ଭୁବନେଶ୍ୱର : ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାର କଳେବର ଚଳିତ ବର୍ଷ ଅପେକ୍ଷା ବଡ ହେବବୋଲି ଅଟକଳ କରାଯାଇଛି ।
ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ବିଭିନ୍ନ ବିଭାଗ ସହିତ ବଜେଟ୍ ପ୍ରସ୍ତୁତି ନେଇ ପ୍ରାକ୍ ଆଲୋଚନା ଆରମ୍ଭ କରିଥିବାବେଳେ ବିଭାଗମାନେ ସେମାନଙ୍କର ଆବଶ୍ୟକତା ଜଣାଇ ଦେଇଛନ୍ତି । ଶ୍ରୀ ଦେବଙ୍କ ନେତୃତ୍ୱରେ ଅର୍ଥ ବିଭାଗର ଅଧିକାରୀମାନେ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେଉଛନ୍ତି ।
ଉଭୟ ଟିକସ ଓ ଅଣଟିକସ ରାଜ୍ୟ ଆଦାୟ ବୃଦ୍ଧି ପାଉଥିବାବେଳେ ୨୦୨୨-୨୩ରେ ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ବହୁଗୁଣିତ ହେବାର ଆଶା କରାଯାଉଛି । ଆର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ଅଟକଳ ଅନୁଯାୟୀ ଆଗାମୀ ଆର୍ଥିକ ବର୍ଷରେ ଭାରତ ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ଥିବାବେଳେ ଓଡିଶାରେ ଏହା ଅପେକ୍ଷା ଅଧିକ ଅଭିବୃଦ୍ଧିର ଆଶା କରାଯାଉଛି । ଏହି ଅଭିବୃଦ୍ଧିର ପରିମାଣ ଶତକଡା ୯ ପ୍ରତିଶତ ହେବ ବୋଲି ଅଟକଳ କରାଯାଇଛି ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଶ୍ରୀ ଦେବଙ୍କ ନେତୃତ୍ୱରେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ବସି ସେମାନେ ଆର୍ଥିକ ବର୍ଷ ବଜେଟ୍ ପାଇଁ ଯେଉଁ ଆବଶ୍ୟକତାର ତାଲିକା ପ୍ରଦାନ କରିଛନ୍ତି ସେ ସଂକ୍ରାନ୍ତରେ ପ୍ରାକ୍ ବଜେଟ୍ ଆକଳନ ଆଲୋଚନା ଚଳାଇଛନ୍ତି । ପ୍ରତ୍ୟେକ ବିଭାଗ ଯେଉଁ ଆକଳନ ପ୍ରଦାନ କରିଛନ୍ତି ତାହାକୁ ହିସାବକୁ ନେଇ ଚୂଡାନ୍ତ ବଜେଟ୍ ପ୍ରସ୍ତୁତ ହେବ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ଜିଏସ୍ଟି କମ୍ ଆଦାୟ ଯେଉଁ ହେଉଥିବା କ୍ଷତି ସହିବେ ତାହାର କ୍ଷତିପୂରଣ କେନ୍ଦ୍ର ସରକାର ଆଗାମୀ ବର୍ଷ ଜୁନ୍ମାସ ପର୍ଯ୍ୟନ୍ତ କରିବେ । ଏହାଛଡା ଅଧିକ ଟିକସ ଓ ଅଣଟିକସ ଆଦାୟ ହେଉଥିବା ଦୃଷ୍ଟିରୁ ଆଗାମୀ ଆର୍ଥିକ ବର୍ଷରେ ବଜେଟ୍ର ପରିମାଣ ଚଳିତ ବର୍ଷ ଅପେକ୍ଷା ୧୭ ପ୍ରତିଶତରୁ ଅଧିକ ହେବ ବୋଲି ଆଶା କରାଯାଉଛି । ଚୂଡାନ୍ତ ଆଲୋଚନା ଆଗାମୀ ଫେବୃୟାରୀ ମାସରେ ମନ୍ତ୍ରୀ ପରିଷଦ ବୈଠକରେ ହେବ । ସେଠାରେ ହିଁ ବାର୍ଷିକ ବଜେଟ୍ର ରୂପରେଖ ଚୂଡାନ୍ତ ଚିତ୍ର ମିଳିପାରିବ ।
ରାଜ୍ୟ ସରକାର ୨୦୨୦-୨୧ ବର୍ଷରୁ ବଜେଟ୍ ପ୍ରସ୍ତୁତି ପାଇଁ ଯେଉଁ ନୂଆ ଢାଞ୍ଚା ଆପଣେଇଛନ୍ତି ତାହା ୨୦୨୨-୨୩ ବଜେଟ୍ ପ୍ରସ୍ତୁତିରେ ଅବ୍ୟାହତ ରହିବ । ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ପ୍ରାୟତଃ ଆସନ୍ତା ଫେବୃୟାରୀ ମାସରେ ବିଧାନସଭାରେ ଉପସ୍ଥାପିତ ହେବ । ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣରେ ପ୍ରମୁଖ ପ୍ରୋତ୍ସାହନ ଓ ସଫଳତା ସଂକ୍ରାନ୍ତରେ ଉଲ୍ଲେଖ କରିବେ ।
୨୦୨୨-୨୩ ବର୍ଷର ବଜେଟ୍ରେ ଏକାଧିକ ଯୋଜନା ଘୋଷଣାର ସମ୍ଭାବନା ରହିଛି । ତେଣୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ବିଭାଗୀୟ ସଚିବମାନେ ଆସନ୍ତା ଜାନୁୟାରୀ ୫ତାରିଖ ପୂର୍ବରୁ ବଜେଟ୍ ଅଭିଭାଷଣ ପାଇଁ ଆବଶ୍ୟକକ ତଥ୍ୟ ପଠାଇବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିଭଳି ଆସନ୍ତା ବଜେଟ୍ ପାଇଁ ବିଗତ ୫ବର୍ଷର ବିଭିନ୍ନ ଯୋଜନା, ଲକ୍ଷ୍ୟଧାର୍ଯ୍ୟ, ସଫଳତା ଆଦି ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ବିଭାଗ ମାନଙ୍କୁ କୁହାଯାଇଛି । ଉଲ୍ଲେଖନୀୟ ଯେ ଚଳିତବର୍ଷ ଫେବୃୟାରୀ ୨୨ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୧-୨୨ ବର୍ଷ ପାଇଁ ୧.୭୫ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ ।
ଏଥି ମଧ୍ୟରେ ୮୫ହଜାର କୋଟି ଟଙ୍କା ପ୍ରଶାସନିକ ବ୍ୟୟ ପାଇଁ ଥିବାବେଳେ ୭୫ହଜାର କୋଟି ଟଙ୍କା ଯୋଜନା ବ୍ୟୟ, ୩୦୫୦ କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ପାଇଁ ଥିଲା । ସେହିଭଳି ଡିସେମ୍ବର ପହିଲାରେ ୨୦୨୧-୨୨ ବର୍ଷର ପାଇଁ ଅର୍ଥ ମନ୍ତ୍ରୀ ୧୯,୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥିଲେ ଯାହାକି ଗୃହରେ ପାରିତ ହୋଇଯାଇଛି । (ତଥ୍ୟ)