ଭୁବନେଶ୍ୱର : ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଧିକ ନମ୍ବର ରଖିଥିଲେ ମଧ୍ୟ ଚାକିରିରୁ ବଞ୍ଚିତ ଥିବା ଜଣେ ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାଲାଗି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେବାପରେ ଏବେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାଲାଗି ସରକାରୀ ସ୍ତରରେ ଚର୍ଚ୍ଚା ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଏଏସ୍‍ ପରୀକ୍ଷାର ପ୍ରିଲମନାରୀ, ଲିଖିତ ଓ ମୌଖିକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରି ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀ ଅଣୁଶ୍ରଭ ଗନ୍ତାୟନ ୧୩୬୫ ନମ୍ବର ରଖିଥିଲେ ମଧ୍ୟ କେନ୍ଦ୍ରୀୟ ଆଇନର ଖୋଲା ଉଲ୍ଲଘଂନ କରାଯାଇ ତାଙ୍କ ପ୍ରାର୍ଥୀତ୍ୱକୁ ନାକଚ କରାଯିବା ସହିତ ତାଙ୍କଠାରୁ ପ୍ରାୟ ୩ଶହ ନମ୍ବର କମ ରଖିଥିବା ଅନ୍ୟଜଣେ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା । କେବଳ ସେତିକି ନୁହେଁ ଅଣସଂରକ୍ଷିତ ବର୍ଗର ୧୩୦୨ ନମ୍ବର ପର୍ଯ୍ୟନ୍ତ ରଖିଥିବା ପ୍ରାର୍ଥୀମାନଙ୍କୁ ବି ନିଯୁକ୍ତି ଦିଆଯାଇଥିଲା । ୨୦୧୮ ଡିସେମ୍ବର ୧୯ ତାରିଖରେ ଏହି ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପ୍ରାଥିତ୍ୱ ଫଳାଫଳ ପ୍ରକାଶନ ପରେ ଓଡ଼ିଶା ଲୋକସେବା ଆୟୋଗ କାଟି ଦେଇଥିବାବେଳେ ଠିକ୍‍ ୫ବର୍ଷ ପରେ ଓଡ଼ିଶା ହାଇକୋର୍ଟ ୨୦୨୩ ଡିସେମ୍ବର ୧୯ ତାରିଖରେ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

ଅନ୍ୟତମ ବିଚାରପତି ସଞ୍ଜୟ କୁମାର ମିଶ୍ର ଓପିଏସ୍‍ସିର ଆଦେଶକୁ ନାକଚ କରିବା ସହ ୨ମାସ ମଧ୍ୟରେ ଅଣୁଶ୍ରଭଙ୍କୁ ଓଏଏସ୍‍ ଚାକିରିରେ ନିଯୁକ୍ତି ଦେବାଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ଜଣାପଡିବା ପରେ ଏବେ ରାଜ୍ୟ ସଚିବାଳୟରେ ଏଥିଘେନି ଚର୍ଚ୍ଚା ଚାଲିଛି ।

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଅଣୁଶ୍ରଭଙ୍କ ପ୍ରାର୍ଥିତ୍ୱ ନାକଚ କରାଯିବା ଆଇନସମ୍ମନ ନୁହେଁ ବୋଲି ସେ ସମୟରେ ସରକାରଙ୍କ ପକ୍ଷରୁ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ତାଙ୍କ ନାମକୁ ସେ ରଖିଥିବା ନମ୍ବର ଆଧାରରେ ମେଧା ତାଲିକାରେ ସାମିଲ କରିବାକୁ ଅନୁରୋଧ କରାଯାଇଥିଲା ।

ସେହିପରି ସାଧାରଣ ପ୍ରଶାସନ ବିଭାଗର ଅନ୍ୟଜଣେ ଅଧିକାରୀ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏ ସଂକ୍ରାନ୍ତରେ ଅବହିତ ହେବାପରେ ସାଧାରଣ ପ୍ରଶାସନ ବିଭାଗ ଆଇନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ବଞ୍ଚିତ ଭିନ୍ନକ୍ଷମ ପ୍ରାର୍ଥୀ ଅଣୁଶ୍ରଭଙ୍କ ନାମ ଅଣସଂରକ୍ଷିତ ବର୍ଗର ମେଧା ତାଲିକାରେ ସ୍ଥାନିତ କରି ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବା ଲାଗି ସୁପାରିଶ କରାଯାଇଥିଲା । ଏମିତିକି ସେ ସମୟର ମୁଖ୍ୟ ଶାସନ ସଚିବ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଉକ୍ତ ମେଧାବୀ ପ୍ରାର୍ଥୀଙ୍କ ନାମ ଲୋକସେବା ଆୟୋଗ ରାଜ୍ୟ ସରକାରଙ୍କ ନିକଟକୁ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ପଠାଇବାକୁ ଅନୁରୋଧ କରିଥିଲେ । କେବଳ ସେତିକି ନୁହେଁ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ ମଧ୍ୟ ଏହି ମାମଲାର ଶୁଣାଣି କରି ଶାରିରୀକ ଭିନ୍ନକ୍ଷମଙ୍କ ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଆଇନ ଆଧାରରେ ଅଣୁଶ୍ରଭଙ୍କ ଘଟଣାର ପୁର୍ନବିଚାର କରିବାକୁ ଆୟୋଗକୁ ନିର୍ଦ୍ଦେଶ ଦେଇଥିଲେ ।

ଏସବୁ ସତ୍ତ୍ୱେ ଏହି ମେଧାବୀ ପ୍ରାର୍ଥୀ ଜଣଙ୍କ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଭଳି ସ୍ଥିତିରେ ତାଙ୍କଠାରୁ ଢେର୍‍ କମ ନମ୍ବର ରଖି ନିଯୁକ୍ତି ପାଇଥିବା କିଛି ପ୍ରାର୍ଥୀ ଓଏଏସ୍‍ ଚାକିରିରେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହେବ ବୋଲି ଆଶଙ୍କା କରି ଅନ୍ୟତ୍ର ଚାକିରି ପାଇ ଏଠାରୁ ଛାଡି ଚାଲିଯାଇଥିଲେ । ଏବେ ଓଡ଼ିଶା ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଓଡ଼ିଶା ଲୋକସେବା ଆୟୋଗ ଅଣୁଶ୍ରଭଙ୍କ ନାମ ପଠାଇଲେ ରାଜ୍ୟ ସରକାର ଆଇନାନୁମୋଦିତ ପନ୍ଥାରେ ତାଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏହି ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇପାରନ୍ତି ।

ଏହି ଘଟଣା ଏବେ ରାଜ୍ୟ ପ୍ରଶାସନରେ ବେଶ୍‍ ଚହଳ ସୃଷ୍ଟି କରିଥିବାବେଳେ କୋରାପୁଟ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଅଣୁଶ୍ରଭଙ୍କ ପିତାମାତା ବିଳମ୍ବରେ ନ୍ୟାୟ ମିଳିଥିବାରୁ ଭାଗ୍ୟ, ଭଗବାନ ଓ ହାଇକୋର୍ଟଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ୫ବର୍ଷ ଧରି ସେମାନଙ୍କ ପରିବାର ଯେଭଳି ଗଭୀର ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିଲେ ତାହା ଅନ୍ୟ କାହା ଭାଗ୍ୟରେ ନଆସୁ ବୋଲି କହିଛନ୍ତି । (ତଥ୍ୟ)