Home Administration ବଞ୍ଚିତ ପ୍ରାର୍ଥୀ ହେଲେ ପୁରୀର ଡେପୁଟି କଲେକ୍ଟର

ବଞ୍ଚିତ ପ୍ରାର୍ଥୀ ହେଲେ ପୁରୀର ଡେପୁଟି କଲେକ୍ଟର

ଭୁବନେଶ୍ୱର : ଓଡିଶା ହାଇକୋର୍ଟଙ୍କ ରାୟ ଆଧାରରେ ଓଏଏସ୍‍ ପ୍ରଥମ ଶ୍ରେଣୀ ପାହ୍ୟାରେ ନିଯୁକ୍ତି ପାଇଥିବା ଅଣୁଶ୍ରଭ ଗନ୍ତାୟତଙ୍କୁ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ପୁରୀ ଜିଲ୍ଲାର ଡେପୁଟୀ କଲେକ୍ଟର ହିସାବରେ ନିଯୁକ୍ତି ଦେଇଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଏକ ସରକାରୀ ବିଜ୍ଞପ୍ତି ଜାରି ହୋଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୨୩ ଡିସେମ୍ବର ୧୯ତାରିଖରେ ଓଡିଶା ହାଇକୋର୍ଟ ଦେଇଥିବା ରାୟ ଆଧାରରେ ଅଣୁଶ୍ରଭ ଗନ୍ତାୟତଙ୍କୁ ୨୦୨୪, ଜୁଲାଇ ୨୪ତାରିଖରେ ସରକାର ନିଯୁକ୍ତି ଦେଇଥିଲେ । ଇତି ମଧ୍ୟରେ ସେ ସଫଳତାର ସହ ତାଙ୍କର ତାଲିମ ସମାପ୍ତ କରିଛନ୍ତି । ତାଲିମ ପରେ ତାଙ୍କୁ ପୁରୀର ଡେପୁଟି କଲେକ୍ଟର ହିସାବରେ ଅବସ୍ଥାପିତ କରାଯାଇଛି ।

ଏନଆଇଟି ରାଉରକେଲାରୁ କୃତୀତ୍ୱର ସହ ବି.ଟେକ୍‍ ଡିଗ୍ରୀ ହାସଲ କରିଥିବା କୋରାପୁଟ ଜିଲ୍ଲା ବୋରିଗୁମ୍ମାର ଯୁବକ ଅଣୁଶ୍ରଭ ୨୦୧୭ ବ୍ୟାଚ୍‍ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିଥିଲେ । ପ୍ରିଲିମିନାରୀ, ଲିଖିତ ଓ ମୌଖିକ ପରୀକ୍ଷାରେ ସେ ଢେର ଭଲ ପ୍ରଦର୍ଶନ କରିଥିଲେ । ତାଙ୍କର ସମସ୍ତ ସାର୍ଟିଫିକେଟ ଓଡିଶା ଲୋକସେବା ଆୟୋଗ ଚୂଡାନ୍ତ ପରୀକ୍ଷା ପୂର୍ବରୁ ଅନ୍ୟମାନଙ୍କ ସହ ତନଖି କରିଥିଲେ । ତେବେ ଓପିଏସ୍‍ସି ୨୦୧୮ ମସିହାରେ ପ୍ରକାଶ କରିଥିବା ମେଧା ତାଲିକାରେ ଅଣୁଶ୍ରଭଙ୍କର ନାମ ହଜିଯାଇଥିଲା ।

ସେ ୧୩୬୫ ନମ୍ବର ରଖିଥିବାବେଳେ ତାଙ୍କ ନାମକୁ ମେଧା ତାଲିକାରୁ ବାଦ୍‍ ଦେଇ ୧୩୦୨ ଏମିତିକି ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ବି ଓଏଏସ୍‍ ଚାକିରି ପାଇଁ ଆୟୋଗ ସୁପାରିଶ୍‍ କରିଥିଲେ ଏବଂ ସେହି ଆଧାରରେ ସେମାନେ ନିଯୁକ୍ତି ପାଇଥିଲେ । ବହୁ ଧାଁ ଧପଡ ପରେ ଆୟୋଗ କହିଥିଲା ଯେ ଅଣୁଶ୍ରଭଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିଦିଆଯାଇଛି ବୋଲି ।

