ଭୁବନେଶ୍ୱର : ଶସ୍ତାରେ ପିଆଜ ଯୋଗାଇବାପାଇଁ ରାଜନୈତିକ ଦଳ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଲାଗି ପଡିଥିବାବେଳେ ରାଜ୍ୟର ଖୋଲା ବଜାରରେ କିନ୍ତୁ ପିଆଜ ଦର ହ୍ରାସ ପାଉନାହିଁ । ଏବେ ବି ବଜାରରେ ପିଆଜ କିଲୋ ୭୦ ଟଙ୍କାରେ ବିକ୍ରି ହେଉଛି ।
ଓଡିଶା ବଜାରରେ ପିଆଜ ଦର କିଲୋ ପ୍ରତି ୬୦ ଟଙ୍କା ଟପିବାପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏହାର ଜୋରଦାର ପ୍ରତିବାଦ କରାଯିବା ପରେ ରାସ୍ତା ଉପରେ କିଲୋ ପ୍ରତି ୨୦ ଟଙ୍କାର ଦରରେ ପିଆଜ ବିକ୍ରି ହେଉଥିଲା । ଉଭୟ ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସ ଖୋଲାଖୋଲି ଭାବେ ରାଜଧାନୀର ବିଭିନ୍ନ ସ୍ଥାନରେ କିଲୋ ୨୦ ଟଙ୍କାରେ ପିଆଜ ବିକ୍ରି କରିଥିଲେ । ଏତେ ଶସ୍ତାରେ ପିଆଜ ମିଳିବା ଦେଖି ଲୋକେ ବି ଚଢାଭିଡା ହୋଇ କିଣିଥିଲେ ।
କଂଗ୍ରେସର ଶସ୍ତା ପିଆଜ ମିଳିବାପରେ କେନ୍ଦ୍ରୀୟ ସଂସ୍ଥା ନାଫେଡ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ କିଲୋ ପ୍ରତି ୨୫ଟଙ୍କାର ଦରରେ ପିଆଜ ବିକ୍ରି କରୁଛି । ସହରର ଗଳି କନ୍ଦିରେ ନାଫେଡର ପିଆଜ ଗାଡି ବୁଲି ବୁଲି ପିଆଜ ବିକ୍ରି କରୁଛି । ଏହି ଗାଡି ଯେଉଁଠାରେ ପହଞ୍ଚୁଛି ସେଠାରେ ଲୋକଙ୍କର ପ୍ରବଳ ଗହଳି । ଏପରିକି ଶସ୍ତାରେ ପିଆଜ ନେବାପାଇଁ ଲୋକେ କାମଧନ୍ଦା ଛାଡି ପରିବାର ସହିତ ଧାଡିରେ ଛିଡା ହେଉଛି । ଛୋଟ ଛୋଟ ଗାଡିରେ ନାଫେଡ ଆଣୁଥିବା ପିଆଜ କେଇ ମିନିଟ୍ରେ ଶେଷ ହୋଇଯାଉଛି ।
କଂଗ୍ରେସର ୨୦ଟଙ୍କିଆ ପିଆଜ ହେଉ କିମ୍ବା କେନ୍ଦ୍ରୀୟ ସଂସ୍ଥା ନାଫେଡର ୨୫ ଟଙ୍କିଆ ପିଆଜ, ସହରରେ ଉପଲବ୍ଧ ହେଉଥିଲେ ମଧ୍ୟ ଖୁଚୁରା ବଜାରରେ ଏହାର କୌଣସି ପ୍ରଭାବ ପଡୁନାହିଁ । ବରଂ ଖୁଚୁରା ବଜାରରେ ପିଆଜର ଦର ବଢି ବଢି ୭୦ ଟଙ୍କା ଟପିଲାଣି । ଯେଉଁମାନେ ଶସ୍ତା ପିଆଜ ବିକ୍ରୟ ସ୍ଥାନରେ ପହଞ୍ଚି ପାରୁନାହାନ୍ତି ସେମାନେ ବାଧ୍ୟହୋଇ ଖୁଚୁରା ବଜାରରୁ ଅଧିକ ଦାମ ଦେଇ ପିଆଜ କିଣୁଛନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟର ପିଆଜ ବଜାର ଏବେ ସମ୍ପୂର୍ଣ୍ଣ ଭାବେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ବିଶେଷକରି ମହାରାଷ୍ଟ୍ରର ପିଆଜ ବଜାର ଉପରେ ଓଡିଶା ଅଧିକ ଭାବେ ନିର୍ଭର କରୁଛି । ସେଠାରେ ଏବେ ପିଆଜ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉନଥିବାରୁ ଓଡିଶାରେ ଦର ବଢିବାରେ ଲାଗିଛି । ନୂଆ ଉତ୍ପାଦିତ ପିଆଜ ପହଞ୍ଚିବା ପର୍ଯ୍ୟନ୍ତ ଓଡିଶାର ଖାଉଟି ଅଧିକ ଦରରେ ପିଆଜ କିଣିବାକୁ ବାଧ୍ୟ ହେବେ ବୋଲି ବ୍ୟବସାୟୀମାନେ କହୁଛନ୍ତି ।
ଅନ୍ୟ ପକ୍ଷରେ ଓଡିଶାରେ ବାର୍ଷିକ ପ୍ରାୟ ୪ଲକ୍ଷ ଟନ୍ ପିଆଜର ଆବଶ୍ୟକ ଥିବାବେଳେ ଅନୁରୂପ ପରିମାଣ ପିଆଜ ମଧ୍ୟ ଉତ୍ପାଦନ ହେଉଛି । ହେଲେ ଏହାର ସଠିକ ସଂରକ୍ଷଣ ହୋଇପାରୁନଥିବାରୁ ଉତ୍ପାଦନ ସମୟରେ ଶାଗମାଛ ଦରରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏହାକୁ ନେଇ ସେମାନଙ୍କ ରାଜ୍ୟରେ ସଂରକ୍ଷିତ କରି ପରବର୍ତ୍ତୀ ସମୟରେ ଚଢା ଦରରେ ଓଡିଶାକୁ ବିକ୍ରି କରୁଛନ୍ତି । ରାଜ୍ୟ ସରକାର ପିଆଜ ମିଶନ କାର୍ଯ୍ୟକାରୀ ପରେ ପିଆଜ ସଂରକ୍ଷଣ ଲାଗି ଭାଡି ପ୍ରତିଷ୍ଠା କ୍ଷେତ୍ରରେ ୫୦% ସବସିଡ୍ ପ୍ରଦାନ କରୁଥିଲେ ମଧ୍ୟ କୌଣସି କାରଣରୁ ପିଆଜ ଚାଷୀମାନେ ଏଥିପ୍ରତି ଆଗ୍ରହୀ ନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)