Home General ବଡଦାଣ୍ଡରେ ସିଝୁଛନ୍ତି ଭକ୍ତ

ବଡଦାଣ୍ଡରେ ସିଝୁଛନ୍ତି ଭକ୍ତ

ପୁରୀ : ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଶ୍ରୀକ୍ଷେତ୍ର ପୁରୀ ଓ ତାହାର ପବିତ୍ର ବଡ଼ଦାଣ୍ଡ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ତତଲା ତାୱା ପରି ଟକମକ ହେଉଥିବାବେଳେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଧାଡି ଯନ୍ତ୍ରଣା ଭୋଗୁଛନ୍ତି । ଏ ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ଚାରୋଟି ଯାକ ଦ୍ୱାର ଦର୍ଶନାର୍ଥୀମାନଙ୍କ ପାଇଁ ଖୋଲା ରଖିବାକୁ ଦଳମତ ନିର୍ବିଶେଷରେ ଦାବି ହେଉଛି ।

ସିଂହଦ୍ୱାର ଦେଇ ଦର୍ଶନାର୍ଥୀମାନଙ୍କୁ ଭିତରକୁ ଛଡାଯାଉଛି । ଏଥିପାଇଁ ସେମାନେ ଗୋଡରୁ ଜୋତା ଚପଲ କାଢି ଘଣ୍ଟା ଘଣ୍ଟା ଧରି ତତଲା ପିଚୁ ଓ କଂକ୍ରିଟ ଚଟାଣ ଉପରେ ପ୍ରଚଣ୍ଡ ଖରାରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଭକ୍ତମାନଙ୍କ ଲାଗି ଯେଉଁ ଅସ୍ଥାୟୀ ଶୀତତାପ ନିୟନ୍ତ୍ରିତ ଟନେଲ୍‍ ବ୍ୟବସ୍ଥା କରାଯାଇଛି ତାହା ପର୍ଯ୍ୟାପ୍ତ ହେଉନାହିଁ । କେବଳ ସେତିକି ନୁହେଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ପ୍ରଚଣ୍ଡ ଝାଞ୍ଜିରେ ଘଣ୍ଟା ଘଣ୍ଟା ଧରି ସିଝୁଛନ୍ତି ।

ପରିକ୍ରମା ପ୍ରକଳ୍ପସ୍ଥଳୀ ଆକର୍ଷଣୀୟ ହୋଇଥିଲେ ମଧ୍ୟ ଏହା ଉପରେ ଖରାବେଳେ ପରିକ୍ରମା କରିବା ଅସମ୍ଭବ ହୋଇପଡୁଛି । ଶ୍ରୀମନ୍ଦିର ପରିଚାଳନା କମିଟିର କେତେକ ସଦସ୍ୟଙ୍କ ସମେତ ଅନେକ ସେବାୟତ, ସ୍ଥାନୀୟ ବାସିନ୍ଦା ଏବଂ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ କହୁଛନ୍ତି ଯେ କୋଟି କୋଟି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରୋଟି ଦ୍ୱାର ରଖାଯାଇଛି । ଏସବୁ ଦ୍ୱାର ଦେଇ ମନ୍ଦିର ଭିତରକୁ ବିନା ଠେଲାପେଲାରେ ପ୍ରବେଶ କରି ହେଉଥିଲା ।

