ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ସରିବାକୁ ଯାଉଥିବାବେଳେ ଅର୍ଥ ବ୍ୟୟ କ୍ଷେତ୍ରରେ ଅଧିକାଂଶ ବିଭାଗ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଆର୍ଥିକ ବ୍ୟବସ୍ଥାର ଠିକଣା ପରିଚାଳନା ଯୋଗୁଁ ଏଭଳି ସଫଳତା ମିଳିଛି ।
ସୂଚନା ଅନୁଯାୟୀ ଚଳିତବର୍ଷ ଫେବୃଆରୀ ଶେଷ ସୁଦ୍ଧା ବିଭାଗମାନେ ବଜେଟ୍ ବ୍ୟୟବରାଦର ୬୭.୯୯ ପ୍ରତିଶତ ଅର୍ଥ ବ୍ୟୟ କରିଛନ୍ତି । ଏହା ପୂର୍ବ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ପ୍ରାୟ ୮ ପ୍ରତିଶତ ଅଧିକ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷର ଫେବୃଆରୀ ଶେଷ ସୁଦ୍ଧା ବଜେଟ୍ ଅର୍ଥର ୬୦.୦୭ ପ୍ରତିଶତ ବ୍ୟୟ ହୋଇଥିଲା ।
ଚଳିତ ଆର୍ଥିକ ବର୍ଷରେ ସରକାର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ଗୁରୁତ୍ୱ ଦେବା ଯୋଗୁଁ ଏହି କ୍ଷେତ୍ରରେ ଅର୍ଥ ଖର୍ଚ୍ଚ ବଢିଛି । ଫେବୃଆରୀ ଶେଷ ସୁଦ୍ଧା ବଜେଟ୍ ବରାଦ ଅର୍ଥର ୭୨.୩୫ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ୭୦.୬୭ ପ୍ରତିଶତ ଅର୍ଥ ବ୍ୟୟ ହୋଇପାରିଥିଲା । ସେହଭଳି ଭିତ୍ତିଭୂମି କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ଠାରୁ ସାମାନ୍ୟ ଅଧିକ ଅର୍ଥ ଅର୍ଥାତ୍ ୬୮.୬୮ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି ।
ଚଳିତ ଆର୍ଥିକ ବର୍ଷରେ ଯୋଜନା ବ୍ୟୟ ଫେବୃଆରୀ ଶେଷ ସୁଦ୍ଧା ୬୬.୭୬ ପ୍ରତିଶତ ରହିଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ୫୮.୬୬ ପ୍ରତିଶତ ରହିଥିଲା । ଯୋଜନା ବ୍ୟୟ କ୍ଷେତ୍ରରେ ୮.୧୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ଯୋଜନା ବରାଦ କ୍ଷେତ୍ରରେ ୨୭ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ବ୍ୟୟ କିନ୍ତୁ ୪୪ ପ୍ରତିଶତ ବଢିଛି ।
ମୋଟାମୋଟି ଭାବେ ଗତ ଆର୍ଥିକ ବର୍ଷ ତୁଳନାରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଖର୍ଚ୍ଚ ୨୬ ପ୍ରତିଶତ ବଢିଥିବାବେଳେ ଭିତ୍ତିଭୂମି କ୍ଷେତ୍ରରେ ୧୨ ପ୍ରତିଶତ, ସାମାଜିକ କ୍ଷେତ୍ରରେ ୬୬ ପ୍ରତିଶତ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୫୯ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଜଳସମ୍ପଦ ବିଭାଗରେ ୨୦ ପ୍ରତିଶତ, ପଶୁସମ୍ପଦ ବିଭାଗରେ ୩୫ ପ୍ରତିଶତ ଓ ସମବାୟ ବିଭାଗରେ ୫୭ପ୍ରତିଶତ ଅଧିକ ଅର୍ଥ ବ୍ୟୟ ହୋଇଛି । ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଅର୍ଥ ବ୍ୟୟ ବୃଦ୍ଧି ପାଇଛି । ପୂର୍ତ୍ତ ବିଭାଗ ପୂର୍ବବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୩ ପ୍ରତିଶତ, ଗ୍ରାମ୍ୟ ଉନ୍ନୟନ ୧୫ ପ୍ରତିଶତ ଓ ଶକ୍ତି ବିଭାଗ ୩୧ ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିପାରିଛି ।
ସାମାଜିକ କ୍ଷେତ୍ରରେ ଅର୍ଥ ବ୍ୟୟ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ୨୦୨୩-୨୪ ବର୍ଷରେ ସାମାଜିକ ବିଭାଗଗୁଡିକ ପୂର୍ବ ବର୍ଷ ତୁଳନାରେ ଅର୍ଥ ବ୍ୟୟ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫% ଅଧିକ ବ୍ୟୟ ହୋଇଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ୬୧%, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୪୧%, ଶ୍ରମ ଓ ନିୟୋଜନ ବିଭାଗ ୬୦%, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ୨୮୧%, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୧୨%, ଉଚ୍ଚଶିକ୍ଷା ବିଭାଗ ୬୧%, ଦକ୍ଷତା ବିକାଶ ଓ ଶିକ୍ଷକ ପ୍ରଶିକ୍ଷଣ ୭୧%, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ୨% ଓ ମିଶନ ଶକ୍ତି ବିଭାଗ ୭୦% ଅଧିକ ଅର୍ଥ ବ୍ୟୟ କରିବାରେ ସକ୍ଷମ ହୋଇଛନ୍ତି । (ତଥ୍ୟ)