Home Assembly ବଜେଟ୍‍ ଅଧିବେଶନ ଶେଷ

ବଜେଟ୍‍ ଅଧିବେଶନ ଶେଷ

ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଶେଷ ହୋଇଛି । ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଏହି ବଜେଟ୍‍ ଅଧିବେଶନ କାଳରେ ୨୦୨୪-୨୫ ବର୍ଷ ପାଇଁ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍‍ ଗୃହର ଅନୁମୋଦନ ଲାଭ କରିଥିବାବେଳେ ଦୁଇଟି ବିଧେୟକ ଗୃହରେ ପାରିତ ହୋଇଛି ।

ଜୁଲାଇ ୨୨ ତାରିଖ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ୍‍ ୨୫ଟି କାର୍ଯ୍ୟ ଦିବସ ରହିଥିବାବେଳେ ଏଥି ମଧ୍ୟରେ ଦୁଇଟି ସରକାରୀ କାର୍ଯ୍ୟଦିବସ ଥିଲା । ଅଧିବେଶନ କାଳରେ ପୂର୍ବତନ ରାଜ୍ୟପାଳ, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ସଦସ୍ୟଙ୍କୁ ମିଶାଇ ଆଠ ଜଣଙ୍କ ସମେତ ଜଣେ ସମାଜସେବୀ ଓ ଜଣେ ପୁଲିସ୍‍ କର୍ମଚାରୀଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଏହି ୨୫ଦିନ କାର୍ଯ୍ୟ ଦିବସ ମଧ୍ୟରେ ୨୮୭୪ଟି ତାରକା ପ୍ରଶ୍ନର ନୋଟିସ୍‍ ଗ୍ରହଣ କରାଯାଇଥିଲା । ସେହିଭଳି ୩୫୩୪ଟି ଅଣତାରକା ପ୍ରଶ୍ନର ନୋଟିସ୍‍ ଗ୍ରହଣ କରାଯାଇଥିବାବେଳେ ୪୯୨୧ଟି ଅଣତାରକା ପ୍ରଶ୍ନର ଉତ୍ତର ଗୃହରେ ଉପସ୍ଥାପନ କରାଯାଇଥିଲା ।

ଅଧିବେଶନ କାଳରେ ବିଭନ୍ନ ବିଷୟ ଉପରେ ଆସିଥିବା ୧୯ଟି ମୁଲତବି ପ୍ରସ୍ତାବ ଆଲୋଚନା ହୋଇଥିବାବେଳେ ୮୩ଟି କାଗଜ ଉପସ୍ଥାପନ ହୋଇଥିଲା । ୧୧ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ ହୋଇଥିବାବେଳେ ୪୨ଟି କମିଟି ରିପୋର୍ଟ, ୮୩ଟି ନିବେଦନ, ୫ଟି ବିବୃତ୍ତି, ଗୋଟିଏ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଆଗତ ହୋଇଥିଲା ।

ଦୁଇଟି ସରକାରୀ ବିଧେୟକ ଆସିଥିବାବେଳେ ତାହା ଗୃହର ଅନୁମୋଦନ ଲାଭ କରିଥିଲା । ଅଧିବେଶନ କାଳରେ ୨୧ଟି ବିଭାଗର ଖର୍ଚ୍ଚଦାବି ଉପରେ ସରଗରମ ଆଲୋଚନା ହୋଇଥିବାବେଳେ ଅନ୍ୟ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‍ ଦ୍ୱାରା ପାରିତ ହୋଇଥିଲା । ଅଧିବେଶନର ଅନ୍ତିମ ଦିବସରେ ଆଜି ୬ଟି ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା ।

ଦୁଇଟି ପର୍ଯ୍ୟାୟରେ ଚାଲିଥିବା ବଜେଟ୍‍ ଅଧିବେଶନରେ ରାଜ୍ୟପାଳଙ୍କ ପୁଅଙ୍କ ମାଡମରା, ସୁଭଦ୍ରା ଯୋଜନା, ରେଭେନ୍ସାର ନାମ ପରିବର୍ତ୍ତନ, ପୋଲାଭରମ ପ୍ରକଳ୍ପ ଆଦି ପ୍ରସଙ୍ଗରେ ବିରୋଧିଦଳ ସଦସ୍ୟମାନେ ଗୃହ ମଧ୍ୟରେ ହଟଗୋଳ କରିବା ସହିତ କକ୍ଷତ୍ୟାଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ପ୍ରାୟତଃ ସବୁ କାର୍ଯ୍ୟଦିବସରେ ବିରୋଧି ଓ ଶାସକଦଳର ସଂଖ୍ୟାଧିକ ସଦସ୍ୟ ଗୃହରେ ଉପସ୍ଥିତ ରହୁଥିଲେ ।