ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଓ ଏମ୍ବି ଶାହା କମିଶନଙ୍କ ସୁପାରିସ ସତ୍ତ୍ୱେ ଅନେକ ଖଣି ପଟ୍ଟାଦାର ଓ ସଂସ୍ଥା ଜରିମାନା ରାଶି ଓଡ଼ିଶା ସରକାରଙ୍କୁ ଦେଉନାହାନ୍ତି । ବୈଧାନିକ ଅନୁମତି ପତ୍ରର ଖୋଲା ଉଲ୍ଲଂଘନ କରି ଯେଉଁମାନେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ପରିମାଣର ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିବହନ କରିବା ସହିତ ଲିଜ୍ ଅଞ୍ଚଳ ବାହାରେ ଖଣି ଖନନ କରିଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ୨୦୧୭ ମସିହାରେ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଖଣି ପଟ୍ଟା ଦୁର୍ନୀତି ସଂକ୍ରାନ୍ତରେ ଆସିଥିବା ଅଭିଯୋଗ ଉପରେ ଜଷ୍ଟିସ୍ ଏମ୍ବି ଶାହା କମିଶନ ତଦନ୍ତ କରି ତାଙ୍କ ରିପୋର୍ଟ ପ୍ରକାଶ କରିଥିଲେ । ଏହାଛଡ଼ା କେନ୍ଦ୍ର ଭିଜିଲାନ୍ସ କମିଶନ ମଧ୍ୟ ଏ ବ୍ୟାପାରରେ ତାଙ୍କ ମତ ରଖିଥିଲେ । ଏ ପରିପ୍ରେକ୍ଷୀରେ ଶାହା କମିଶନ ଓଡ଼ିଶାରେ ଅନ୍ୟୁନ ୬୯ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଦର୍ଶାଇଥିଲେ । ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଅର୍ଥ ଆଦାୟ ପାଇଁ ନୋଟିସ ଜାରି କରିବା ମାତ୍ରେ ବହୁ ଖଣି ପଟ୍ଟାଦାର ଆଇନ୍ ଅଦାଲତର ଦ୍ୱାରସ୍ଥ ହୋଇ ଓଲଟା ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ । ଏ ସଂକ୍ରାନ୍ତୀୟ କେତେକ ମାମଲା ଏବେବି ବିଚାରାଧୀନ ରହିଛି । ତେବେ ୨୦୧୭ ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଆଇନ୍ ଉଲ୍ଲଂଘନକାରୀଙ୍କ ଠାରୁ ଅର୍ଥ ଆଦାୟ ପାଇଁ କହିଥିଲେ ।
ଅବଶ୍ୟ ଇତିମଧ୍ୟରେ କେତେକ ସଂସ୍ଥା ଆଂଶିକ ଭାବରେ ଓ ଆଉ କେତେକ ସଂସ୍ଥା ସଂପୂର୍ଣ୍ଣ ଭାବେ ଦାବି ଅର୍ଥ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି । ଅନ୍ୟୁନ ୨୩ଟି ଖଣି ପଟ୍ଟାଧାରୀଙ୍କ ଠାରୁ ଦାବି ଅର୍ଥ ସୁଧ ସହ ଆଦାୟ କରିବା ଲାଗି ଓଡ଼ିଶା ସରକାର ୨୦୧୮ ମସିହାରୁ ସାର୍ଟିଫିକେଟ୍ କେଶମାନ କରିଛନ୍ତି । ପ୍ରାୟ ୭ବର୍ଷ ଧରି ଏହି ମାମଲା ଆଇନ୍ ଅଦାଲତରେ ଗଡ଼ୁଛି । ଏଗୁଡ଼ିକର ତ୍ୱରିତ ଫଇସଲା କରାଯାଇ ପାରୁନଥିବାରୁ ରାଜ୍ୟ ରାଜକୋଷକୁ ଅନ୍ୟୁନ ୪ ହଜାର କୋଟି ଟଙ୍କା ଆସିପାରୁ ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । କେବଳ ସେତିକି ନୁହେଁ, ଖଣି ଚୋରା କାରବାର ସଂକ୍ରାନ୍ତରେ ରୁଜୁ ଅନେକ ମାମଲା ବି ଅଦୃଶ୍ୟ ଚାପରେ ଅଧାପନ୍ତରିଆ ଭାବେ ପଡ଼ିଛି । ବିଶେଷକରି ଚୋରା ଖଣିଜ ସାମଗ୍ରୀ ପାରାଦୀପ ବନ୍ଦର ବାଟେ ନେଇ ବିଦେଶକୁ ପଳାଉଥିବା ଏକ ଜାହାଜ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ବର୍ଷବର୍ଷ ଧରି ପଡ଼ିରହିଛି । ଏଥିରେ କେଉଁମାନେ ସଂପୃକ୍ତ ତାହାର ଚୂଡ଼ାନ୍ତ ତଦନ୍ତ ପ୍ରାୟ ୧୦ବର୍ଷ ଧରି ହୋଇପାରିନଥିବା ବେଳେ କାର୍ଯ୍ୟାନୁଷ୍ଠାନ କେବେ ହେବ ଜଣାନାହିଁ ।
ଖଣିଜ ସାମଗ୍ରୀର ଚୋରା କାରବାର କରି ରାଜ୍ୟ ଭିତରର ଓ ବାହାରର ଅନେକ ବ୍ୟକ୍ତି ଓ ସଂସ୍ଥା ଲକ୍ଷ ଲକ୍ଷ କୋଟି ଟଙ୍କା ଲୁଟି ଚାଲିଛନ୍ତି । ବିନା ଲିଜ୍ରେ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷବର୍ଷ ଧରି ଖଣିଜ ସାମଗ୍ରୀ ଲୁଟି ହେଉଥିବା ଘଟଣା ନିକଟ ଅତୀତରେ ଚର୍ଚ୍ଚାକୁ ଆସିଛି । ବିଶେଷକରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାରେ ଖଣି କେଳେଙ୍କାରୀର ଚେର ଲମ୍ବିଥିବାବେଳେ ଏହା ପଛରେ ବହୁ ପ୍ରଭାବଶାଳୀ ରାଜନୈତିକ ନେତା, ଅସାଧୁ ବ୍ୟବସାୟୀ ଏବଂ ସେମାନଙ୍କ ଅନୁଗତ କିଛି ପ୍ରଶାସନିକ ଓ ପୋଲିସ ଅଧିକାରୀ ବିପୁଳ ଫାଇଦା ଉଠାଥିବା ଘେନି ବହୁବର୍ଷ ଧରି ଅଭିଯୋଗ ହୋଇଆସୁଛି । (ତଥ୍ୟ)