ତେବେ କୋଭିଡ୍‍ର ଭୟଙ୍କର ପରିସ୍ଥିତି ଓ ପରବର୍ତ୍ତୀ ସମୟରେ ପରିକ୍ରମା ପ୍ରକଳ୍ପ ନିର୍ବାଚନ ଯୋଗୁ ତିନୋଟି ଦ୍ୱାର ବନ୍ଦ ରଖି କେବଳ ସିଂହଦ୍ୱାର ବାଟେ ଯାତ୍ରୀମାନଙ୍କୁ ଛଡାଯାଉଛି । ପରିକ୍ରମା ପ୍ରକଳ୍ପ କାମ ସରିବା ପରେ ସବୁ ଦ୍ୱାର ଖୋଲାଯିବ ବୋଲି କୁହାଯାଉଥିଲା । ଇତିମଧ୍ୟରେ ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟିତ ହୋଇସାରିଥିଲେ ମଧ୍ୟ ଭକ୍ତମାନଙ୍କ ପାଇଁ ସବୁଦ୍ୱାର ଖୋଲୁନାହିଁ । ଅବଶ୍ୟ ଉତ୍ତର ଦ୍ୱାର ଦେଇ ପରିଚୟପତ୍ର ଯାଞ୍ଚ ପରେ ସ୍ଥାନୀୟ ବାସିନ୍ଦାଙ୍କୁ ଛାଡିବାର ବନ୍ଦୋବସ୍ତ ହୋଇଛି । ତେବେ ସ୍ଥାନୀୟ ବାସିନ୍ଦା ସେମାନଙ୍କ ବନ୍ଧୁ ବାନ୍ଧବଙ୍କୁ ସାଙ୍ଗରେ ଧରି ଏହି ଦ୍ୱାର ଦେଇ ଯାଇପାରୁନାହାନ୍ତି । ଏ ପରିପ୍ରେକ୍ଷୀରେ ସହଜ ଦର୍ଶନର ଲୋଭ ଦେଖାଇ କିଛି ଅସାଧୁ ବ୍ୟକ୍ତି ମୋଟା ଅଙ୍କର ଅର୍ଥ ନେଉଥିବା ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି ।

ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ସିଝୁଥିବାବେଳେ ତଥାକଥିତ ଭିଆଇପିମାନେ ବିନା ଧାଡିରେ ସିଂହଦ୍ୱାର ଦେଇ ଭିତରକୁ ଯାଇପାରୁଛନ୍ତି । ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ କେବଳ ଭିଆଇପି ହୋଇଥିବାବେଳେ ନେତା ଓ ଅଧିକାରୀମାନେ କିନ୍ତୁ ନିଜକୁ ଭିଆଇପି ଦାବି କରି ସ୍ୱତନ୍ତ୍ର ସୁବିଧା ପାଉଛନ୍ତି । ଏବେ ନିର୍ବାଚନ ଋତୁ ଚାଲିଥିବାରୁ ବିଭିନ୍ନ ଦଳର ନେତା ଓ ପ୍ରାର୍ଥୀମାନେ ଶ୍ରୀମନ୍ଦିର ନିକଟରେ ଫଟୋ ଉଠାଇବା ସହ ବିନା ଧାଡିରେ ମନ୍ଦିର ଭିତରକୁ ଯାଇ ଦର୍ଶନ ସୁଯୋଗ ପାଇବା ଘଟଣା ଭକ୍ତମାନଙ୍କୁ ବ୍ୟଥିତ କରୁଛି । ଦଳମତ ନିର୍ବିଶେଷରେ ଏହି ନେତାମାନେ କିନ୍ତୁ ଭକ୍ତମାନଙ୍କ ଦୁର୍ଦ୍ଦଶାପ୍ରତି ଆଖି ବୁଜି ଦେଉଛନ୍ତି ।

କେବଳ ଗୋଟିଏ ଦ୍ୱାର ଦେଇ ଭକ୍ତମାନଙ୍କୁ ଭିତରକୁ ଛଡାଯିବା ଫଳରେ ୭ପାହାଚ ନିକଟରେ ଗର୍ଭଗୃହକୁ ପ୍ରବେଶ କରିବାବେଳେ ଅସମ୍ଭବ ଧରଣର ଠେଲାପେଲା ହେଉଛି । ଏଥିରେ ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ମହିଳା ଓ ପିଲାମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ପୁରୀର ସାହି ମୁଖିଆ, ପୁରୁଖା ନାଗରିକ, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ସେବାୟତମାନେ କହୁଛନ୍ତି ଯେ ଏଭଳି ସମସ୍ୟାର ସମାଧାନ ପାଇଁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ପରିଚାଳନା କମିଟିର ସଦସ୍ୟବୃନ୍ଦ ଏବଂ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ବିଚାର ବିମର୍ଷ କରି ଏବଂ ମାଦଳା ପାଞ୍ଜି ସମେତ ଅନ୍ୟାନ୍ୟ ତଥ୍ୟର ପର୍ଯ୍ୟାଲୋଚନା କରି ପୂର୍ବବତ୍‍ ଶ୍ରୀମନ୍ଦିରର ଚାରିଦ୍ୱାର ଯେଭଳି ଭକ୍ତମାନଙ୍କ ପାଇଁ ଖୋଲା ଯାଇପାରିବ ସେ ଦିଗରେ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ । (ତଥ୍ୟ)