ଭୁବନେଶ୍ୱର : ଆମ ଦେଶର ଜାତୀୟ ସଂଗୀତ ‘ଜନ-ଗଣ-ମନ’ ରଚନା କରିଥିବା କବିଗୁରୁ ରବୀନ୍ଦ୍ର ନାଥ ଠାକୁର ଓ ରାଷ୍ଟ୍ରଗାନ ‘ବନ୍ଦେ ମାତରମ୍’ର ସ୍ରଷ୍ଟା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ଓଡ଼ିଶା ସହ ନିବିଡ଼ ସଂପର୍କ ଥିଲା । ବନ୍ଦେ ମାତରମ୍ ରଚନାର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଥିବାବେଳେ ଓଡ଼ିଶା ସହ ଏହି ଦୁଇ ମହାମନୀଷୀଙ୍କ ସଂପର୍କ ସଂକ୍ରାନ୍ତରେ ବ୍ୟାପକ ଗବେଷଣା ଏବଂ ସେମାନଙ୍କ ସ୍ମୃତି ବିଜଡ଼ିତ ସ୍ଥାନଗୁଡ଼ିକର ସଂରକ୍ଷଣ ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।
ବୟସରେ ବଙ୍କିମଚନ୍ଦ୍ର ଥିଲେ ରବୀନ୍ଦ୍ରନାଥଙ୍କଠାରୁ ବଡ଼ । ୧୮୮୨ ମସିହାରେ ତାଙ୍କ କାଳଜୟୀ ଉପନ୍ୟାସ ‘ଆନନ୍ଦମଠ’ରେ ପ୍ରକାଶ ପାଇଥିଲା ‘ବନ୍ଦେ ମାତରମ୍’ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ରାଷ୍ଟ୍ରଗାନ ବେଶ୍ ପ୍ରଭାବ ପକାଉଥିଲା ଏବଂ ଏହା ଏବେ ମଧ୍ୟ ଅମଳିନ ହୋଇ ରହିଛି । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ବଙ୍ଗଳାର ୨୪ ପ୍ରଗଣା ଅଞ୍ଚଳରେ ୧୮୩୮ ମସିହାରେ ଜନ୍ମ ହୋଇଥିବାବେଳେ ତାଙ୍କର ସ୍ୱର୍ଗାବାସ ହୋଇଥିଲା ୧୮୯୪ରେ । ସେ ବ୍ରିଟିଶ ସରକାର ଅଧୀନରେ ଡେପୁଟି କଲେକ୍ଟର ଚାକିରିରୁ ଅବସର ଗ୍ରହଣ କରିଥିଲେ ।
ବଙ୍କିମଚନ୍ଦ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷକରି ଯାଜପୁରରେ ସରକାରୀ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ସେହି ସମୟରେ ତାଙ୍କର ଅନ୍ୟ ଏକ ଉପନ୍ୟାସ ‘ଦେବୀ ଚୌଧୁରାଣୀ’ ପ୍ରକାଶ ପାଇଥିଲା । ଅବଶ୍ୟ ଏହା ପୂର୍ବରୁ ସେ ‘ଦୁର୍ଗେସନନ୍ଦିନୀ’ ଭଳି ଲୋକପ୍ରିୟ ଉପନ୍ୟାସ ମଧ୍ୟ ଲେଖିଥିଲେ ।
ଇତିହାସରୁ ଜଣାଯାଏ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ ରଚିତ ବନ୍ଦେ ମାତରମ୍ର ବ୍ୟବହାର ବଢ଼ିଥିଲା । ୧୮୯୬ରେ କଲିକତାରେ ରହିମତୁଲ୍ଲା ଏମ୍.ସାୟାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମ୍ ବୋଲା ଯାଇଥିଲା ଏବଂ ସେତେବେଳେ ଏହାର ସ୍ୱର ଦେଇଥିଲେ ନିଜେ କବିଗୁରୁ ରବୀନ୍ଦ୍ର ନାଥ ଠାକୁର । ବଙ୍ଗଭଙ୍ଗ ଆନ୍ଦୋଳନ କାଳରେ ଏହି ପ୍ରେରଣାଦାୟୀ ଧ୍ୱନୀ ଓ ସଂଗୀତ ବେଶ୍ ଲୋକପ୍ରିୟ ହୋଇଥିଲା । ୧୯୦୬ରେ ବରିସୋଲଠାରେ ଅନୁଷ୍ଠିତ ବେଙ୍ଗଲ ପ୍ରେଭିସିନ୍ସିଆଲ୍ କନ୍ଫରେନ୍ସରେ ଏହା ମଧ୍ୟ ଗାନ କରାଯାଇଥିଲା । ଏହାଛଡ଼ା ଆଉ ପ୍ରାୟ ସମସ୍ତ କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମ୍ ଗାନ ହେଉଥିଲା ।
୧୯୩୭ରେ କଂଗ୍ରେସ କାର୍ଯ୍ୟକାରୀ ସମିତି ସୁଭାଷ ଚନ୍ଦ୍ର ବୋଷ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଜବାହରଲାଲ ନେହରୁ ଓ ମୌଲାନା ଆଜାଦଙ୍କୁ ନେଇ ଏକ ଉପ ସମିତି ଗଢ଼ିଥିଲେ । କବିଗୁରୁ ରବୀନ୍ଦ୍ରନାଥଙ୍କ ସହ ଏହି ଉପସମିତି ଆଲୋଚନା କରି ବନ୍ଦେ ମାତରମ୍ ଗାନର ପ୍ରଥମ ଦୁଇଟି ପଦକୁ ରାଷ୍ଟ୍ର ଗାନରେ ରଖିବା ପାଇଁ ସୁପାରିସ କରିଥିଲେ ।
୧୯୫୦ ଜାନୁଆରୀ ୨୪ରେ ସମ୍ବିଧାନ ପ୍ରଣୟନ ସଭା ଜନ-ଗଣ-ମନକୁ ରାଷ୍ଟ୍ରୀୟ ସଂଗୀତ ଓ ବନ୍ଦେ ମାତରମ୍କୁ ରାଷ୍ଟ୍ରଗାନ ଭାବେ ମର୍ଯ୍ୟାଦା ଦେବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ । ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ସମେତ ସ୍ୱାଧୀନତା ସଂଗ୍ରାମର ଯୋଦ୍ଧାମାନେ ବନ୍ଦେ ମାତରମ୍କୁ ବିଶେଷ ଗୁରୁତ୍ୱ ଦେଉଥିଲେ । ବନ୍ଦେ ମାତରମ୍ର ଚମତ୍କାରିତ ସଂକ୍ରାନ୍ତରେ ଗାନ୍ଧୀଜୀ ବହୁବାର ବିଭିନ୍ନ ପତ୍ରପତ୍ରିକାରେ ଉଲ୍ଳେଖ କରିଥିଲେ । ଏମିତିକି ତ୍ରିରଙ୍ଗା ଝଣ୍ଡା ପ୍ରସ୍ତୁତ ହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ଭାରତ ପାଇଁ ଯେତେସବୁ ପତାକା ପ୍ରସ୍ତୁତ କରାଯାଇଥିଲା ସେଥିରୁ କେତେକର ମଧ୍ୟଭାଗରେ ବନ୍ଦେ ମାତରମ୍ ଲେଖାଯାଇଥିଲା ।
ବନ୍ଦେ ମାତରମ୍ର ସ୍ରଷ୍ଟା ବଙ୍କିମଚନ୍ଦ୍ରଙ୍କ ସହ ଓଡ଼ିଶାର ସଂପର୍କ ଥିବାରୁ ଏହି ରାଷ୍ଟ୍ରଗାନର ୧୫୦ ବର୍ଷ ପୂର୍ତ୍ତି କେନ୍ଦ୍ର ସରକାର କରୁଥିବାବେଳେ ଓଡ଼ିଶାରେ ବନ୍ଦେ ମାତରମ୍ ସ୍ମାରକ ନିର୍ମାଣ ପାଇଁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି । (ତଥ୍ୟ)

