Home Education ଫେରାଇଦେଲେ ମଧ୍ୟାହ୍ନ ଭୋଜନ ଓ ୟୁନିଫର୍ମ

ଫେରାଇଦେଲେ ମଧ୍ୟାହ୍ନ ଭୋଜନ ଓ ୟୁନିଫର୍ମ

ଭୁବନେଶ୍ୱର : “ପାଠ ପଢ଼ିବା ପାଇଁ ଆମକୁ ଶିକ୍ଷକ ଦରକାର । ତା’ପରେ ଯାଇ ମଧ୍ୟାହ୍ନ ଭୋଜନ ଓ ସ୍କୁଲ ୟୁନିଫର୍ମ ।” ଏଭଳି ପ୍ରତିବାଦର ସ୍ୱର ଉଠାଇ ବୟସ୍କ ନାଗରିକ, ସମାଜ ଚିନ୍ତକ, ଶିକ୍ଷାବିତ୍‍ ଏବଂ ରାଜ୍ୟ ଚଳାଉଥିବା ରାଜନୈତିକ ଓ ପ୍ରଶାସନିକ ଅଧିକାରୀମାନଙ୍କ ଆଖି ଖୋଲିବା ପାଇଁ ଚେଷ୍ଟା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନେ ।

ବର୍ଷବର୍ଷ ଧରି ଏହି ବିଦ୍ୟାଳୟରେ ଶିକ୍ଷକ ସଂକଟ ଲାଗି ରହିଛି । ବିଭିନ୍ନ ମହଲରୁ ବାରମ୍ବାର ଦାବି ହେଲେ ବି ଏହି ମୌଳିକ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ଏହି ବିଦ୍ୟାଳୟଟି ପ୍ରାୟ ୯୦ବର୍ଷ ତଳେ ୧୯୩୬ ମସିହାରେ ବ୍ରିଟିଶ ଶାସନ ସମୟରେ ସ୍ଥାପନ କରାଯାଇଥିଲା । ରାଜ୍ୟର ଯେଉଁ କେତୋଟି ପୁରୁଣା ପ୍ରାଥମିକ ବିଦ୍ୟାଳୟ ରହିଛି ସେଗୁଡ଼ିକ ଭିତରେ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ ।

ଏହି ବିଦ୍ୟାଳୟରେ ପ୍ରଥମରୁ ୭ମ ପର୍ଯ୍ୟନ୍ତ ୭ଟି ଶ୍ରେଣୀରେ ୩୦୯ ଜଣ ଛାତ୍ରଛାତ୍ରୀ ଥିବାବେଳେ ଏମାନଙ୍କୁ ପଠା ପଢ଼ାଇବା ପାଇଁ ଅଛନ୍ତି ମାତ୍ର ୪ଜଣ ଶିକ୍ଷକ । ଏମାନେ ଅଧିକାଂଶ ସମୟରେ ବିଦ୍ୟାଳୟ କାମରେ ବିଭିନ୍ନ ଦପ୍ତର ଦୌଡ଼ିବା, ଭୋଟର ତାଲିକା ସଂଶୋଧନଠାରୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ ହେବା, ମଧ୍ୟାହ୍ନ ଭୋଜନ ପିଲାଙ୍କୁୁ ଖୁଆଇବା ଏବଂ ବିଦ୍ୟାଳୟର ବିଭିନ୍ନ କାମ ପାଇଁ ଆସୁଥିବା ସରକାରୀ ଟଙ୍କାର ହିସାବ କିତାବରେ ବ୍ୟସ୍ତ ରହୁଛନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନଥିବାବେଳେ ଶ୍ରେଣୀ ଗୃହର ମଧ୍ୟ ଅଭାବ ରହିଛି ।

