ଭୁବନେଶ୍ୱର : ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ ନିକଟରେ ଅଧିଗ୍ରହଣ ହୋଇଥିବା ପ୍ରାୟ ଦେଢ ହଜାର ଏକର ଜମି ଉପରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ଏହାକୁ କୌଣସି ପ୍ରକାରେ ହାତେଇବାପାଇଁ ସେମାନେ ଏବେ ଟଙ୍କା ଧରି ବେଲଦଳ ଆଖପାଖରେ ଚକ୍କର କାଟୁଛନ୍ତି ।
ବିଶ୍ୱବିଦ୍ୟାଳୟ ପାଇଁ ଅଧିଗ୍ରହଣ ହୋଇଥିବା ଜମିକୁ ସୁପ୍ରିମ୍କୋର୍ଟ ବାତିଲ କରିଦେବା ସହ ଜମି ମାଲିକମାନଙ୍କୁ ଅଧିଗୃହୀତ ଜମି ଫେରାଇବାପାଇଁ ପ୍ରାୟ ୨ବର୍ଷ ତଳେ ନିର୍ଦ୍ଦେଶ ଦେଇଥିବାବେଳେ ଏଯାବତ୍ କିନ୍ତୁ ଜମି ଫେରସ୍ତ କାମ ଶେଷ ହୋଇନାହିଁ । ତେବେ ଜିଲ୍ଲା ପ୍ରଶାସନ ଇତି ମଧ୍ୟରେ ଜମି ଫେରସ୍ତ କାମ ପାଇଁ କାଗଜପତ୍ର ସଜାଡିବା ଆରମ୍ଭ କରିଛନ୍ତି ।
ଦୁଇ ବର୍ଷ ତଳେ ସୁପ୍ରିମକୋର୍ଟ ଏ ସମ୍ପର୍କରେ ଐତିହାସିକ ରାୟ ପ୍ରଦାନ କରିବା ସହିତ ଯେଉଁମାନଙ୍କର ଜମି ଅଧିକୃତ ହୋଇଛି ସେହି ଜମି ମାଲିକମାନେ ଏବାବଦରେ ନେଇଥିବା ଅର୍ଥ ଫେରସ୍ତ କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ୧୫ରୁ ୧୮ବର୍ଷ ତଳେ ଯେଉଁ ମୂଲ୍ୟରେ ଜମି ଅଧିଗୃହୀତ ହୋଇଥିଲା ଏବେ ସେହି ମୂଲ୍ୟ ଫେରସ୍ତ କରିବାକୁ ପଡିବ । ଜମି ଅଧିଗ୍ରହଣ ବାବଦରେ ଚାଷୀମାନେ ଯେଉଁ ଅର୍ଥ ପାଇଥିଲେ ତାହା ବିଭିନ୍ନ ଭାବେ ଖର୍ଚ୍ଚହୋଇ ସାରିଛି । କେବଳ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଅନ୍ୟ ସରକାରୀ ଜମି ବାବଦରେ ବେଦାନ୍ତ ଠାରୁ ମିଳିଥିବା ଅର୍ଥ ତହବିଲରେ ମହଜୁଦ ଥିବାରୁ ଏହି ଅର୍ଥ ଫେରସ୍ତ ଦିଆଯିବାରେ କିଛି ଅସୁବିଧା ହେବନାହିଁ ।
ଜମି ଅଧିଗ୍ରହଣ ସମୟରେ ଓଡିଶାରେ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା । ସେ ସମୟରେ ପୁରୀ କୋଣାର୍କ ମଝିରେ ଥିବା ବେଲଦଳ ଅଞ୍ଚଳରେ ଜମି ଦର ଯାହାଥିଲା ଏବେତାହା ୧୦ଗୁଣରୁ ଅଧିକ ବଢିଗଲାଣି । ସେହି ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପ ସମେତ ହୋଟେଲ, ଆପାର୍ଟମେଣ୍ଟ ଓ ଅନ୍ୟାନ୍ୟ ବ୍ୟବସାୟିକ ସଂସ୍ଥା ପାଇଁ ଭଲ ସୁଯୋଗ ରହିଛି । ଏ ପରିପ୍ରେକ୍ଷୀରେ ଅସଲ ଜମି ମାଲିକମାନଙ୍କ ଠାରୁ ଜମି ହାତେଇବାପାଇଁ ବହୁ ଜମି ଦଲାଲ ଓ ବ୍ୟବସାୟିକ ସଂସ୍ଥା ଲାଗି ପଡିଛନ୍ତି ।
ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା କେତେକ ବ୍ୟକ୍ତି କହୁଛନ୍ତି ଯେ ସେମାନଙ୍କ ନିକଟରେ ଜମି ଫେରସ୍ତ ବାବଦ ଅର୍ଥ ରାଶି ନଥିବାବେଳେ ବିଭିନ୍ନ ସଂସ୍ଥା ସେମାନଙ୍କୁ ଆସି ଏହି ଅର୍ଥ ସେମାନେ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ତେବେ ଲୋକେ କହୁଛନ୍ତି ଯେଉଁ ଜମି ପାଇଁ ସେମାନେ ଲକ୍ଷେ ଟଙ୍କା ପାଇଥିଲେ ଏବେ ଜମି ଦଲାଲମାନେ ଏ ବାବଦରେ ୩ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଥିବାବେଳେ ଏହି ଜମିର ବଜାର ଦର କିନ୍ତୁ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ । ଭବିଷ୍ୟତରେ ଏହାର ଦର ଢେର ଅଧିକ ବଢିବାର ସମ୍ଭାବନା ରହିଛି ।
ଚାଷୀଙ୍କୁ ଚାଷଜମି ଓ ଗଡିଆ ପୋଖରୀ ଆଦି ଫେରସ୍ତ କରିବାଲାଗି ବେଦାନ୍ତ ପାଇଁ ହୋଇଥିବା ଜମି ଅଧିଗ୍ରହଣ ବିରୁଦ୍ଧରେ ମାମଲା ଚାଲିଥିଲା । ଏବେ ଏହି ଜମି ଫେରସ୍ତ ହେବାପରେ ଅନେକ କ୍ଷେତ୍ରରେ ବ୍ୟବସାୟିକ ସଂସ୍ଥା ଓ ବିଲଡରମାନେ ଦଲାଲଙ୍କ ସହଯୋଗରେ ତାହାକୁ ନିଜ କବଜାକୁ ଆଣିବାପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଉଛନ୍ତି । ଏଥିପାଇଁ ଉକ୍ତ ଅଞ୍ଚଳକୁ ଏବେ ପ୍ରାୟ ପ୍ରତିଦିନ ଜମି ଦଲାଲମାନଙ୍କ ବଡ ବଡ ଗାଡିମାନ ଛୁଟିବାରେ ଲାଗିଛି । ଏମିତିକି କିଛି ଜମି ମାଲିକଙ୍କୁ ପୁରୀ, ଭୁବନେଶ୍ୱର, କୋଣାର୍କ ଆଦି ଅଣାଯାଇ ଦର ମୂଲଚାଲ ହେଉଛି । (ତଥ୍ୟ)