Home Administration ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ନୂଆ ମୁଖ୍ୟମନ୍ତ୍ରୀ

ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରତିଯୋଗିତାମୂଳକ ପରୀକ୍ଷାରେ ଢେର ଅଧିକ ନମ୍ବର ରଖିଥିଲେ ମଧ୍ୟ ଜଣେ କୃତୀ ପ୍ରାର୍ଥୀଙ୍କୁ ସାଢେ ପାଞ୍ଚବର୍ଷ ଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ କରାଯାଇଥିବାବେଳେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ସଂକ୍ରାନ୍ତରେ ଚୂଡାନ୍ତ ପଦକ୍ଷେପ ନେଇ ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଓଏଏସ୍‍ ଚାକିରିରେ ନିଯୁକ୍ତି ଦେବାକୁ ଯାଉଛନ୍ତି ।

ଦୀର୍ଘବର୍ଷ ଧରି ନ୍ୟାୟ ପାଇଁ ଆଇନ୍‍ ଅଦାଲତର ଲଢେଇକରି ଜିଣିବାପରେ ବି ଗତ ସାତ ମାସ ଧରି ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ନଥି ବିଭାଗରୁ ବିଭାଗ, ତଳୁ ଉପର ହେବାରେ ଲାଗିଛି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଓଡିଶା ଲୋକସେବା ଆୟୋଗ ତାଙ୍କର ତ୍ରୁଟି ବୁଝିବା ସହିତ ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରି ନିଯୁକ୍ତି ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ଫେବୃୟାରୀ ମାସରେ ସାଧାରଣ ପ୍ରଶାସନ ବିଭାଗକୁ ବିଧିବଦ୍ଧ ଭାବେ ଜଣାଇ ଦେଇଥିଲେ ।

ସାଧାରଣ ପ୍ରଶାସନ ବିଭାଗ ହାଇକୋର୍ଟଙ୍କ ରାୟ ସଂକ୍ରାନ୍ତରେ ଅନ୍ୟ ବିଭାଗ ସହ ଆଲୋଚନା କରିବାପରେ ଅର୍ଥ ବିଭାଗରୁ ଅନୁମୋଦନ ଆଣିଥିଲେ । ଏହାପରେ ନିଯୁକ୍ତି ପୂର୍ବରୁ ସମ୍ପୃକ୍ତ ପ୍ରାର୍ଥୀଙ୍କ ସ୍ୱାସ୍ଥାବସ୍ଥା ଯାଞ୍ଚ କରିବା ଲାଗି ଏସ୍‍ସିବି ମେଡିକାଲ କଲେଜରେ ନଅ ଜଣ ବିଶେଷଜ୍ଞ ପ୍ରଫେସରଙ୍କୁ ନେଇ ଏକ ମେଡିକାଲ ବୋର୍ଡ ଗଠିତ ହୋଇଥିଲା ଏବଂ ବୋର୍ଡ ମଧ୍ୟ ତାଙ୍କର ରିପୋର୍ଟ ଦେଇ ସାରିଛନ୍ତି । ଇତି ମଧ୍ୟରେ ଉକ୍ତ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ଅଛି କି ନାହିଁ ତାହାର ତଦନ୍ତ କରି କୋରାପୁଟ ଜିଲ୍ଲା ପୁଲିସ୍‍ ମଧ୍ୟ ରିପୋର୍ଟ ଦେଇ ସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଉକ୍ତ ବଞ୍ଚିତ ପ୍ରାର୍ଥୀଙ୍କ ନିଯୁକ୍ତିପତ୍ର ଜାରି କରିବାଲାଗି ସାଧାରଣ ପ୍ରଶାସନ ବିଭାଗ ରାଜସ୍ୱ ବିଭାଗକୁ ଅନୁରୋଧ କରିଥିଲେ ।

ତେବେ ନିର୍ବାଚନ ସରିବାପରେ ନୂଆ ସରକାର କାର୍ଯ୍ୟାରମ୍ଭ କରିବାରୁ ରାଜସ୍ୱ ବିଭାଗ ଏ ସଂକ୍ରାନ୍ତୀୟ ନଥିକୁ ଅନୁମୋଦନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଚୂଡାନ୍ତ ସ୍ୱୀକୃତି ଲାଗି ପଠାଇଛି । ଏଠାରେ ଉଲ୍ଲେଖନୀୟ ଯେ ଏହି ବଞ୍ଚିତ ପ୍ରାର୍ଥୀ ଜଣଙ୍କ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ନଦେଇ ଅଣସଂରକ୍ଷିତବର୍ଗର ୧୩୦୨ ଓ ଦୃଷ୍ଟିବାଧିତ ଭିନ୍ନକ୍ଷମ ବର୍ଗର ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ଓଏଏସ୍‍ ଚାକିରିରେ ନିଯୁକ୍ତି ଦିଆଯାଇଥିଲା । ଇତି ମଧ୍ୟରେ ନିଯୁକ୍ତି ପାଇଥିବା କେତେକ ପ୍ରାର୍ଥୀ ମାମଲା ଚାଲିଥିବାବେଳେ ଚାକିରି ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ।

ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ନିଜେ ମୁଖ୍ୟ ଶାସନ ସଚିବ ଓଡିଶା ଲୋକସେବା ଆୟୋଗଙ୍କୁ ପତ୍ରଲେଖି ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନାମ ଯୋଗ୍ୟତା ଆଧାରରେ ଅଣସଂରକ୍ଷିତ ପ୍ରାର୍ଥୀଭାବେ ପଠାଇବାପାଇଁ କହିଥିଲେ ମଧ୍ୟ ଆୟୋଗ ସେଥିପ୍ରତି ଅଣଦେଖା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପ୍ରତି ନିଯୁକ୍ତି କ୍ଷେତ୍ରରେ ଅନ୍ୟାୟ କରାଯାଇଥିବା ଘେନି ସ୍ୱୀକାର କରାଯାଇଥିଲା ।

ଗତ ଡିସେମ୍ବର ମାସରେ ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ୨୦୨୪ ଫେବୃୟାରୀ ସୁଦ୍ଧା ଉକ୍ତ ବଞ୍ଚିତ ପ୍ରାର୍ଥୀଙ୍କୁ ଓଏଏସ୍‍ ଚାକିରିରେ ନିଯୁକ୍ତି ଦେଇ ମାର୍ଚ୍ଚମାସ ସୁଦ୍ଧା ହାଇକୋର୍ଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ୍‍ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ କିଛି ଜଣାଯାଇ ନାହିଁ କିମ୍ବା ବଞ୍ଚିତ ପ୍ରାର୍ଥୀ ଜଣଙ୍କୁ ନିଯୁକ୍ତି ବି ମିଳିନାହିଁ । ଏ ପ୍ରସଙ୍ଗ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନଜରକୁ ଆସିବାପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଦିନେ ଦୁଇଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯାଇ ହାଇକୋର୍ଟଙ୍କ ରାୟ ମୁତାବକ ବଞ୍ଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)