Home General ବକ୍ସିଙ୍କ ପ୍ରତିମୂର୍ତ୍ତି ସଂସଦରେ କେବେ ?

ବକ୍ସିଙ୍କ ପ୍ରତିମୂର୍ତ୍ତି ସଂସଦରେ କେବେ ?

ଭୁବନେଶ୍ୱର : ଓଡିଆ ଅସ୍ମିତା ପ୍ରସଙ୍ଗ ଓଡିଶାର ପୂରପଲ୍ଲୀରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚିତ ହେଉଥିବାବେଳେ ଦୀର୍ଘ ପ୍ରାୟ ୨୫ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ସଂସଦଭବନ ପରିସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୩୦୦ ବର୍ଗଫୁଟର ଜାଗା ଖଣ୍ଡେ ମିଳିପାରୁ ନାହିଁ । ଉଭୟ ଏନ୍‍ଡିଏ ଓ ୟୁପିଏ ସରକାରଙ୍କ ସମୟରେ ଓଡିଶା ସରକାରଙ୍କ ପକ୍ଷରୁ ଏବଂ ବେସରକାରୀ ଭାବେ ବିଭିନ୍ନ ଅନୁଷ୍ଠାନ ଏହି ଦାବି ଉପସ୍ଥାପନ କରିଥିବାବେଳେ ତାହାକୁ ଏଯାବତ୍‍ ଏଡାଇ ଦିଆଯାଉଛି ।

କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରି ୨୦୧୭ ମସିହାରେ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ଖୋର୍ଦ୍ଧାର ଇତିହାସପ୍ରସିଦ୍ଧ ବରୁଣେଇ ପାହାଡରେ ପାଇକ ସ୍ମାରକୀ ନିର୍ମାଣ ଲାଗି ୨୦୧୮ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ଲାଗି ସେବେଠାରୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ୧୦୦ କୋଟି ଟଙ୍କା ଏବଂ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‍) ୯୦କୋଟି ଟଙ୍କା ବରାଦ କରିଥିଲେ ମଧ୍ୟ ଶ୍ରେୟ ପାଇଁ ଟଣାଓଟରା ଯୋଗୁଁ ତାହା ଏଯାବତ୍‍ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ ।

ସଂସଦ ଭବନ ପରିସରରେ ଛତ୍ରପତି ଶିବାଜୀ, ମହାରାଣା ପ୍ରତାପ, କିଟ୍ଟୁରର ରାଣୀ ଚେନ୍ନାମା, ମହାତ୍ମା ବାସବେସ୍ୱର ଆଦିଙ୍କ ଅଶ୍ୱ ଉପରେ ବସିଥିବା ସଶସ୍ତ୍ର ପ୍ରତିମୂର୍ତ୍ତିମାନ ରହିଥିବାବେଳେ ବକ୍ସି ଜଗବନ୍ଧୁଙ୍କ ସଶସ୍ତ୍ର ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ ଲାଗି କର୍ତ୍ତୃପକ୍ଷ କୁନ୍ଥୁ କୁନ୍ଥୁ ହେଉଛନ୍ତି । ବିଧିବଦ୍ଧ ଭାବେ ଓଡିଶା ସରକାର ଏହି ମର୍ମରେ ୨୦୦୪ମସିହାରେ ଦିଲ୍ଲୀକୁ ପ୍ରସ୍ତାବ ପଠାଇଥିଲେ । କିନ୍ତୁ ସ୍ଥାନାଭାବ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଅଶ୍ୱାରୋହୀ ବକ୍ସି ଜଗବନ୍ଧୁଙ୍କ ଉତ୍ତୋଳିତ ଖଡ୍‍ଗ ସହ ପ୍ରତିମୂର୍ତ୍ତି ସ୍ଥାପନକୁ ଏଡାଇ ଦିଆଯାଇଥିଲା । କେବଳ ସେତିକି ନୁହେଁ, ସେତେବେଳେ ସଂସଦର ପ୍ରତିମୂର୍ତ୍ତି ସ୍ଥାପନ କମିଟି ବକ୍ସି ଜଗବନ୍ଧୁଙ୍କର ୯ଫୁଟ ଉଚ୍ଚତା ବିଶିଷ୍ଟ ସାଧାରଣ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ପ୍ରସ୍ତାବ ଦେଇଥିଲେ । ତେବେ ରାଜ୍ୟ ସରକାର ଏଥିରେ ସହମତ ନହୋଇ ୨୦୦୮ ମସିହାରେ ପୁର୍ନବାର ସଂସଦ କର୍ତ୍ତୃପକ୍ଷଙ୍କୁ ଘୋଡା ଉପରେ ବସିଥିବା ସଶସ୍ତ୍ର ବକ୍ସିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୁଣି ଏକ ପ୍ରସ୍ତାବ ଦେଇଥିଲେ ।

ଏ ସଂକ୍ରାନ୍ତରେ ପ୍ରାୟ ୨୦ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅନେକଗୁଡିଏ ପତ୍ରାଳାପ ହୋଇଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ବିଧାନସଭାରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି । ଅନ୍ୟ ବୀରପୁରୁଷମାନଙ୍କ ପ୍ରତିମୂର୍ତ୍ତି ସମ୍ମାନର ସହ ସଂସଦ ଭବନ ପରିସରରେ ରହୁଥିବାବେଳେ ଓଡିଆ ଅସ୍ମିତାର ଅନ୍ୟତମ ପରିଚୟ ବକ୍ସି ଜଗବନ୍ଧୁଙ୍କ ଅଶ୍ୱାରୁଢ ସଶସ୍ତ୍ର ପ୍ରତିମୂର୍ତ୍ତି କିନ୍ତୁ ସ୍ଥାପନ ହୋଇପାରୁ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ସଂସଦ ଭବନ ପରିସରରେ ଏଯାବତ୍‍ ଓଡିଶାର କୌଣସି ବରପୁତ୍ର ଓ ବରପୁତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇନାହିଁ । ଏମିତିକି ନୂଆଦିଲ୍ଲୀର ବହୁ ସଡକ ଏବଂ ଦପ୍ତରର ସୌଧ ବିଭିନ୍ନ ରାଜ୍ୟର ମହାପୁରୁଷମାନଙ୍କ ନାମରେ ନାମିତ ହୋଇଥିବାବେଳେ ଓଡିଶା ପ୍ରତି ବି ଏ କ୍ଷେତ୍ରରେ ଅଣଦେଖା କରାଯାଇଛି । ତେବେ ଏ ସଂକ୍ରାନ୍ତରେ ଓଡିଶାର ଦାବି କେବଳ ସରକାରୀ ପତ୍ରାଳାପରେ ସୀମିତ ରହିଥିବାବେଳେ କୌଣସି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା କିନ୍ତୁ ଗ୍ରହଣ କରାଯାଇ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାପାଇଁ ବି ଦାବି ହୋଇ ଆସୁଛି । (ତଥ୍ୟ)