ଭୁବନେଶ୍ୱର : ଟେଲିଫୋନ୍ ନମ୍ବର ସହିତ ପ୍ରାୟ ସମସ୍ତ ବ୍ୟକ୍ତିଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୋପନ ତଥ୍ୟ ସଂଯୁକ୍ତ ରହୁଥିବାବେଳେ ବର୍ତ୍ତମାନ ଟେଲିଫୋନ୍ ନମ୍ବରକୁ ବିଭିନ୍ନ ସଂସ୍ଥା, କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ହାତରେ ପଡିବା ଚିନ୍ତାର କାରଣ ହେଉଛି । ବିଶେଷକରି ବିଜ୍ଞାପନ ସଂସ୍ଥାଗୁଡିକ ହାତରେ ଏହା ପଡିବାପରେ ଲୋକଙ୍କ ନିକଟକୁ ବିଭିନ୍ନ ସ୍ଥାନରୁ ଫୋନ୍ ଆସିବାରେ ଲାଗିଛି ।
ପ୍ରତ୍ୟେକ ଦିନ ଏବେ ଲୋକଙ୍କ ନିକଟକୁ ବିଭିନ୍ନ କୋଚିଂ ସଂସ୍ଥା, ଲଟେରୀ କମ୍ପାନୀ, ଘର ଓ ଜମି ବିକ୍ରି କରୁଥିବା ସଂସ୍ଥା, ଇ-କମର୍ସ କମ୍ପାନୀ, ବିଭିନ୍ନ ବିଜ୍ଞାପନ କମ୍ପାନରୁ ଫୋନ୍କଲ୍ ନଚେତ୍ ମେସେଜ୍ ଆସିବାରେ ଲାଗିଛି । ସାଧାରଣ ଲୋକଟିଏ ଚାହିଁଲେ ମଧ୍ୟ ଏହାକୁ ଅଟକାଇ ପାରୁନାହିଁ । ଏଭଳି ମେସେଜ୍ ଓ କଲ୍ ଏବେ ସାଇବର ଠକାମୀର ପ୍ରମୁଖ ମାଧ୍ୟମ ପାଲଟିଛି ।
ବର୍ତ୍ତମାନ ରାଜ୍ୟରେ ନାମଲେଖା ଋତୁ ଚାଲିଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଏକାଧିକ ଫୋନ୍ କଲ୍ ଆସିବାରେ ଲାଗିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତଙ୍କ ମୋବାଇଲ୍ ନମ୍ବରକୁ ଫୋନ୍ ଆସୁଛି । ଏହାକୁ ନେଇ ଅନେକ ଅତିଷ୍ଠ । ତେବେ ଏହିସବୁ ସଂସ୍ଥା ହାତରେ ଫୋନ୍କଲ୍ କିଭଳି ଭାବେ ପଡୁଛି ଓ ସେମାନେ କେଉଁ ଉପାୟରେ ଏହାକୁ ବ୍ୟବହାର କରୁଛନ୍ତି ତାହା ବଡ ପ୍ରଶ୍ନବାଚୀ ହେଲାଣି ।
ନିଜ ଅନୁଷ୍ଠାନର ବିଜ୍ଞାପନ ସହିତ ବ୍ୟବସାୟ ବଢାଇବାପାଇଁ ବିଭିନ୍ନ ସଂସ୍ଥା ଏବେ ହଜାର ହଜାର ଫୋନ୍ ନମ୍ବର ସଂଗ୍ରହ କରିବା ସହିତ ତାହାକୁ ବିଭିନ୍ନ କଲ୍ ସେଣ୍ଟରକୁ ପ୍ରଦାନ କରୁଛନ୍ତି । ସେଠାରୁ ଲୋକଙ୍କ ନିକଟକୁ ଫୋନ୍ କଲ୍ ଆସୁଛି । ଏଥିପାଇଁ ସଂସ୍ଥାଗୁଡିକ କଲ୍ ସେଣ୍ଟରକୁ ବ୍ୟାପକ ଅର୍ଥ ମଧ୍ୟ ପ୍ରଦାନ କରୁଛନ୍ତି । ତେବେ ଏକାଥରକେ ଏତେ ସଂଖ୍ୟକ ବ୍ୟକ୍ତିଙ୍କର ଫୋନ୍ ନମ୍ବର କିଭଳି ବିଭିନ୍ନ ଅନୁଷ୍ଠାନ ହାତରେ ଲାଗୁଛି ତାହା ବଡ ପ୍ରଶ୍ନବାଚୀ ହୋଇଛି ।
