ଭୁବନେଶ୍ୱର : ଆସନ୍ତା ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍ରେ ଏମ୍ଏସ୍ଏମ୍ଇ, ସ୍ୱାସ୍ଥ୍ୟ, କ୍ରୀଡା ଓ ପର୍ଯ୍ୟନ ସହିତ ଭିତ୍ତିଭୂମି ବିକାଶ ଉପରେ ଅଧିକ ଫୋକସ ରହିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଫେବୃଆରୀ ୨୨ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପିତ କରିବାକୁ ଯାଉଥିବାବେଳେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଶେଷ ସ୍ପର୍ଶ ଦେଉଛନ୍ତି ।
କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । ଯେଉଁ କ୍ଷେତ୍ରରେ ଲୋକଙ୍କୁ ଅଧିକ କାମଧନ୍ଦା ମିଳିବ ତାହାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । କୋଭିଡ ମହାମାରୀ ଏମ୍ଏସ୍ଏମ୍ଇ ସହିତ ଶିଳ୍ପ ଓ ବ୍ୟବସାୟକୁ ବ୍ୟାପକ କ୍ଷତି ପହଞ୍ଚାଇ ଥିବାରୁ ଲୋକେ ବହୁ ମାତ୍ରାରେ କାମଧନ୍ଦା ହରାଇଛନ୍ତି । କ୍ଷୁଦ୍ର ବ୍ୟବସାୟୀ ଓ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଋଣ ପ୍ରଦାନ ଏକ ଆହ୍ୱାନ ହୋଇଥିବାବେଳେ ସେମାନେ ପୂର୍ବସ୍ଥିତିକୁ ଫେରିବା ବଡ ପ୍ରଶ୍ନବାଚୀ ହୋଇଛି ।
କେନ୍ଦ୍ର ସରକାର ୨୦୨୧-୨୨ ବଜେଟ୍ରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୧୫,୭୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୨୦୨୦-୨୧ ବଜେଟ୍ରେ ଏଥିପାଇଁ ପ୍ରାୟ ୫ହଜାର କୋଟି ଟଙ୍କା ଥିଲା । ଅର୍ଥ ବରାଦ ହୋଇଥିବାରୁ ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟ ସରକାର କରୋନାରେ କ୍ଷତିଗ୍ରସ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଅଧିକ ଅର୍ଥ ଯୋଗାଇବେ । ଗତ ନଭେମ୍ବର ମାସରେ ରାଜ୍ୟ ସରକାର ଏହି କ୍ଷେତ୍ରକୁ ମଝବୁତ କରିବାପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନକୁ ୨୭୮ୟୁନିଟ୍କୁ ସମ୍ପ୍ରସାରିତ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ମୋଟ୍ ୬୩୬ ୟୁନିଟ୍ ଆର୍ଥିକ ପ୍ରୋତ୍ସାହନ ପାଇଥିବାବେଳେ ଏହି ରାଶି ପରିମାଣ ପ୍ରାୟ ୭୦କୋଟି ଟଙ୍କାରେ ପହଞ୍ଚିଛି ।
ଦ୍ୱିତୀୟରେ କୋଭିଡ ମାଡରେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଦୁର୍ବଳ ହୋଇଯାଇଛି । ରାଜ୍ୟରେ ଏବେ ଚିକିତ୍ସା ବିଶେଷଜ୍ଞଙ୍କର ଘୋର ଅଭାବ । ମଞ୍ଜୁର ହୋଇଥିବା ପଦବୀ ତୁଳନାରେ ୮୩ ପ୍ରତିଶତରୁ ଅଧିକ ବିଶେଷଜ୍ଞ ନଥିବା ପଞ୍ଚଦଶ ଅର୍ଥ କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଅନୁରୂପ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ୩୦ପ୍ରତିଶତରୁ ଅଧିକ ପଦବୀ ଖାଲିପଡିଛି ଯାହାକି ଜାତୀୟ ହାର ଠାରୁ ଅଧିକ ଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଏଭଳି ସ୍ଥିତିରେ ଓଡିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ଅର୍ଥ ଯୋଗାଇବାପାଇଁ ଆସନ୍ତା ବଜେଟ୍ରେ ଏହି ବିଭାଗର ବଜେଟ୍ରେ ୨୦ ପ୍ରତିଶତ ବଢାଇପାରନ୍ତି ।
ସେହିଭଳି ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହକି ବିଶ୍ୱକପ୍ ପାଇଁ କ୍ରୀଡା ବଜେଟ୍ ମଧ୍ୟ ବହୁଗୁଣିତ ହେବ । ସୁନ୍ଦରଗଡରେ ବିଶ୍ୱସ୍ତରୀୟ କ୍ରୀଡା ସୁବିଧା ଲାଗି ଅର୍ଥ ଆବଶ୍ୟକ ଥିବାବେଳେ ସମସ୍ତ ଜିଲ୍ଲାରେ ଷ୍ଟାଡିୟମ ନିର୍ମାଣପାଇଁ ବି ଅର୍ଥ ପ୍ରଦାନ କରାଯିବ । ଓଡିଶାକୁ କ୍ରୀଡା ହବ୍ କରିବାପାଇଁ ରାଜ୍ୟ ସରକାର ଯୋଜନା କରିଥିବାରୁ ଏଥିପାଇଁ ଅଧିକ ଅର୍ଥ ବରାଦ ହୋଇପାରେ ।
ସେହିଭଳି କୋଭିଡ ମାଡରେ ବିଗିଡିଥିବା ପର୍ଯ୍ୟଟନ ଓ ସେବା କ୍ଷେତ୍ର ମଧ୍ୟ ଅଧିକ ଅର୍ଥ ଆବଶ୍ୟକ କରୁଛି । ପର୍ଯ୍ୟଟନ ଶିଳ୍ପକୁ ପୂର୍ବସ୍ଥିତିକୁ ଫେରାଇ ଆଣିବାପାଇଁ ବଛା ବଛା ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ବିପୁଳ ଅର୍ଥ ଆବଶ୍ୟକ ପଡୁଛି । ତେଣୁ ପର୍ଯ୍ୟଟନ ବିଭାଗ ମଧ୍ୟ ଅଧିକ ଅର୍ଥ ଦରକାର କରୁଛି । ଅନୁରୂପ ଭାବେ ଭିତ୍ତିଭୂମି କ୍ଷେତ୍ର ଯଥା ରାଜପଥ, ସଡକ, କୋଠାବାଡି, ଜଳସେଚନ, ସହରାଞ୍ଚଳ ବିକାଶ ଆଦି ପାଇଁ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟବସ୍ଥା ଲାଗି ମନସ୍ଥିର କରିଥିବା ସୂଚନା ମିଳୁଛି ।