ଏ ସଂକ୍ରାନ୍ତରେ ଜାଣିବାପରେ ସାଧାରଣ ପ୍ରଶାସନ ବିଭାଗ ଏମିତିକି ନିଜେ ମୁଖ୍ୟ ଶାସନ ସଚିବ ଓଡିଶା ଲୋକସେବା ଆୟୋଗଙ୍କୁ ଚିଠିଲେଖି ଅଣୁଶ୍ରଭଙ୍କ ନାମ ମେଧା ତାଲିକାର ଯଥାସ୍ଥାନରେ ରଖି ସରକାରଙ୍କ ନିକଟକୁ ପଠାଇବାକୁ କହିଥିଲେ ବି ଆୟୋଗ ଏହାକୁ ଉପେକ୍ଷା କରିଥିଲେ । ଏମିତିକି ଏ ସଂକ୍ରାନ୍ତରେ ସ୍ୟାଟ୍‍ଙ୍କ ନିର୍ଦ୍ଦେଶନାମାର ମଧ୍ୟ ଠିକଣା ଭାବେ ଅନୁପାଳନ କରାଯାଇନଥିଲା ।

ଏ ପରିପ୍ରେକ୍ଷୀରେ ଅଣୁଶ୍ରଭ ହତାଶ ନହୋଇ ଆଇନ୍‍ ବ୍ୟବସ୍ଥା ଉପରେ ଭରସା ରଖି ଓଡିଶା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ତାଙ୍କ ବ୍ୟାଚ୍‍ର କମ୍‍ ନମ୍ବର ରଖିଥିବା ପ୍ରାର୍ଥୀମାନେ ୨୦୧୯ ମସିହାରେ ନିଯୁକ୍ତି ପାଇଥିଲେ ବି କୋରାପୁଟ ଜିଲ୍ଲାର ଏହି ଯୁବକ ଜଣଙ୍କ ଧୈର୍ଯ୍ୟର ସହ ମାମଲା ଲଢିଥିଲେ । ଅବଶ୍ୟ ଏଥିରେ ତାଙ୍କୁ ଜଣେ ଆଇନ୍‍ଜୀବୀ ସହାୟତାର ହାତ ବଢାଇଥିଲେ । ଦୀର୍ଘ ପାଞ୍ଚବର୍ଷର ପ୍ରତୀକ୍ଷା ପରେ ଓଡିଶା ହାଇକୋର୍ଟଙ୍କ ରାୟ ମୁତାବକ ତାଙ୍କୁ ନିଯୁକ୍ତି ମିଳିଲା ।

ଓଡିଶା ହାଇକୋର୍ଟ ତାଙ୍କ ରାୟରେ ଅଣୁଶ୍ରଭଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ସ୍ପଷ୍ଟ କରିଦେବା ସହିତ ଆୟୋଗ ମେଧା ତାଲିକାରେ ଯଥା ସ୍ଥାନରେ ତାଙ୍କ ନାମ ସ୍ଥାନିତ କରି ସରକାରଙ୍କ ନିକଟକୁ ପଠାଇବା ଓ ସରକାର ନିର୍ଦ୍ଧାରିତ ସମୟସୀମା ଭିତରେ ତାଙ୍କୁ ନିଯୁକ୍ତି ଦେବାକୁ କହିଥିଲେ । ଏହାଛଡା ୨୦୧୯ ମସିହାରୁ ମେଧା ତାଲିକା ଆଧାରରେ ତାଙ୍କର ବରିଷ୍ଠତା ଓ ବେତନ ସ୍ଥିର କରିବା ସହିତ ତାଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଅଦାଲତ ଉଲ୍ଲେଖ କରିବା ସଂଗେ ସଂଗେ କୋର୍ଟଙ୍କ ଆଦେଶର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ପ୍ରଶାସନ, ଆଇନ୍‍, ଅର୍ଥ ଓ ରାଜସ୍ୱ ଆଦି ବିଭାଗ ଏହି ରାୟର ତର୍ଜମା କରିବାପରେ ତାଙ୍କୁ ବିଳମ୍ବରେ ନିଯୁକ୍ତି ମିଳିଛି । ଓଡିଶା ଲୋକସେବା ଆୟୋଗ ଏହି କ୍ଷତିଗ୍ରସ୍ତ ପ୍ରାର୍ଥୀଙ୍କୁ କୋର୍ଟଙ୍କ ରାୟ ମୁତାବକ ଲକ୍ଷେ ଟଙ୍କାର କ୍ଷତିପୂରଣ ଦେଇ ଅନୁପାଳନ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ପକ୍ଷଭୁକ୍ତ ଥିବା ଏହି ମାମଲାରେ ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ବି ତାହା ଏଯାବତ୍‍ କାର୍ଯ୍ୟକାରୀ ହୋଇନଥିବା ସରକାରୀ ସୂତ୍ରରୁ ଜଣାପଡିଛି । (ତଥ୍ୟ)