ସାଇବର ଠକଙ୍କୁ ନେଇ ଆତଙ୍କରେ ଥିବା ସାଧାରଣ ଲୋକେ ଏଭଳି ଫୋନ କଲ୍ ପାଇ ଭୟଭୀତ ହୋଇ ପଡୁଛନ୍ତି । କେବଳ ଫୋନ୍ କଲ୍ ନୁହେଁ ବିଭିନ୍ନ ଜାତୀୟ ସ୍ତରର ସଂସ୍ଥା ଓ କମ୍ପାନୀରୁ ମଧ୍ୟ ମେସେଜ୍ ଆସୁଛି । କେଡିଟ୍କାର୍ଡ ଓ ପୋଷାକ ପାଇଁ ଦୈନିକ ଏକାଧିକ ମେସେଜ୍ ମିଳିବାରେ ଲାଗିଛି ।
ସେହିଭଳି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବୀମା କରାଇବା, ବିଦେଶ ବୁଲାଇନେବା ଆଦି ଚଳାଇଥିବା ସଂସ୍ଥା ମଧ୍ୟ ଶହ ଶହ ଲୋକଙ୍କର ଫୋନ୍ ନମ୍ବର ସଂଗ୍ରହ କରୁଛନ୍ତି ଓ ଲୋକଙ୍କୁ ଫୋନ୍ କରି ମନାଇବାପାଇଁ ମହିଳା କର୍ମଚାରୀଙ୍କୁ ନିଯୁକ୍ତ କରୁଛନ୍ତି । ଫୋନ୍ କଲ୍କୁ ନେଇ ବ୍ୟତିବ୍ୟସ୍ତ ଲୋକେ ଥାନାକୁ ଯିବାକୁ ଡରୁଥିବାରୁ ଏ ନେଇ ମାମଲା ରୁଜୁ ହେଉନାହିଁ ।
ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଭଳି ନମ୍ବର ସଂଗ୍ରହ ଏବେ ବଡ ବ୍ୟବସାୟରେ ପରିଣତ ହୋଇଛି । ଏଥିରେ ବିଭିନ୍ନ ସଂସ୍ଥା ନିୟୋଜିତ ହୋଇଛନ୍ତି । ଥରେ ନମ୍ବର ପାଇଗଲା ପରେ ତାହାକୁ ମୂଲଚାଲକରି ବିଭିନ୍ନ ସଂସ୍ଥାକୁ ଲକ୍ଷାଧିକ ଟଙ୍କା ବ୍ୟୟରେ ବିକ୍ରି କରୁଛନ୍ତି । ଯଦି କେତେବେଳେ ଏହା ସାଇବର ଠକଙ୍କ ହାତରେ ଲାଗିବ ତେବେ ବହୁ ଲୋକେ ଠକାମୀର ଶିକାର ହେବା ଏକ ପ୍ରକାର ନିଶ୍ଚିତ ବୋଲି ଆଇଟି ବିଶେଷଜ୍ଞମାନେ କହୁଛନ୍ତି । ଅତୀତରେ ଏଭଳି ନମ୍ବର ବ୍ୟବହାର କରି ବିଦେଶକୁ ଫୋନ୍ କଲ୍ କରୁଥିବା ର୍ୟାକଟେ ଭୁବନେଶ୍ୱରରୁ ଧରାପଡିଥିବାର ନଜିର ଥିବାବେଳେ ଫୋନ୍ ନମ୍ବର ବ୍ୟବସାୟ ଉପରେ ବ୍ରେକ୍ ଲଗାଇବାପାଇଁ ପୁଲିସ୍ ଅଭିଯାନ ଚଳାଇବାକୁ ମତପ୍ରକାଶ ପାଉଛି । (ତଥ୍ୟ)