ରାଜନୈତିକ ସୂତ୍ରରୁ ତଥ୍ୟ ମିଳୁଛି ।

ବିଶେଷକରି ଗତ ସରକାର ସମୟରେ ଯେଉଁ ଅଧିକାରୀମାନେ ନିଜକୁ ଶାସକଦଳ ସହ ସମ୍ପୃକ୍ତ ରଖି ଏକ ଚାଟିଆ କାରବାର ଚଳାଉଥିଲେ ସେମାନଙ୍କୁ ବ୍ଲକ, ତହସିଲ, ଥାନା ଆଦିରୁ ହଟାଇବାପାଇଁ ଶାସକଦଳର ବିଧାୟକଙ୍କ ସମେତ ବହୁ ନେତା ବିଭାଗୀୟ ମନ୍ତ୍ରୀମାନଙ୍କ ନିକଟରେ ଦାବି ଉଠାଉଚନ୍ତି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିରୋଧିଦଳର ବିଧାୟକ ଥିବାବେଳେ କେନ୍ଦୁଝର ଜିଲ୍ଲାର ଯେଉଁ ପୁଲିସ୍‍ ଅଧିକାରୀ ତାଙ୍କୁ ଧାରଣାସ୍ଥଳରୁ ଉଠାଇଆଣି ଅନୁଚିତ ବ୍ୟବହାର ପ୍ରଦର୍ଶନ କରିଥିଲେ ଇତି ମଧ୍ୟରେ ତାଙ୍କର ବଦଳି ହୋଇସାରିବା ପରେ ବହୁ ପୁଲିସ୍‍ ଅଫିସର, ବିଡିଓ, ତହସିଲଦାର ଓ ଯନ୍ତ୍ରୀଙ୍କର ଜିଲ୍ଲା ପାରି ବଦଳି ହେବା ସମ୍ଭାବନା ସୃଷ୍ଟି ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ସରକାର ଗଠନର ମାସକ ଭିତରେ ସଚିବାଳୟରେ ଇତି ମଧ୍ୟରେ ଆଇଏଏସ୍‍ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରାଯାଇଛି । ଏହି କ୍ରମରେ ଆଉ କେତେକ ବିଭାଗର ସଚିବ ଓ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ଅଧିକାରୀ ବଦଳ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ସେହିଭଳି ଭୁବନେଶ୍ୱର, କଟକ ସମେତ କେତେକ କଲେଜରେ ନିର୍ଦ୍ଦିଷ୍ଟ ଅଧ୍ୟାପକ ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ଏମାନଙ୍କୁ ଅନ୍ୟ ସ୍ଥାନକୁ ବଦଳି କରି ଦୁର୍ଗମ ଅଞ୍ଚଳରେ ଦୀର୍ଘବର୍ଷ ଧରି ରହିଥିବା ଅଧ୍ୟାପକମାନଙ୍କୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ ଆଦି ସହରକୁ ବଦଳିପାଇଁ ମଧ୍ୟ ଉଦ୍ୟମ ଚାଲିଛି । ତେବେ ଏକ ସମୟରେ ବହୁ ସଂଖ୍ୟକ ଅଧିକାରୀଙ୍କୁ ବଦଳି କରାଗଲେ ସେମାନଙ୍କ ପରିବହନ ଖର୍ଚ୍ଚର ବଡ ବୋଝ ରାଜକୋଷ ଉପରେ ପଡିବାର ଆଶଙ୍କା ଥିବାରୁ ବଦଳି କ୍ଷେତ୍ରରେ ସରକାର ମାପି ଚୁପି ପଦକ୍ଷେପ ନେବେ ଏବଂ ଏ କ୍ଷେତ୍ରରେ ଆଦୌ ପ୍ରତିହିଂସାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଶାସକଦଳର ଅନେକ ନେତା ଖୋଲା ମନ୍ତବ୍ୟ ଦେଉଛନ୍ତି ।

ସରକାରୀ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ବଦଳି କରିବା ଅପେକ୍ଷା କେଉଁମାନଙ୍କ ସମୟରେ କେତେ ଆର୍ଥିକ ଅନିୟମିତତା ଓ ନିମ୍ନମାନର କାମ ହୋଇଛି ତାହାର ଟିକିନିଖି ତଦନ୍ତକରି ରାଜକୋଷରୁ ବରବାଦ ହୋଇଥିବା ଅର୍ଥ ଏମାନଙ୍କ ଠାରୁ ଆଦାୟ କରିବାଲାଗି ବି କିଛି ନେତା ମତ ଦେଉଛନ୍ତି ।

ତେବେ ଓଡିଶାରେ ବିଜେପି ସରକାର ଗଠିତ ହେବାପରେ ଏଯାବତ୍‍ ନୂଆ ବଦଳିନୀତି ପ୍ରଣୟନ କରାଯାଇ ନାହିଁ । ପୁରୁଣା ବଦଳି ନୀତି ଆଧାରରେ ସରକାର ଯେବେ ଯେଉଁ କର୍ମଚାରୀଙ୍କୁ କ୍ୟାଡର ଭିତରେ ଯେକୌଣସି ସ୍ଥାନକୁ ବି ବଦଳି କରିବାର କ୍ଷମତା ରଖିଛନ୍ତି । ଏହାଛଡା ସାଧାରଣତଃ ଜଣେ ଜଣେ କର୍ମଚାରୀ ଗୋଟିଏ ଆସନରେ ତିନିବର୍ଷ ପର୍ଯ୍ୟନ୍ତ ରହିବାର ଯେଉଁ ପୁରୁଣା ନୀତି ରହିଛି ତାହାର କେତେ ଅନୁପାଳନ ଓ ଉଲ୍ଲଙ୍ଘନ ହୋଇଛି ସେ ସଂକ୍ରାନ୍ତରେ ବଦଳି ବେଳେ ବି ଅନୁଧ୍ୟାନ କରାଯିବ ବୋଲି କୁହାଯାଉଛି । (ତଥ୍ୟ)