ବଡ଼ମାନଙ୍କ ଗୁହାରି ଉଚ୍ଚ କର୍ତ୍ତୃପକ୍ଷ ଶୁଣୁୁନଥିବାବେଳେ ଏବେ କୁନିକୁନି ପିଲାମାନେ ନିଜ ସମସ୍ୟା ନିଜେ ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଜି ସେମାନେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇନାହାନ୍ତି । କେବଳ ସେତିକି ନୁହେଁ, ସେମାନଙ୍କ ପାଇଁ ସରକାରୀ ଯେଉ ୟୁନିଫର୍ମ ଡ୍ରେସ ଯୋଗାଇଛନ୍ତି ସେଗୁଡ଼ିକୁ ମଧ୍ୟ ଜଣ ଜଣକରି ଫେରାଇଛନ୍ତି । ସ୍କୁଲ ପରିସର ଭିତରେ ପିଲାମାନେ ଏହି ସରକାରୀ ୟୁନିଫର୍ମ ଡ୍ରେସ ଗଦା କରି ଚାଲିଯାଇଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅନ୍ୟ ଭିତ୍ତିଭୂମିର ବିକାଶ କରାନଯାଇଛି ସେ ପର୍ଯ୍ୟନ୍ତ ସେମାନେ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି ।

ସ୍ୱାଧୀନତା ଆନ୍ଦୋଳନ ସମୟରେ ଛୋଟ ଛୋଟ ପିଲାମାନେ ବାନର ସେନା ଗଢ଼ି ବ୍ରିଟିଶ ସରକାର ଆଖିରୁ ନିଦ ହଜାଇ ଦେଇଥିଲେ । ଏବେ କେନ୍ଦ୍ରାପଡ଼ା ଜିଲ୍ଳାର ଏହି କୁନିକୁନି ପିଲାମାନେ ସେମାନଙ୍କ ପ୍ରତିବାଦ ମାଧ୍ୟମରେ ସଚେତନ ବ୍ୟକ୍ତି ବିଶେଷଙ୍କ ଆଖି, କାନ ଓ ପାଟି ଖୋଲିବା ପାଇଁ ଏକ ପ୍ରକାର ଆହ୍ୱାନ ଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସୂଚାଇଥିଲେ ଯେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୫,୯୬,୬୪୭ଟି ମଞ୍ଜୁରୀପ୍ରାପ୍ତ ସରକାରୀ କର୍ମଚାରୀ ପଦବୀ ଥିବାବେଳେ ସେଥିରୁ ୨,୦୫,୨୨୮ଟି ଖାଲି ପଡ଼ିଥିଲା । ଏଥିମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬୩,୪୮୫ ଖାଲି ପଦବୀ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗରେ ୩୯,୧୨୭ ପଦବୀ ଓ ଗୃହ ବିଭାଗର ୧୯,୮୮୯ ପଦବୀ ଖାଲି ପଡିଥିଲା । ଅବଶ୍ୟ ଦୁଇବର୍ଷ ଭିତରେ କିଛି କର୍ମ ନିଯୁକ୍ତି ଦିଆଯାଇଥିବା ବେଳେ ଅବସର ଓ ଅନ୍ୟାନ୍ୟ କାରଣରୁ ଅନେକ ପଦବୀ ଖାଲି ହୋଇଛି ।

ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଏବଂ ପ୍ରାଥମିକ ଚିକିତ୍ସାକେନ୍ଦ୍ରରୁ ସରକାରୀ ମେଡିକାଲ୍‍ କଲେଜ୍‍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମାଳମାଳ ପଦବୀ ଖାଲି ପଡିବା ଫଳରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । ଏ ପରିପ୍ରେକ୍ଷୀରେ ଲୋକେ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇ ଘରୋଇ ବିଦ୍ୟାଳୟରେ ଅଧିକରୁ ଅଧିକ ସଂଖ୍ୟକ ପିଲାଙ୍କୁ ପଢ଼ାଇବା ଯୋଗୁ ହଜାର ହଜାର ସରକାରୀ ସ୍କୁଲ ବନ୍ଦ ହୋଇଯାଇଛି । ଏ ପରିପ୍ରେକ୍ଷୀରେ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମରୁଡ଼ି ସମସ୍ୟା କେବେ ସମାଧାନ ହେବ ସେଥିପାଇଁ ଅପେକ୍ଷା ।