ଭୁବନେଶ୍ୱର : ନିଶା ମୁକ୍ତ ଭାରତ ଅଭିଯାନରେ କେନ୍ଦ୍ର ସରକାର ଦେଇଥିବା ଅର୍ଥ ରାଜ୍ୟରେ ଖର୍ଚ୍ଚହୋଇ ପାରୁନାହିଁ । କେନ୍ଦ୍ର ସରକାର ଏହି ଯୋଜନାରେ ୭ଟି ଜିଲ୍ଲାକୁ ୭୦ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ଏଥିରୁ ୫୧ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ନହୋଇ କେନ୍ଦ୍ରକୁ ଫେରିଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ନିଶାମୁକ୍ତ ଭାରତ ଅଭିଯାନ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲା ପାଇଁ କେନ୍ଦ୍ର ସରକାର ଅର୍ଥ ବରାଦ କରିଥିଲେ । ପ୍ରତ୍ୟେକ ଜିଲ୍ଲାପାଇଁ ୧୦ଲକ୍ଷ ଟଙ୍କା ଥିଲା । ତେବେ ଏଥି ମଧ୍ୟରୁ ୭ଟି ଜିଲ୍ଲା ଯଥା ଅନୁଗୁଳ, ବୌଦ୍ଧ, ଗଜପତି, କନ୍ଧମାଳ, ମାଲକାନଗିରି, ରାୟଗଡା ଓ ପୁରୀ ଜିଲ୍ଲାକୁ କେନ୍ଦ୍ର ସରକାର ସିଧାସଳଖ ଭାବେ ୧୦ଲକ୍ଷ ଟଙ୍କା କରି ଅନୁଦାନ ପ୍ରଦାନ କରିଥିଲେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ହେଲେ କନ୍ଧମାଳ ବ୍ୟତିତ ଅନ୍ୟ କୌଣସି ଜିଲ୍ଲା ସମସ୍ତ ଅର୍ଥ ଖର୍ଚ୍ଚ କରିପାରିଲେ ନାହିଁ । କନ୍ଧମାଳ ପାଇଥିବା ସମସ୍ତ ୧୦ଲକ୍ଷ ଟଙ୍କାକୁ ଖର୍ଚ୍ଚ କରି ଦେଇଥିବାବେଳେ ପୁରୀ ଜିଲ୍ଲା ମାତ୍ର ୧୧,୯୦୦ ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିଲା । ସେହିଭଳି ଅନୁଗୁଳ ଜିଲ୍ଲା ପାଇଥିବା ଅର୍ଥରୁ ଟଙ୍କାଟିଏ ଖର୍ଚ୍ଚ କରିପାରିନଥିବାବେଳେ ବୌଦ୍ଧ ଜିଲ୍ଲା ପାଖାପାଖି ଲକ୍ଷେ ଟଙ୍କା ଖର୍ଚ୍ଚ କରିଥିଲା । ଗଜପତି ଜିଲ୍ଲା ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାରେ ସମର୍ଥ ହୋଇଥିବାବେଳେ ମାଲକାନଗିରି ଜିଲ୍ଲା ୧ଲକ୍ଷ ୭୩ ହଜାର ଟଙ୍କା ଓ ରାୟଗଡା ଜିଲ୍ଲା ୧ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଥିଲା ।
ଟଙ୍କା ପାଇଥିବା ୬ଟି ଜିଲ୍ଲାର ଅପାରଗତାରୁ ମିଳିଥିବା ୭୦ଲକ୍ଷ ଟଙ୍କା ମଧ୍ୟରୁ କେନ୍ଦ୍ରକୁ ୫୧,୭୩,୫୫୧ ଟଙ୍କା ଫେରିଯାଇଥିଲା । ତେବେ ପ୍ରଥମେ ଚୟନ ହୋଇଥିବା ୧୦ଟି ଜିଲ୍ଲା ମଧ୍ୟରୁ ପରବର୍ତ୍ତୀ ସମୟରେ ତିନିଟି ଜିଲ୍ଲା କଟକ, ଦେବଗଡ ଓ ସମ୍ବଲପୁର ଜିଲ୍ଲା ଅର୍ଥ ପାଇପାରିନଥିଲେ ।
ତେବେ ନିଶା ମୁକ୍ତ ଭାରତ ଅଭିଯାନର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ୨୦୨୩ ଅଗଷ୍ଟ ୧୫ ତାରିଖରୁ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା । ଏଥିରେ ରାଜ୍ୟର ଅବଶିଷ୍ଟ ୨୦ଟି ଜିଲ୍ଲାକୁ ସାମିଲ କରାଯାଇଛି । ଏହି ଯୋଜନାରେ ଓଡିଶାକୁ ନିଶାମୁକ୍ତ କରିବାପାଇଁ ଆବଶ୍ୟକ ପଦକ୍ଷେପ ଯଥା ପଦଯାତ୍ରା, ସାଧାରଣ ସଭା, ଆଲୋଚନାଚକ୍ର, ବିଜ୍ଞାପନ, ପଥପ୍ରାପ୍ତ ନାଟକ ଆଦି ଆୟୋଜନ କରାଯାଉଥିବା ଜଣାଯାଇଛି । (ତଥ୍ୟ)

