ନୂଆଦିଲ୍ଲୀ : ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ଲାଗି ବିଜେପି ନିଜର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛି । ଏବେଠାରୁ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ହେଲାଣି। କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ମୁଖ୍ୟ ରଣନୀତିକାର ଅମିତ ଶାହଙ୍କ ତତ୍ତ୍ୱାବଧାନରେ ଦଳ ବୁଥ୍ ସ୍ତର ଠାରୁ ଆରମ୍ଭ କରି କେନ୍ଦ୍ରୀୟ ସ୍ତର ପର୍ଯ୍ୟନ୍ତ, ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାରେ ଲାଗିପଡ଼ିଛି। ଶାସକ ଦଳ ଟିଏମସିକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ସବୁପ୍ରକାର କୌଶଳ ଆପଣେଇଛି।
ଗତ ବିଧାନସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ୩ରୁ ୭୭କୁ ବୃଦ୍ଧି ପାଇଥିଲା। ଦଳ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିଲା। ଏଥର ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରୁଛି ବିଜେପି। ଏହାଛଡ଼ା ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଫଳରେ ଆସିଥିବା ପରିବର୍ତ୍ତନ ଏବଂ ଟିଏମସିର ଅନ୍ତଃକନ୍ଦଳ ଦଳ ପାଇଁ ରାଜ୍ୟରେ ଅନୁକୂଳ ପରିବେଶ ସୃଷ୍ଟି କରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୧୫ ବର୍ଷର ଶାସନ ପରିସମାପ୍ତିରେ ଏହା ସହାୟକ ହେବ ବୋଲି କେତେକ ବିଜେପି ନେତା ଦୃଢ଼ତାର ସହ କହିଛନ୍ତି ।
ଆଗାମୀ ନିର୍ବାଚନରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହିତ ବିଜେପି ଜିତିବ ଏବଂ ମମତା ବାନାର୍ଜୀ ସରକାରକୁ ଗାଦିଚ୍ୟୁତ କରିବ ବୋଲି ଡିସେମ୍ବର ୩୦ ତାରିଖରେ ଶ୍ରୀ ଶାହ କହିଥିଲେ। ଦୁର୍ନୀତି, କୁଶାସନ ଏବଂ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ ଉଠାଇ ସେ ଶାସକ ଦଳ ଟିଏମସିକୁ କଡ଼ା ସମାଲୋଚନା କରିଥିଲେ। ତାଙ୍କର ଏହି ମନ୍ତବ୍ୟ ରାଜ୍ୟରେ ନିର୍ବାଚନୀ ପାଣିପାଗକୁ ଉଷ୍ମ କରିଛି ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଟିଏମସି ସରକାର ବିରୋଧରେ ଏକ ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ। ସେ କହିଥିଲେ, କେବଳ ନିର୍ବାଚନୀ ଫାଇଦା ପାଇବା ଲାଗି ପଶ୍ଚିମବଙ୍ଗ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଉଛି। ଦଳ ଏହା ମାଧ୍ୟମରେ ରାଜ୍ୟର ଜନସାଂଖ୍ୟିକ ସ୍ଥିତିକୁ ବଦଳାଇବାକୁ ଚାହୁଁଛି। ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ଶ୍ରୀ ଶାହ ମତ ଦେଇଥିଲେ। ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଲେ ବିଜେପି ‘‘ଜାତୀୟ ସୁରକ୍ଷା ଗ୍ରିଡ୍’’ ନିର୍ମାଣ କରିବ ଏବଂ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଟିଏମସି ଶାସିତ ପଶ୍ଚିମବଙ୍ଗରେ ନିଜର ସ୍ଥିତି ସୁଦୃଢ଼ କରିବା ଲାଗି ବିଜେପି ଗତ ପାଞ୍ଚ ବର୍ଷ ମଧ୍ୟରେ ତୃଣମୂଳ ସ୍ତରରେ ବ୍ୟାପକ ପ୍ରୟାସ ଜାରି ରଖିଛି। ନିର୍ବାଚନ ପାଖେଇ ଆସିବା ସହିତ ଦଳ ନୂଆ ରଣନୀତି ସହିତ ଏହି ପ୍ରୟାସକୁ ଆହୁରି ଗତିଶୀଳ କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ବାଂଲାଦେଶୀ ଅନୁପ୍ରବେଶ, ମହିଳାଙ୍କ ସୁରକ୍ଷା, ରାଜନୈତିକ ହିଂସା ଏବଂ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ଏଥର ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବ ବୋଲି ଶ୍ରୀ ଶାହ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।
ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ଏଥର ପଶ୍ଚିମବଙ୍ଗ ନିର୍ବାଚନରେ ଜିତିବା ଲାଗି ଦଳ ସବୁପ୍ରକାର ଉଦ୍ୟମ କରିବ। ସଫଳତା ପାଇବା ଲାଗି ଏକାଧିକ ରଣନୀତିକୁ ନେଇ ବିଜେପି କାର୍ଯ୍ୟ କରୁଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବ୍ୟକ୍ତିଗତ ଭାବେ ସବୁ ନିର୍ବାଚନ ପ୍ରଚାର ଅଭିଯାନକୁ ଦେଖୁଛନ୍ତି ଏବଂ ତୃଣମୂଳ ସ୍ତରରେ ଅନ୍ୟାନ୍ୟ ପ୍ରୟାସ କରାଯାଉଛି। ଅନ୍ୟପଟେ ତୃଣମୂଳ କଂଗ୍ରେସରେ ଅନ୍ତଃକନ୍ଦଳ କାରଣରୁ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ପ୍ରବଳ ଚାପରେ ରହିଛନ୍ତି। ହୁମାୟୁଁ କବୀର ଏକ ନୂଆ ଦଳ ଗଢ଼ିଥିବାରୁ ଏହି ଚାପ ଆହୁରି ବଢ଼ିଥିବା ବିଜେପି ନେତା ଜଣଙ୍କ କହିଛନ୍ତି। ନିକଟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ରାଜନୈତିକ ମହଲରେ ନୂଆ ଗୁଞ୍ଜରଣ ସୃଷ୍ଟି କରିଛି ।
କବୀରଙ୍କ ନୂଆ ଦଳ ଏଥର ନିର୍ବାଚନ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି। ତେଣୁ ସେ ଟିଏମସି ଠାରୁ ମୁସଲିମ୍ ଭୋଟ୍ ଛଡ଼ାଇ ନେଇ ଶାସକ ଦଳକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇବେ ବୋଲି ବିଜେପି ନେତାମାନଙ୍କର ବିଶ୍ୱାସ ରହିଛି । ଗତ ଶୁକ୍ରବାର ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ କହିଥିଲେ, ପାଞ୍ଚ ବର୍ଷ ପୂର୍ବେ ତାଙ୍କ ଦଳ ଯେତିକି ଆସନରେ ବିଜୟୀ ହୋଇଥିଲା, ଏଥର ତା’ଠାରୁ ଅତିକମରେ ଅଧିକ ଗୋଟିଏ ଆସନରେ ଜିତିବ। ୨୦୨୧ରେ ୨୯୪ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଟିଏମସି ୨୧୬ଟି ଆସନରେ ଜିତିଥିଲା, ଯାହାକି ୨୦୧୬ ନିର୍ବାଚନ ତୁଳନାରେ ୫ଟି ଆସନ ଅଧିକ। ଅନ୍ୟପଟେ ବିଜେପି ୭୭ ଆସନରେ ଜିତିଥିବା ବେଳେ ବାମ ଦଳ ଓ କଂଗ୍ରେସ ଶୂନକୁ ଖସି ଆସିଥିଲେ।

